ICCର ଐତିହାସିକ ଘୋଷଣା, ଭାରତକୁ ମିଳିଲା ମହିଳା ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଦାୟିତ୍ୱ…
ଆସନ୍ତା ବର୍ଷ ହେବାକୁ ଥିବା ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି।
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତରେ ଖେଳାଯିବ କ୍ରିକେଟ୍ର ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ। ଏଥର ପୁରୁଷ ନୁହେଁ, ମହିଳା ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଛି ବଡ଼ ଖବର। ICC ପକ୍ଷରୁ ଆଜି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ଅଧିକାରିକ ଘୋଷଣା କରାଯାଇଛି। ଏହା ମହିଳା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସଂସ୍କରଣ ହେବ।
ଏହି ଟୁର୍ଣ୍ଣାମେଣ୍ଟ ୧୪ ଫେବ୍ରୁଆରୀରୁ ୨୮ ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଭାରତରେ ଖେଳାଯିବ। ମୁମ୍ବାଇ ଓ ବଡୋଦରାରେ ମ୍ୟାଚ୍ଗୁଡ଼ିକ ଆୟୋଜିତ ହେବ। ମୁମ୍ବାଇର କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ବଡୋଦରାର ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ ଏହି ବଡ଼ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ ଆୟୋଜନ କରିବ।
କେଉଁ ୬ଟି ଟିମ୍ ଖେଳିବେ: ମହିଳା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସଂସ୍କରଣରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଆୟୋଜକ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସାମିଲ ଅଛନ୍ତି।
ତେବେ ଏହି ତାଲିକାରେ ପାକିସ୍ତାନ ମହିଳା କ୍ରିକେଟ୍ ଟିମ୍ ନାହିଁ। ଜୁଲାଇ ୬ ତାରିଖର କଟ୍ଅଫ୍ ତାରିଖ ସୁଦ୍ଧା ICC ମହିଳା T20 ଟିମ୍ ରାଙ୍କିଙ୍ଗ୍ରେ ଥିବା ସ୍ଥିତି ଆଧାରରେ ଏହି ୬ଟି ଦଳ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
କେମିତି ହେବ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍: ମହିଳା ଚାମ୍ପିଅନ୍ସ ଟ୍ରଫି ରାଉଣ୍ଡ-ରବିନ୍ ଫର୍ମାଟ୍ରେ ଖେଳାଯିବ। ଅର୍ଥାତ୍ ପ୍ରତ୍ୟେକ ଟିମ୍ ଲିଗ୍ ପର୍ଯ୍ୟାୟରେ ବାକି ୫ଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ।
ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ଥିବା ଦୁଇଟି ଟିମ୍ ମଧ୍ୟରେ ଫାଇନାଲ୍ ଖେଳାଯିବ। ଫାଇନାଲ୍ ମ୍ୟାଚ୍ଟି ୨୮ ଫେବ୍ରୁଆରୀ ୨୦୨୭ରେ ଅନୁଷ୍ଠିତ ହେବ।
ପ୍ରଥମେ ଶ୍ରୀଲଙ୍କାକୁ ମିଳିଥିଲା ମେଜବାନୀ: ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଆୟୋଜନ କରିବାର ଦାୟିତ୍ୱ ପ୍ରଥମେ ଶ୍ରୀଲଙ୍କାକୁ ମିଳିଥିଲା। କିନ୍ତୁ ଏବେ ଏହି ଦାୟିତ୍ୱ ଭାରତକୁ ଦିଆଯାଇଛି। ଶ୍ରୀଲଙ୍କା କ୍ରିକେଟ୍ ICC ପକ୍ଷରୁ କୁହାଯାଇଥିବା ଗଭର୍ନାନ୍ସ ସୁଧାରଗୁଡ଼ିକ ଲାଗୁ କରିବା ପ୍ରକ୍ରିୟାରେ ଥିବାରୁ ମେଜବାନୀ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।
ଜୁଲାଇରେ ହୋଇଥିବା ICCର ବାର୍ଷିକ ସମ୍ମିଳନୀରେ ଶ୍ରୀଲଙ୍କା କ୍ରିକେଟ୍ର ଗଭର୍ନାନ୍ସକୁ ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ଏପରିକି ICC ବୋର୍ଡ ବୈଠକରେ ଶ୍ରୀଲଙ୍କାକୁ ପ୍ରତିନିଧିତ୍ୱ କରିବାରୁ ମଧ୍ୟ ରୋକାଯାଇଥିଲା।
ନୂଆ ଅଧ୍ୟାୟର ଆରମ୍ଭ: ICC ଚେୟାରମ୍ୟାନ୍ ଜୟ ଶାହ କହିଛନ୍ତି ଯେ, ୨୦୨୭ ମହିଳା ଚାମ୍ପିଅନ୍ସ ଟ୍ରଫି ମହିଳା କ୍ରିକେଟ୍ ପାଇଁ ଏକ ରୋମାଞ୍ଚକର ନୂଆ ଅଧ୍ୟାୟର ଆରମ୍ଭ କରିବ। ବିଶ୍ୱର ଶ୍ରେଷ୍ଠ ମହିଳା ଟିମ୍ଗୁଡ଼ିକ ଏକାଠି ହୋଇ ଉଚ୍ଚମାନର କ୍ରିକେଟ୍ ଖେଳିବେ ବୋଲି ସେ କହିଛନ୍ତି।
ଏବେ ସମସ୍ତଙ୍କ ନଜର ଭାରତ ଉପରେ। ଘରୋଇ ମାଟିରେ ଭାରତୀୟ ମହିଳା ଟିମ୍ ଏହି ପ୍ରଥମ ଚାମ୍ପିଅନ୍ସ ଟ୍ରଫିରେ ଟ୍ରଫି ଜିତିପାରିବ କି, ତାହା ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ।


