ବାଂଲାଦେଶରେ ଇଲିଶ ମିଳୁନି! ଭରତ ପଠାଇଲା ୫୦୦ ଟନ
ମିଳିଥିବା ସୂଚନା ଅନୁସାରେ ଗତ ଦୁଇ ମାସ ମଧ୍ୟରେ ଭାରତରୁ ପ୍ରାୟ ୫୦୦ ଟନ୍ ଇଲିଶ ବାଂଲାଦେଶ ରପ୍ତାନି ହୋଇସାରିଛି। ଆଗାମୀ କିଛି ସପ୍ତାହରେ ଆହୁରି ପ୍ରାୟ ୧୫୦ରୁ ୨୦୦ ଟନ୍ ଇଲିଶ ବାଂଲାଦେଶକୁ ଯିବାର ସମ୍ଭାବନା ରହିଛି।
କୋଲକାତା: ଇଲିଶ ମାଛର ଠିକଣା ବଦଳିଲା! ଦିନେ ସମୟ ଥିଲା ବାଂଲାଦେଶ ଇଲିଶ ଭାରତୀୟ ବଜାରରେ ବିକ୍ରି ହେଉଥିଲା। ହେଲେ ଆଜି ସେକାଳ ପଖାଳ ଗଲାଣି। ଭାରତ ଇଲିଶ ଏବେ ବାଂଲାଦେଶର ବଜାରରେ ପହଞ୍ଚୁଛି। ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ମଧ୍ୟ କଥାଟା ସମ୍ପୂର୍ଣ୍ଣ ସତ। ଚଳିତ ବର୍ଷ ଭାରତ ୫୦୦ ଟନ୍ ଇଲିଶ ବାଂଲାଦେଶକୁ ପଠାଇ ସାରିଲାଣି ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଗତ ଦୁଇ ମାସ ମଧ୍ୟରେ ଭାରତରୁ ପ୍ରାୟ ୫୦୦ ଟନ୍ ଇଲିଶ ବାଂଲାଦେଶ ରପ୍ତାନି ହୋଇସାରିଛି। ଆଗାମୀ କିଛି ସପ୍ତାହରେ ଆହୁରି ପ୍ରାୟ ୧୫୦ରୁ ୨୦୦ ଟନ୍ ଇଲିଶ ବାଂଲାଦେଶକୁ ଯିବାର ସମ୍ଭାବନା ରହିଛି।
ବ୍ୟବସାୟୀଙ୍କ କହିବା ଅନୁସାରେ, ବାଂଲାଦେଶରେ ଚଳିତବର୍ଷ ଇଲିଶର ଅଭାବ ଦେଖାଦେଇଛି। ସେଥିପାଇଁ ଭାରତରୁ ଇଲିଶ ସେଠାକୁ ଚାଲାଣ କରାଯାଉଛି। ଇଲିଶ କେବଳ ଏକ ମାଛ ନୁହେଁ, ଭାରତ ଓ ବାଂଲାଦେଶ ଦେଶର ଖାଦ୍ୟ ପରମ୍ପରା ସହ ଗଭୀର ଭାବେ ଜଡ଼ିତ। ଅଧିକାଂଶ ଇଲିଶ ଗୁଜରାଟରୁ ସଂଗ୍ରହ କରାଯାଇ ଭରୁଚ ବନ୍ଦର ଦେଇ ବାଂଲାଦେଶ ପଠାଯାଉଛି। ଆଉ କିଛି ମାଛ କୋଲକାତାର ହାୱଡ଼ା ହୋଲସେଲ୍ ମାଛ ବଜାର ଦେଇ ମଧ୍ୟ ବାଂଲାଦେଶ ଯାଇଛି।
କଥାଟା ଆହୁରି ରୋଚକ ହେଉଛି ଗୁଜରାଟୀ ଇଲିଶକୁ ନେଇ। ଭାରତରେ ମାଈ ଇଲିଶ(ବିହନ ଥିବା ଇଲିଶ)ର ଚାହିଦା ବେଶୀ ନଥାଏ। କିନ୍ତୁ ବାଂଲାଦେଶର କେତେକ ବଜାରରେ ଏହି ବିହନ ଇଲିଶର ଚାହିଦା ଖୁବ୍ ଅଧିକ ରହିଛି। ବିଶେଷକରି ଚଟ୍ଟୋଗ୍ରାମ ଓ ସିଲେଟ୍ ଭଳି ଅଞ୍ଚଳରେ ଏହାକୁ ଗ୍ରାହକ ବେଶୀ ପସନ୍ଦ କରୁଥିବା ବ୍ୟବସାୟୀମାନେ କହିଛନ୍ତି।
ତେବେ ଏହି ଘଟଣା କାହିଁକି ଏତେ ଚର୍ଚ୍ଚାରେ? କାରଣ ଏ ପର୍ଯ୍ୟନ୍ତ ଚିତ୍ରଟା ପ୍ରାୟ ଓଲଟା ଥିଲା। ଦୁର୍ଗାପୂଜା ପୂର୍ବରୁ ଭାରତରେ ଇଲିଶର ଚାହିଦା ବଢ଼ିଲେ ବାଂଲାଦେଶରୁ ଇଲିଶ ଆସିବାକୁ ଅପେକ୍ଷା କରାଯାଉଥିଲା। ଗତବର୍ଷ ମଧ୍ୟ ବାଂଲାଦେଶ ଭାରତକୁ ୧,୨୦୦ ଟନ୍ ଇଲିଶ ରପ୍ତାନି ପାଇଁ ଅନୁମତି ଦେଇଥିଲା। ଏବେ କିନ୍ତୁ ନଦୀର ସ୍ରୋତ ଭଳି ବ୍ୟବସାୟର ଦିଗ ମଧ୍ୟ ବଦଳିଯାଇଛି। ବାଂଲାଦେଶରୁ ଇଲିଶ ଭାରତ ଆସିବା ପରିବର୍ତ୍ତେ ଯାଉଛି।

