fbpx

ପ୍ରଥମ ଦିନିକିଆ ହାରିବା ପରେ ଭାରତୀୟ ଦଳରେ ହୋଇପାରେ ପରିବର୍ତ୍ତନ, ଚୂଡାନ୍ତ ଏକାଦଶକୁ ନେଇ ଚିନ୍ତାରେ ଅଧିନାୟକ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ । ଏହି ମ୍ୟାଚ୍ ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯିବ । ଏହି ମୁକାବିଲା ଭାରତ ପାଇଁ କର ବା ମର ସଦୃଶ ହୋଇଛି । ପ୍ରଥମ ଦିନିକିଆରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାଠୁ ୩୧ ରନରେ ପରାଜିତ ହୋଇଥିଲା । ଯଦି ଦ୍ୱିତୀୟ ମ୍ୟାଚ୍ ଭାରତ ହାରେ ତେବେ ଟେଷ୍ଟ ପରେ ଦିନିକିଆ ସିରିଜ ମଧ୍ୟ ହାତରୁ ଖସିବ । ଏଥିପାଇଁ ଭାରତୀୟ ଦଳକୁ ସଠିକ୍ ଚୂଡାନ୍ତ ଏକାଦଶ ଚୟନ କରିବା ବହୁତ ଜରୁରୀ । ପ୍ରଥମ ମ୍ୟାଚ୍ ହାରିବା ପରେ ଅଧିନାୟକ କେଏଲ ରାହୁଲ ଦୁଇଟି ବଡ ଦୁର୍ବଳତା ପ୍ରକାଶ କରିଥିଲେ । ଗୋଟିଏ ହେଲା ମଝି ଓଭରରେ ଦକ୍ଷିଣ ଆଫ୍ରିକାର ୱିକେଟ୍ ନେଇ ନପାରିବା ଏବଂ ଦ୍ୱିତୀୟ ବ୍ୟାଟିଂ ସମୟରେ ଭାରତର ମିଡିଲ୍ ଅର୍ଡର ଫ୍ଲପ୍ ହେବା । ତେଣୁ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ସେହି ହିସାବରେ ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପାର୍ଲରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ମଧ୍ୟ କ୍ରମ ବ୍ୟାଟିଂ ସଂପୂର୍ଣ୍ଣ ବିଫଳତା ହୋଇଥିଲା । କେଏଲ ରାହୁଲ ଆଉଟ୍ ହେବା ପରେ ଶିଖର ଧାୱନ ଏବଂ ବିରାଟ କୋହଲି ଦ୍ୱିତୀୟ ଫ୍ୱିକେଟ୍ ପାଇଁ ୯୨ ରନ ଯୋଡିଥିଲେ । ହେଲେ ଏହି ଭାଗିଦାରୀ ଭାଙ୍ଗିବା ସହ ଭାରତୀୟ ମଧ୍ୟକ୍ରମ ଭୁଶୁଡି ପଡିଥିଲା । ଚତୁର୍ଥ ନମ୍ବରରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଋଷଭ ପନ୍ତ(୧୬), ଶ୍ରେୟସ ଆୟର(୧୭) ରନ ହିଁ କରି ପାରିଥିଲେ । ପଦାର୍ପଣ କରିଥିବା ଭେଙ୍କଟେଶ ଆୟର ମଧ୍ୟ ବିଫଳ ହୋଇଥିଲେ। ତେଣୁ ଅଧିନାୟକ ରାହୁଲଙ୍କୁ ଏହି ସମସ୍ୟାର ସମାଧାନ ଦ୍ୱିତୀୟ ଦିନିକିଆ ପୂର୍ବରୁ କରିବାକୁ ହେବ ।

ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ସୁଯୋଗ

ମଧ୍ୟ କ୍ରମରେ କିଛିଟା ପରିବର୍ତ୍ତନ କରାଯାଇ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ପେଶାଲିଷ୍ଟ ବ୍ୟାଟସମ୍ୟାନ ଭାବେ ଖେଳାଯାଇପାରେ । ଦଳର ବ୍ୟାଟିଂ କ୍ରମ ବର୍ତ୍ତମାନ ଦୁର୍ବଳ ନଜର ଆସୁଛି । ତେଣୁ ସୂର୍ଯ୍ୟକୁମାରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କଲେ ଦଳର ବ୍ୟାଟିଂ ମଜବୁତ ହୋଇ ପାରିବ । ଏମିତି ହେଲେ ଶ୍ରେୟସ ଆୟର ଏବଂ ଭେଙ୍କଟେଶଙ୍କ ମଧ୍ୟରୁ ଜଣଙ୍କୁ ବସିବାକୁ ପଡିପାରେ । ଅଭିଜ୍ଞତା ଦୃଷ୍ଟିରୁ ଭେଙ୍କଟେଶ ଆୟରଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ପଡିବାର ସମ୍ଭାବନା ଅଧିକ ରହିଛି ।

ସବୁଠୁ ବଡ କଥା ଭାରତର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ୟୁଜବେନ୍ଦ୍ର ଚହଲ ପ୍ରଥମ ମ୍ୟାଚରେ ପ୍ରଭାବହୀନ ରହିଥିଲେ । ମଧ୍ୟକ୍ରମରେ ୱିକେଟ୍ ନେଇ ନପାରିବାରୁ ଏହାର ଚାପ ଦଳର ବୋଲିଂ ଉପରେ ପଡିଥିଲା । ତଥାପି ଅଭିଜ୍ଞତା ଦୃଷ୍ଟିରୁ ଉଭୟ ବୋଲରଙ୍କୁ ଦ୍ୱିତୀୟ ଦିନିକିଆରେ ଆଉ ଏକ ସୁଯୋଗ ମିଳିପାରେ । ଯଶପ୍ରୀତ ବୁମରାଙ୍କୁ ବାଦ୍ ଦେଲେ ବାକି ବୋଲର ଦଳକୁ ନିରାଶ କରିଛନ୍ତି । ଭୁବନେଶ୍ୱର କୁମାର ଏବଂ ଶାର୍ଦ୍ଦୁଳ ଠାକୁର ମହଙ୍ଗା ସାବ୍ୟସ୍ତ ହେବା ସହ ୱିକେଟ୍ ମଧ୍ୟ ନେଇ ପାରିନଥିଲେ । ଠାକୁର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାଙ୍କର ମୁଖ୍ୟ କାମ ଭଲ ବୋଲିଂ କରିବା । ତେଣୁ ଉଭୟ ବୋଲରଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ଯଦି ମହମ୍ମଦ ସିରାଜ ଫିଟ୍ ହୁଅନ୍ତି ତେବେ ତାଙ୍କୁ ଦ୍ୱିତୀୟ ଦିନିକିଆରେ ସୁଯୋଗ ମିଳିପାରେ ।

ଦ୍ୱିତୀୟ ଦିନିକିଆ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ

କେଏଲ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର/ଭେଙ୍କଟେଶ ଆୟର, ଋଷଭ ପନ୍ତ, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର/ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

Get real time updates directly on you device, subscribe now.