fbpx

ପାଣ୍ଡବମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ବାଛି ପାରିନଥିଲେ, ଆମେ ଆମର ପଡ଼ୋଶୀଙ୍କୁ ବାଛି ପାରିବୁନି: ପାକିସ୍ତାନ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ମନ୍ତବ୍ୟ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘The India Way: Strategies for an Uncertain World’ ପୁଣେଠାରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକଟି ମରାଠୀ ଭାଷାକୁ ଅନୁବାଦ କରାଯାଇଥିଲା । ଏହାର ମରାଠୀ ଭର୍ସନ ବୁକକୁ ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନଭିସ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜୟଶଙ୍କରଙ୍କୁ ପଡ଼ୋଶୀ ଓ ଦୁର୍ଦ୍ଦାନ୍ତ ରାଷ୍ଟ୍ର, ଆଣବିକ ଶକ୍ତି, ସମ୍ପତ୍ତି ଓ ଦାୟିତ୍ୱ ଉପରେ ପ୍ରଶ୍ନ କରାଯାଇଥିଲା ।

ଏହାର ଉତ୍ତରରେ ଜୟଶଙ୍କର କହିଥିଲେ, ପାଣ୍ଡବମାନେ ସେମାନଙ୍କର ସମ୍ପର୍କୀୟଙ୍କୁ ବାଛି ପାରିନଥିଲେ । ସେହିପରି ଭାରତ ମଧ୍ୟ ତା’ର ଭୌଗୋଳିକ ପଡ଼ୋଶୀଙ୍କୁ ବାଛି ପାରିବ ନାହିଁ । ପାଣ୍ଡବମାନେ ସଂପର୍କୀୟ ବାଛି ପାରିନଥିଲେ, ଆମେ ମଧ୍ୟ ବାଛି ପାରିବା ନାହିଁ, ଏହା ହେଉଛି ବାସ୍ତବତା । ସବୁକିଛି ଠିକଠାକ ହେଉ ଏହା ଆମେ ଆଶା କରିବା ।

ସେହିପରି ପାକିସ୍ତାନର ଆର୍ଥିକ ପରିସ୍ଥିତି ଉପରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଥିଲେ, ପାକିସ୍ତାନରେ କ’ଣ ଘଟୁଛି ସେନେଇ ଆମେ ମନ୍ତବ୍ୟ ଦେଇ ପାରିବା ନାହିଁ । ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନର ଅର୍ଥନୀତିର ବିକାଶ ୪ରୁ ୨ ପ୍ରତିଶତକୁ ଖସିଆସିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଥିଲା । ଇସଲାମାବାଦ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଶ୍ରୀଲଙ୍କା ମାନ୍ଦାବସ୍ଥା ଘେରରେ ରହିଥିବା ବେଳେ ପାକିସ୍ତାନ ଅର୍ଥନୀତି କ୍ଷେତ୍ରରେ ଛଟପଟ ହେଉଛି । ଗତ ୨୦୧୦-୧୯ରୁ ୨୦୨୪ ମଧ୍ୟରେ ଏହି ଦେଶଗୁଡ଼ିକରେ ଜୀବନଧାରଣର ମାନ ହ୍ରାସ ପାଇବାରେ ଲାଗିଛି । ଏନେଇ ବିଶ୍ୱବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ୍ ପ୍ରସପେକ୍ଟସ ରିପୋର୍ଟରେ କୁହାଯାଇଛି । ପାକିସ୍ତାନର ବୈଦେଶିକ ବିନିମୟ ଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ବୃହତ ଆର୍ଥିକ ଓ ବର୍ତ୍ତମାନର ବିତ୍ତୀୟ ନିଅଣ୍ଟ ନିମ୍ନମୁଖୀ ହେବାରେ ଲାଗିଛି । ଭୟଙ୍କର ବନ୍ୟା ଦ୍ୱାରା ଦେଶର ଏକତୃତୀୟାଂଶ ଭୂମି, ୧୫ ପ୍ରତିଶତ ଜନସଂଖ୍ୟା ପ୍ରଭାବିତ ହେବା ସହ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିବା ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.