ନ୍ୟୁଜିଲାଣ୍ଡକୁ ହରାଇ ପୁଣି ବିଶ୍ୱ ଚାମ୍ପିଅନ ହେଲା ଭାରତ, ତୃତୀୟ ଥର ପାଇଁ ଜିତିଲା ଟି-୨୦ ବିଶ୍ୱକପ୍
ଅହମ୍ମଦାବାଦରେ ଇତିହାସ ସୃଷ୍ଟି କଲା ଭାରତ।
ଓଡ଼ିଶାଭାସ୍କର: ବିଶ୍ୱ ବିଜୟୀ ହେଲା ଭାରତ। ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇଲା ସୂର୍ଯ୍ୟବାହିନୀ। ଟି-୨୦ ବିଶ୍ୱକପ୍ ୨୦୨୬ର ତାଜ ପିନ୍ଧିଲା ଟିମ୍ ଇଣ୍ଡିଆ। ଗୁଜରାଟରେ ଇତିହାସ ରଚିଲା ଭାରତୀୟ ଟିମ୍।
ହଁ ଆଜ୍ଞା ଭାରତ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତିଛି। ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍ରେ ପରାସ୍ତ କରି ଟିମ୍ ଇଣ୍ଡିଆ ଇତିହାସ ରଚିଛି।
ଭାରତ ଟି-୨୦ ବିଶ୍ୱକପ୍ ଟ୍ରଫି ରକ୍ଷା କରିବାରେ ପ୍ରଥମ ଦେଶ ହୋଇଛି। ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସରେ ୨୫୫ ରନ୍ କରିଥିଲା, ଜବାବରେ କିୱିମାନେ କେବଳ ୧୫୯ ରନ୍ କରିପାରିଥିଲେ।
ଭାରତୀୟ ଦଳ ଇତିହାସ ରଚିଲା:
ଏପର୍ଯ୍ୟନ୍ତ, ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ପ୍ରତ୍ୟେକେ ଦୁଇଥର ଟି-୨୦ ବିଶ୍ୱକପ୍ ଜିତିଛନ୍ତି, କିନ୍ତୁ ଭାରତ ତିନିଥର ଟି-୨୦ ବିଶ୍ୱକପ୍ ଜିତିଥିବା ପ୍ରଥମ ଦେଶ ହୋଇଛି।
ଟିମ୍ ଇଣ୍ଡିଆ ୨୦୦୭, ୨୦୨୪ ଏବଂ ଏବେ ୨୦୨୬ରେ ଏହି ଟାଇଟଲ ଜିତିଛି। ପୂର୍ବରୁ କୌଣସି ଦଳ ଲଗାତାର ଦୁଇଥର ଟି-୨୦ ବିଶ୍ୱକପ୍ ଜିତି ନଥିଲେ। ଭାରତ ମଧ୍ୟ ଏହି ସଫଳତା ହାସଲ କରିଥିବା ପ୍ରଥମ ଦେଶ ହୋଇଛି।
ଫାଇନାଲରେ ସର୍ବାଧିକ ସ୍କୋର କରିଥିଲେ:
ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସଞ୍ଜୁ ସାମସନ, ଇଶାନ କିଶାନ ଏବଂ ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ପଡ଼ିଆରେ କିଓ୍ୱି ବୋଲରମାନଙ୍କୁ ନିର୍ଧୁମ ଛେଚିଥିଲେ। ଖାଲି ଛକା ଓ ଚୌକା ବର୍ଷା ହେଉଥିଲା।
