ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଇଣ୍ଡିଆ-ଏର ବଡ଼ ପରୀକ୍ଷା, ୫ଟି ଟ୍ୱେଣ୍ଟି-୨୦, ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ
ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଇଣ୍ଡିଆ-ଏର ବଡ଼ ପରୀକ୍ଷା, ଖେଳିବ ନ୍ୟୁଜିଲାଣ୍ଡ-ଏ ବିପକ୍ଷରେ ୩ଟି ୪ ଦିନିଆ ମ୍ୟାଚ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଇଣ୍ଡିଆ-ଏ ଦଳ ପାଇଁ ମଧ୍ୟ ଆସିଛି ବଡ଼ ସୁଯୋଗ। ନ୍ୟୁଜିଲାଣ୍ଡ କ୍ରିକେଟ୍ (NZC) ଘୋଷଣା କରିଥିବା ଘରୋଇ ରେଡ୍-ବଲ୍ କାର୍ଯ୍ୟସୂଚୀ ଅନୁସାରେ, ଇଣ୍ଡିଆ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ୩ଟି ୪ ଦିନିଆ ମ୍ୟାଚ୍ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ କ୍ରାଇଷ୍ଟଚର୍ଚ୍ଚରେ ହେବ ଏବଂ ସିରିଜ୍ର ଆରମ୍ଭ ୨୪ ଅକ୍ଟୋବରରୁ ହେବ।
ଏହି ମ୍ୟାଚ୍ଗୁଡ଼ିକ ଭାରତୀୟ ଯୁବ ଓ ଉଦୀୟମାନ ଖେଳାଳିଙ୍କ ପାଇଁ ନ୍ୟୁଜିଲାଣ୍ଡର ପରିସ୍ଥିତି ସହ ଖାପ ଖୁଆଇବାର ଭଲ ସୁଯୋଗ ହେବ। ବିଶେଷକରି ନ୍ୟୁଜିଲାଣ୍ଡର ଦ୍ରୁତ ଓ ବାଉନ୍ସିଂ ପିଚ୍ରେ ଖେଳିବାର ଅଭିଜ୍ଞତା ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଉପଯୋଗୀ ହୋଇପାରେ।
ଅକ୍ଟୋବର ୨୨ରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ: ଭାରତୀୟ ସିନିୟର ଟିମ୍ ନ୍ୟୁଜିଲାଣ୍ଡରେ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ନ୍ୟୁଜିଲାଣ୍ଡ କ୍ରିକେଟ୍ର ଅଧିକାରିକ ସୂଚୀ ଅନୁସାରେ ଏହି ୧୨ଟି ମ୍ୟାଚ୍ର ଗସ୍ତ ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୧ ଡିସେମ୍ବରରେ ଶେଷ ହେବ। ଟି-୨୦ ସିରିଜ୍ ୨୨ ଅକ୍ଟୋବରରୁ କ୍ରାଇଷ୍ଟଚର୍ଚ୍ଚରେ ଆରମ୍ଭ ହେବ। ଏହାପରେ ୪ ନଭେମ୍ବରରୁ ଦିନିକିଆ ସିରିଜ୍ ଆରମ୍ଭ ହେବ।
୧୯ ନଭେମ୍ବରରୁ ଟେଷ୍ଟ ସିରିଜ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ୧୯ରୁ ୨୩ ନଭେମ୍ବର ପର୍ଯ୍ୟନ୍ତ ୱେଲିଂଟନ୍ର Cello Basin Reserveରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ୨୭ ନଭେମ୍ବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ କ୍ରାଇଷ୍ଟଚର୍ଚ୍ଚର Hagley Ovalରେ ହେବ।
ଏହି ଟେଷ୍ଟ ସିରିଜ୍ ଭାରତ ପାଇଁ ବିଶେଷ ଗୁରୁତ୍ୱ ବହନ କରିବ। ୱର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ୍ ଦୌଡ଼ରେ ଭାରତ ପାଇଁ ପ୍ରତ୍ୟେକ ପଏଣ୍ଟ ଗୁରୁତ୍ୱପୂର୍ଣ୍ଣ। ତେଣୁ ସିନିୟର ଟିମ୍ର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଇଣ୍ଡିଆ-ଏର ଚାରି ଦିନିଆ ମ୍ୟାଚ୍ଗୁଡ଼ିକ ଭାରତୀୟ ଖେଳାଳିଙ୍କ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନେଇପାରେ।
ନ୍ୟୁଜିଲାଣ୍ଡ କ୍ରିକେଟ୍ ମଧ୍ୟ ଏହି ଇଣ୍ଡିଆ-ଏ ସିରିଜ୍କୁ ନିଜର ରେଡ୍-ବଲ୍ ଘରୋଇ ସିଜନ୍ର ଏକ ବିଶେଷ ଅଂଶ ଭାବେ ଉଲ୍ଲେଖ କରିଛି। ଭାରତୀୟ ଟିମ୍ ପାଇଁ ନ୍ୟୁଜିଲାଣ୍ଡର ପରିସ୍ଥିତି, ପିଚ୍ର ବାଉନ୍ସ ଏବଂ ଦ୍ରୁତ ବୋଲିଂକୁ ବୁଝିବାରେ ଏହି ମ୍ୟାଚ୍ଗୁଡ଼ିକ ଏକ ଭଲ ପ୍ରସ୍ତୁତି ମଞ୍ଚ ହୋଇପାରେ।


