‘ଭାରତ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ହେବା ଆବଶ୍ୟକ’
ଯଦି ଭାରତ ଉର୍ଜା ରପ୍ତାନିକାରୀ ହେବାକୁ ଚାହେଁ, ତାହାହେଲେ ୧ କିଲୋ ହାଇଡ୍ରୋଜେନ୍ର ଦାମକୁ ୧ ଡଲାର କରିବା ଦରକାର
ଆଗାମୀ ଦିନରେ ୧୦୦ ପ୍ରତିଶତ ଇଥାନଲରେ ଚାଲିବ କି ଗାଡ଼ି? ଆମେରିକା-ଇସ୍ରାଇଲ ଓ ଇରାନ୍ ଯୁଦ୍ଧ ଭିତରେ ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଦେଇଛନ୍ତି ବଡ଼ବୟାନ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଭାରତକୁ ଆଗାମୀ ସମୟରେ ୧୦୦% ଇଥାନଲ୍ ବ୍ଲେଣ୍ଡିଂ ଲକ୍ଷ୍ୟ ରଖିବା ଉଚିତ। ପଶ୍ଚିମ ଏସିଆରେ ଚାଲୁଥିବା ସଙ୍କଟ କାରଣରୁ ତେଲ ଯୋଗାଣରେ ବିପଦ ବଢ଼ିଛି। ତେଣୁ ଭାରତ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ହେବା ଆବଶ୍ୟକ।
ଇଣ୍ଡିଆନ୍ ଫେଡେରାସନ୍ ଅଫ ଗ୍ରୀନ ଏନର୍ଜିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ କହିଛନ୍ତି, ଭାରତ ବର୍ତ୍ତମାନ ଆବଶ୍ୟକ କରୁଥିବା ମୋଟ ତୈଳରୁ ପ୍ରାୟ ୮୭% ଆମଦାନି କରୁଛି। ଯାହା ଦେଶର ଅର୍ଥନୀତି ଉପରେ ବୋଝ ହେଉଛି। ଏହି ପରିସ୍ଥିତିରେ ବିକଳ୍ପ ଇନ୍ଧନ ଓ ବାୟୋଫ୍ୟୁଏଲ୍ ଉତ୍ପାଦନ ବଢ଼ାଇବା ଆବଶ୍ୟକ ବୋଲି ଗଡ଼କରୀ କହିଛନ୍ତି।
ଋ-୨୦ ପେଟ୍ରୋଲ୍ ଲକ୍ଷ୍ୟ ସାଧନ
ଗଡ଼କରୀ କହିଛନ୍ତି, ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦% ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ (ଋ-୨୦) ଲଞ୍ଚ କରିଥିଲେ। ବର୍ତ୍ତମାନ ଭାରତରେ ଗାଡ଼ି ଗୁଡ଼ିକରେ ଛୋଟ ମୋଡିଫିକେସନ କରିବା ପରେ ଅତି ସହଜରେ ଋ-୨୦ ପେଟ୍ରୋଲ୍ରେ ଚାଲୁଛି। ଇଞ୍ଜିନ୍କୁ କୌଣସି କ୍ଷତି କରୁନାହିଁ। ସେ ଉଦାହରଣ ଦେଇ କହିଛନ୍ତି ବ୍ରାଜିଲ୍ ପରି ଦେଶ ୧୦୦% ଇଥାନଲ୍ ବ୍ଲେଣ୍ଡିଂ କରିସାରିଲାଣି। ଭାରତକୁ ସେହି ଦିଗରେ ଆଗକୁ ବଢ଼ିବା ଉଚିତ।
ଗ୍ରିନ୍ ହାଇଡ୍ରୋଜେନ ବିଷୟରେ
ଗ୍ରିନ ହାଇଡ୍ରୋଜେନ୍କୁ ନେଇ ଗଡ଼କରୀ କହିଛନ୍ତି, ଏହା ଭବିଷ୍ୟତର ଇନ୍ଧନ। କିନ୍ତୁ ବର୍ତ୍ତମାନ ଏହାର ଖର୍ଚ୍ଚ ଅଧିକ। ଯଦି ଭାରତ ଉର୍ଜା ରପ୍ତାନିକାରୀ ହେବାକୁ ଚାହେଁ, ତାହାହେଲେ ୧ କିଲୋ ହାଇଡ୍ରୋଜେନ୍ର ଦାମକୁ ୧ ଡଲାର କରିବା ଦରକାର। ଏଥିସହିତ ହାଇଡ୍ରୋଜେନ ପରିବହନ ସମସ୍ୟାକୁ ମଧ୍ୟ ସମାଧାନ କରିବା ଆବଶ୍ୟକ। ଅଳିଆରୁ ହାଇଡ୍ରୋଜେନ ତିଆରି କରିବାରେ ଗୁରୁତ୍ୱ ଦିଆଯିବା ଉଚିତ। ଯାହା ଦ୍ୱାରା ଉର୍ଜା ମିଳିବା ସହିତ ନୂତନ ଚାକିରି ସୃଷ୍ଟି ହେବ।
