fbpx

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ରଦ୍ଦ, ସାମ୍ନାକୁ ଆସିଲା ବଡ କାରଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ଆଇସିସି ଟି-୨୦ ବିଶ୍ୱ କପ୍ ପରେ ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତରେ ଭାରତ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିବାର ଥିଲା । ଟେଷ୍ଟ ସିରିଜ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିନଶିପର ଅଂଶ ବିଶେଷ ରହିଛି । ହେଲେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ସଂପ୍ରତି ଭାରତର ଏହି ଗସ୍ତକୁ ସ୍ଥଗିତ ରଖିଛି । ଖବର ମୁତାବକ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ଏ ପର୍ଯ୍ୟନ୍ତ ଏହାକୁ ନେଇ ବିସିିସିଆଇ କିମ୍ବା ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ ।

ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର ମୁଖପାତ୍ରଙ୍କ ଅନୁଯାୟୀ, ଭାରତୀୟ ଦଳ ଏଫଟିିପି ଅନୁସାରେ ଏହି ସିଜିନରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ନାହିଁ । ଆସନ୍ତାବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ପରେ ଯାଇ ଦୁଇ ଦଳ ମଧ୍ୟରେ ସିରିଜ୍ ହୋଇପାରେ । ଅନ୍ୟପଟେ ନ୍ୟୁଜିଲାଣ୍ଡର ଖେଳାଳି ମଧ୍ୟ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ସ୍ୱଦେଶ ଫେରି ପାରିବ ନାହିଁ । ଦଳ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛି ଏବଂ ଘରୋଇ ଦଳ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ କିୱି ଦଳ ଟି-୨୦ ବିଶ୍ୱ କପ୍ ପାଇଁ ୟୁଏଇ ଯାତ୍ରା କରିବ ଏବଂ ପୁଣି ଭାରତ ଗସ୍ତରେ ଆସିବ ।

ନ୍ୟୁଜିଲାଣ୍ଡ ଦଳ ଟି-୨୦ ବିଶ୍ୱ କପ୍ ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ତିନି ମ୍ୟାଚର ଟି-୨୦ ସିରିଜ୍ ପାଇଁ ଭାରତ ଗସ୍ତ କରିବ । ଏହା ପରେ ନିଜ ମାଟିରେ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ଏବଂ ତିନି ଟି-୨୦ ମ୍ୟାଚର ସିରିଜ୍ ଖେଳିବ । ପୁଣି ନେଦରଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

Get real time updates directly on you device, subscribe now.