fbpx

୨୩ ବର୍ଷରେ ଯେତିକି ଆୟ କରିନଥିଲେ କରୋନାର ୨୪ ମାସରେ କରିଛନ୍ତି ସେତିକି ଆୟ: ରିପୋର୍ଟ

କରୋନା ଯେତେବେଳେ ଦୁନିଆରେ ହାହାକାର ମଚାଇଥିଲା, କୋଟି କୋଟି ଲୋକ ଚାକିରି ହରାଇଥିଲେ କୋଟି କୋଟି ପରିବାରର ସଞ୍ଚୟ ଶେଷ ହୋଇଯାଇଥିଲା, ଚିକିତ୍ସା ପାଇଁ ଲୋକଙ୍କୁ ଋଣ ଆଣିବାକୁ ପଡ଼ିଥିଲା । କିନ୍ତୁ ଏହି ସମୟରେ ଏମିତି ଲୋକ ବି ଥିଲେ, ଯାହାଙ୍କୁ ମହାମାରୀ ସମୟରେ ମଧ୍ୟ ଫାଇଦା ହେଉଥିଲା । କରୋନାର ଦୁଇ ବର୍ଷରେ ଅରବପତିମାନେ ଏତେ ଆୟ କରିଛନ୍ତି ଯେ ଯାହା ସେମାନେ ୨୩ ବର୍ଷରେ ଆୟ କରିନଥିଲେ । ଏପରି ଦାବି କରିଛି ଅକ୍ସଫାମ୍ ଇଣ୍ଟରନାସନାଲର ଏକ ରିପୋର୍ଟ ।

ଅକ୍ସଫାମ୍ ଇଣ୍ଟରନାସନାଲ ନିଜର ଏକ ରିପୋର୍ଟରେ କହିଛି ଯେ ଦୁନିଆରେ ଅରବପତି କରୋନାର ପ୍ରାରମ୍ଭିକ ୨୪ ମାସରେ ଯେତିକି ଆୟ କରିଛନ୍ତି ସେତିକି ସେମାନେ ୨୩ ବର୍ଷରେ କରିନଥିଲେ । ବର୍ତ୍ତମାନ ଦୁନିଆରେ ୨ ହଜାର ୬୬୮ ଅରବପତି ରହିଛନ୍ତି । ଏହ ଧନୀ ସାମୂହିକ ଭାବରେ ୯୮୪.୯୫ ଲକ୍ଷ କୋଟି ସଂପତ୍ତିର ମାଲିକ । ଏମାନଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତାହା ବିଶ୍ୱ ଜିଡିପିର ୧୪ % ଅଟେ ।

ରିପୋର୍ଟରେ କୁହାଯାଇଛି ମହାମାରୀ ପରେ ବିଶ୍ୱରେ ୫୭୩ ଅରବପତି ବଢ଼ିଛନ୍ତି । ଅର୍ଥାତ୍ ପ୍ରତି ୩୦ ଘଣ୍ଟାରେ ଜଣେ ଅରବପତି ବଢ଼ିଛନ୍ତି । ଏହି ଅରବପତିଙ୍କ ସମ୍ପତ୍ତି ମହାମାରୀ ସମୟରେ ୪୨ ପ୍ରତିଶତ ଅର୍ଥାତ୍ ୨୯୩.୧୬ ଲକ୍ଷ କୋଟି ବଢ଼ିଛି । ବିଶ୍ୱରେ ୩.୧ ଅରବ ଲୋକଙ୍କ ପାଖରେ ସେତିକି ସମ୍ପତ୍ତି ନାହିଁ ଯେତିକି, ବିଶ୍ୱର ୧୦ ସବୁଠୁ ଧନୀ ଲୋକଙ୍କ ପାଖରେ ରହିଛି ।

ମହାମାରୀ ସମୟରେ ଔଷଧ କାରବାର ସହ ଜଡ଼ିତ ୪୦ ବ୍ୟକ୍ତି ଅରବପତି ହୋଇଛନ୍ତି । ମଣର୍ଣ୍ଣା ଫାଇଜର ଭଳି କମ୍ପାନୀ ମାନେ ପ୍ରତି ସେକେଣ୍ଡରେ ୧ ହଜାର ଡଲାର ଆୟ କରିଛନ୍ତି । ସେପେଟେ ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀ କାରଣରୁ ଦୁନିଆରେ ୯୯ ପ୍ରତିଶତ ଲୋକଙ୍କ ଆୟ ହ୍ରାସ ହୋଇଛି । କେବଳ ୨୦୨୧ ରେ ହିଁ ୧୨.୫ କୋଟିରୁ ଅଧିକ ଲୋକଙ୍କ ଚାକିରି ଯାଇଛି । ୨୦୨୧ ରେ ୪୦ % ଗରିବ ଲୋକଙ୍କ ଆୟରେ ହ୍ରାସ ହୋଇଛି, ମହାମାରୀ ପୂର୍ବରୁ ୬.୭ ପ୍ରତିଶତ ଲୋକଙ୍କ ଆୟ ହ୍ରାସ ପାଉଥିଲା ।

ଅକ୍ସଫାମର ରିପୋର୍ଟ ଅନୂଯାୟୀ ଗତ ବର୍ଷ ଖାଦ୍ୟ ସାମଗ୍ରୀ ଦାମ ୩୩.୬ ପ୍ରତିଶତ ବଢ଼ିଥିଲା ଯାହା ଏବର୍ଷ ମଧ୍ୟ ଦାମ୍ ୨୩% ବଢ଼ିବାର ସମ୍ଭାବନା ରହିଛି । ଫଳରେ ବଢ଼ୁଥିବା ଦରଦାମ ଯୋଗୁଁ ଦୁନିଆରେ ଗରିବୀ ବଢ଼ିବ । ଏହି ବର୍ଷ ୨୬.୩ ପ୍ରତିଶତ ଲୋକ ଗରିବ ହୋଇପାରନ୍ତି ।

ଏହି ରିପୋର୍ଟରେ ଧନୀ ଏବଂ ଗରିବ ମଧ୍ୟରେ ଦୂରତାକୁ ହଟାଇବା ପାଇଁ ଅଧିକ ଟ୍ୟାକ୍ସ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି । ଯେଉଁଲୋକଙ୍କ ପାଖରେ ୫ ମିଲିୟନ ଡଲାରର ସମ୍ପତ୍ତି ରହିଛି ସେମାନଙ୍କ ଠାରୁ ୨ %, ଯେଉଁମାନଙ୍କ ପାଖରେ ୫୦ ମିଲିୟନ ଡଲାରର ସମ୍ପତ୍ତି ରହିଛି ସେମାନଙ୍କଠାରୁ ୩%, ଯେଉଁମାନଙ୍କ ପାଖରେ ୧ ଅରବରୁ ଅଧିକ ସମ୍ପତ୍ତିର ମାଲିକ ସେମାନଙ୍କଠାରୁ ୫% ଟ୍ୟାକ୍ସ ଲଗାଯାଉ ବୋଲି ରିପୋର୍ଟରେ କୁହାଯାଇଛି । ଟ୍ୟାକ୍ସ ବଢ଼ାଇବା ଦ୍ୱାରା ପ୍ରତିବର୍ଷ ୨.୫୨ ଟ୍ରିଲିୟନ ଡଲାର ବା ୧୯୫.୪୪ ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ ମିଳିବ, ଯାହାଦ୍ୱାରା ଦୁନିଆରେ ୨.୩ ଅରବ ଲୋକଙ୍କୁ ଗରିବୀରୁ ବାହାରକୁ ବାହାର କରିବାରେ ସହଜ ହେବ ଏବଂ ସବୁ ଲୋକଙ୍କ ପାଖରେ କରୋନା ଭାକ୍ସିନ ପହଞ୍ଚିପାରିବ ।

 

Get real time updates directly on you device, subscribe now.