fbpx

କୋଭିଡ୍ ସମୟରେ ଅନାଥ ପିଲାଙ୍କୁ ମୋଟା ଅଙ୍କରେ ବିକୁଛନ୍ତି ଦଲାଲ୍; ପୁଅ ହୋଇଥିଲେ ୮ଲକ୍ଷ ଓ ଝିଅ ହୋଇଥିଲେ ୫ଲକ୍ଷ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଅନେକଙ୍କ ପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ଏଭଳି ସମୟରେ ଅନେକ ଛୋଟ ଛୋଟ ପିଲା ସେମାନଙ୍କର ବାପା ମା’ଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି । ତେଣୁ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ସୋସିଆଲ୍ ମିଡିଆରେ ଲୋକେ ଜୋରସୋରରେ ପ୍ରଚାର ପ୍ରସାର କରୁଛନ୍ତି । ଏହି ଅସମୟର ଫାଇଦା ଉଠାଇବାକୁ ଯାଇ କିଛି ଅସାମାଜିକ ବ୍ୟକ୍ତି ଅନାଥ ପିଲାଙ୍କୁ ଟଙ୍କା କମାଇବାର ମାଧ୍ୟମ ଭାବରେ ଧରି ନେଇଛନ୍ତି । ଏଭଳି ପିଲା ମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ଏବେ ଅନେକ ଗ୍ୟାଙ୍ଗ ସକ୍ରିୟ ହୋଇଯାଇଛନ୍ତି ।

ମିଳିଥିବା ଖବର ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ଅନାଥ ହୋଇପଡ଼ିଥିବା ପିଲାମାନଙ୍କୁ ଚାଲାଣ/ବିକ୍ରି ପାଇଁ ରାକେଟ ସକ୍ରିୟ ହୋଇଯାଇଛି । ସେମାନେ ଏଭଳି ପିଲାମାନଙ୍କୁ ଆଣି ଚାଲାଣ କରିବା ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ସେମାନେ ସୋସିଆଲ ମିଡିଆର ସହାୟତା ନେଉଛନ୍ତି । ତେବେ ଏହି ତଥ୍ୟ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଗତକିଛି ଦିନ ହେଲା ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ଆରମ୍ଭ ହୋଇଥିଲା । ଏହା ଜାଣିବା ଲାଗି ଦିଲ୍ଲୀର ଶିଶୁ ଅଧିକାର ସୁରକ୍ଷା କମିସନ ତରଫରୁ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିସନର ଜଣେ ଅଧିକାରୀ ସୋସିଆଲ ମିଡିଆରେ ଦିଆଯାଇଥିବା ଏକ ନମ୍ବରକୁ କଲ୍ କରି ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଫୋନ ଉଠାଇଥିବା ବ୍ୟକ୍ତି ଜଣକ ଏଭଳି ଉତ୍ତର ଦେଇଥିଲେ ଯେଉଁଥିରେ ଅଧିକାରୀ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଜଣେ ବ୍ୟକ୍ତି ଫୋନ ଉଠାଇବା ପରେ ସଂପୃକ୍ତ ଅଧିକାରୀଙ୍କ ଠାରୁ ବଡ ରକମର ଟଙ୍କା ଦାବି କରିଥିଲେ । ଝିଅ ପିଲା ପିଛା ୫ ଲକ୍ଷ ଏବଂ ପୁଅ ପିଲା ପିଛା ୮ ଲକ୍ଷ ଟଙ୍କା ଦାବି କରିଥିଲେ । ଏ ସମ୍ପର୍କରେ କମିସନ ତରଫରୁ ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା ।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ୧୧ରୁ ମେ’ ୨୨ ତାରିଖ ଭିତରେ ୫୭୭ ପିଲା ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି । ହେଲେ ଅନାଥ ପିଲାଙ୍କ ସଂଖ୍ୟା ଅଧିକ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଉଛି । ସେହିପରି ସଂଯୋଗ ନାମକ ଏନ୍ଜିଓର ପ୍ରତିଷ୍ଠାତା ସଦସ୍ୟ ରୁପ୍ ସେନ୍ କହିଛନ୍ତି ଯେ, କରଜ ଜନିତ ଗୋତି ଶ୍ରମିକ ପ୍ରଥା ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ଗରିବ ରାଜ୍ୟଗୁଡ଼ିକରେ ଏକ ପ୍ରମୁଖ ସମସ୍ୟା । ସେଠାକାର ପିଲାମାନଙ୍କୁ ଏଭଳି ସମସ୍ୟ ଦେଇ ଗତି କରିବାକୁ ପଡିଥାଏ । ଯୌନକର୍ମୀମାନେ ଅଧିକ ଋଣରେ ବୁଡ଼ି ରହୁଥିବାରୁ ସେମାନଙ୍କ ପିଲାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଏ । ସେହିପରି ଚାଲାଣକାରୀ ମାନେ ପିଲା ମାନଙ୍କୁ ଟଙ୍କା ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରୁଛନ୍ତି ।

 

Get real time updates directly on you device, subscribe now.