ନ୍ୟୁଜିଲାଣ୍ଡ ବିପକ୍ଷ ODI ଓ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଅଧିନାୟକତ୍ୱରେ ବଡ଼ ପରିବର୍ତ୍ତନ
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା। ପ୍ରଥମ ୩ଟି ODIରେ ଶୁଭମନ ଗିଲ୍ ଅଧିନାୟକ ରହିବେ, ଶେଷ ଦୁଇଟି ମ୍ୟାଚ୍ରେ ଶ୍ରେୟସ ଆୟର ସମ୍ଭାଳିବେ ନେତୃତ୍ୱ। ବୁମ୍ରା ODI ଦଳରୁ ବାଦ୍ ପଡ଼ିଥିବାବେଳେ ଟେଷ୍ଟ ଦଳରେ ରହିଛନ୍ତି।
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣାକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ବଢ଼ିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଘୋଷଣା କରାଯାଇଛି।
ତେବେ ଦିନିକିଆ ସିରିଜ୍ରେ ଅଧିନାୟକତ୍ୱକୁ ନେଇ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ତିନୋଟି ମ୍ୟାଚ୍ରେ ଶୁଭମନ ଗିଲ୍ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ଶେଷ ଦୁଇଟି ମ୍ୟାଚ୍ରେ ଶ୍ରେୟସ ଆୟରଙ୍କ ହାତରେ ରହିବ ଟିମ୍ ଇଣ୍ଡିଆର କମାଣ।
ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟେଷ୍ଟ ସିରିଜ୍ରେ ଶୁଭମନ ଗିଲ୍ ହିଁ ଭାରତର ଅଧିନାୟକ ରହିବେ। ଏହାପୂର୍ବରୁ ଉଭୟ ଦଳ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ୍ର ସିରିଜ୍ ମଧ୍ୟ ଖେଳାଯିବ।
ଶେଷ ୨ ODIରେ ଶ୍ରେୟସ୍ କ୍ୟାପଟେନ୍: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଶୁଭମନ ଗିଲ୍ଙ୍କୁ ଅଧିନାୟକ ଏବଂ ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ। ଏହି ଦୁଇଟି ମ୍ୟାଚ୍ ପାଇଁ ଈଶାନ କିଶନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ପ୍ରଥମ ତିନୋଟି ମ୍ୟାଚ୍ର ଦଳରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ ଓ ଶ୍ରେୟସ ଆୟରଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି। ଶେଷ ଦୁଇଟି ମ୍ୟାଚ୍ ପାଇଁ ତିଳକ ବର୍ମା, ଈଶାନ କିଶନ ଓ କୁମାର କୁଶାଗ୍ରଙ୍କୁ ମଧ୍ୟ ସାମିଲ କରାଯାଇଛି।
ଦିନିକିଆ ଦଳରେ ନାହାନ୍ତି ବୁମ୍ରା: ଭାରତୀୟ ଦଳର ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିନାହିଁ। ସେ ଟେଷ୍ଟ ସିରିଜ୍ରେ ଦଳକୁ ଫେରିବେ। ତାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜଙ୍କ ସମେତ ଅର୍ଶଦୀପ ସିଂହ, ଅଂଶୁଲ କାମ୍ବୋଜ ଓ ଗୁରନୂର ବ୍ରାରଙ୍କ ଉପରେ ଦ୍ରୁତ ବୋଲିଂର ଦାୟିତ୍ୱ ରହିବ।
ଅନ୍ୟପଟେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି। ତେବେ ତାଙ୍କ ଖେଳିବା ଫିଟ୍ନେସ୍ ଉପରେ ନିର୍ଭର କରିବ। ସେହିପରି ଦଳରେ କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ନୀତିଶ କୁମାର ରେଡ୍ଡୀଙ୍କ ଭଳି ଖେଳାଳି ମଧ୍ୟ ରହିଛନ୍ତି।
ପନ୍ତଙ୍କ ଖେଳିବା ନେଇ ଅନିଶ୍ଚିତତା: ଭାରତୀୟ ୱିକେଟ୍କିପର ବ୍ୟାଟର ଋଷଭ ପନ୍ତଙ୍କ ଫିଟ୍ନେସ୍କୁ ନେଇ ଚିନ୍ତା ରହିଛି। ସେ ହାମ୍ଷ୍ଟ୍ରିଙ୍ଗ୍ ଆଘାତରେ ପୀଡ଼ିତ ଥିବାରୁ ଟେଷ୍ଟ ସିରିଜ୍ରେ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି। ଯଦି ପନ୍ତ ଫିଟ୍ ନହୁଅନ୍ତି, ତେବେ ଧ୍ରୁବ ଜୁରେଲ ୱିକେଟ୍କିପର ଭାବେ ଦାୟିତ୍ୱ ତୁଲାଇପାରନ୍ତି।
ନଭେମ୍ବର ୪ରୁ ODI ସିରିଜ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଅକ୍ଟୋବର ୨୨ରୁ ଆରମ୍ଭ ହେବ। ଏହାପରେ ନଭେମ୍ବର ୪ରୁ ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ନଭେମ୍ବର ୧୯ରୁ ଦୁଇଟି ମ୍ୟାଚ୍ର ଟେଷ୍ଟ ସିରିଜ୍ ଆରମ୍ଭ ହେବ।
ଏବେ ସମସ୍ତଙ୍କ ନଜର ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ। ବିଶେଷକରି ଦିନିକିଆ ସିରିଜ୍ର ଶେଷ ଦୁଇଟି ମ୍ୟାଚ୍ରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ କିପରି ରହିବ, ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀ ଉତ୍ସୁକ ରହିବେ।


