fbpx

ଭାରତରେ ଭୟାବହ ହେବ କ୍ୟାନ୍ସର ପରସ୍ଥିତି: ୫ ବର୍ଷରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ବଢିବ!

ନୂଆଦିଲ୍ଳୀ: ଆସନ୍ତା କିଛି ବର୍ଷ ମଧ୍ୟରେ ଭୟାବହ ହେବ ଭାରତରେ କ୍ୟାନ୍ସର ପରସ୍ଥିତି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ କ୍ୟାନ୍ସର ମୃତ୍ୟୁ ସଂଖ୍ୟାରେ ୧ ଲକ୍ଷ ବଢିଯିବ ବୋଲି ଏକ ରିସର୍ଚ୍ଚରେ ପ୍ରକାଶ ପାଇଛି । କରୋନା କାରଣରୁ ଦେଶରେ ସ୍ୱାସ୍ଥ୍ୟବ୍ୟବସ୍ଥାର ଚିତ୍ର ବିଗିଡି ଯାଇଥିବା ବେଳେ ଏହା ଆଗାମୀ ଦିନରେ ଆହୁରି ଗମ୍ଭୀର ହେବାକୁ ଯାଉଛି । ନିକଟରେ ଲାନ୍ସେଟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ କ୍ୟାନ୍ସର ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ୧ ଲକ୍ଷର ଅଭିବୃଦ୍ଧି ଘଟିବ । କରୋନା କାରଣରୁ ଅଙ୍କୋଲୋଜି ସ୍ୱାସ୍ଥ୍ୟସେବା ଉପରେ ପଡିଥିବା ପ୍ରଭାବ କାରଣରୁ ଏମିତି ହେଉଛି ବୋଲି ରିସର୍ଚ୍ଚରେ କୁହାଯାଇଛି । କ୍ୟାନ୍ସର ସ୍କ୍ରିନିଙ୍ଗ ପାଇଁ ହସ୍ପିଟାଲ ନଯିବା ତଥା କ୍ୟାନ୍ସର ଷ୍ଟେଜ ନିରୂପଣରେ ବିଳମ୍ବ ଏମିତି ମୃତ୍ୟୁର କାରଣ ହେବ ବୋଲି ରିସର୍ଚ୍ଚରେ କୁହାଯାଇଛି ।

ସମୁଦାୟ ୧୫୫ ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ୪୨ ପ୍ରତିଶତ କ୍ୟାନ୍ସର ସ୍ୱାସ୍ଥ୍ୟସେବା କରୋନା ମହାମାରୀ କାରଣରୁ ପ୍ରଭାବିତ ହୋଇଛି । ତେବେ ଭାରତରେ ଏହି ସମୟରେ କ୍ୟାନ୍ସର ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଭବିଷ୍ୟତରେ ଏହା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞ ମାନେ ଚେତାଇ ଦେଲେଣି । ଏହା ସହିତ ଲାନ୍ସେଟ ଅଙ୍କୋଲୋଜି ଷ୍ଟଡିରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ୯୮୬୫୦ ରୁ ୧ ଲକ୍ଷ ୩୧ ହଜାର ୫୦୦ ଅଧିକ କ୍ୟାନ୍ସର ମୃତ୍ୟୁ ହୋଇପାରେ ।

ଭାରତରେ କରୋନାର ଦ୍ୱିତୀୟ ଲହର ସମୟରେ ସବୁଠାରୁ ଅଧିକ ଭୟଙ୍କର ଭାବରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା । ଏହି ସମୟରେ ୮୩୬୦୦ ରୁ ୧ ଲକ୍ଷ ୧୫ ହଜାର ରୋଗୀ କ୍ୟାନ୍ସର ଚିକିତ୍ସାରୁ ବଞ୍ଚିତ ହୋଇଥିଲେ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହା ଅତ୍ୟନ୍ତ ଗମ୍ଭୀର ପରସ୍ଥିତି ସୃଷ୍ଟି କରିବ । କ୍ୟାନ୍ସର ଗ୍ରୀଡ ଅଫ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ସର୍ବାଧିକ ଆକ୍ରାନ୍ତ ଚିକିତ୍ସା ସେବା ପାଇବାରେ ବିଫଳ ହୋଇଥିଲେ ।

ମାର୍ଚ୍ଚରୁ ମେ ୨୦୨୦ ମଧ୍ୟରେ ଦେଶର ୬୯ ପ୍ରତିଶତ କ୍ୟାନ୍ସର କେୟାର ସେଣ୍ଟର ବନ୍ଦ ହୋଇ ଯାଇଥିଲା । ମାତ୍ର ୫୬ ପ୍ରତିଶତ ସେଣ୍ଟରରେ କ୍ୟାନ୍ସର ରିସର୍ଚ୍ଚ ହେଉଥିବା ବେଳେ ରିସର୍ଚ୍ଚ ୬୯ ପ୍ରତିଶତ ହ୍ରାସ ପାଇଥିଲା । ୬୯ ପ୍ରତିଶତ ହସ୍ପିଟାଲର ଆୟ କମ ହୋଇଥିଲା । ଦେୟମୁକ୍ତ ହସ୍ପିଟାଲ ଗୁଡିକର ଆୟ ୮୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ପ୍ରାଇଭେଟ ହସ୍ପିଟାଲର ଆୟ ୭୫ ପ୍ରତିଶତ ହ୍ରାସ ପାଇଥିଲା । ସମୁଦାୟ ୪୧ଟି କ୍ୟାନ୍ସର ସେଣ୍ଟରକୁ ନେଇ ଏହି ପରୀକ୍ଷା କରାଯାଇଥିଲା ।
ମାର୍ଚ୍ଚ ୧ରୁ ମେ ୩୧ ମଧ୍ୟରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୯ ତୁଳନାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ପ୍ରତିଶତ ହ୍ରାସ ପାଇଥିଲା । ଏପ୍ରିଲ-ମେ ଦୁି ମାସରେ ଡାକ୍ତରଖାନା ଯାଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ପ୍ରତିଶତ କମିଛି । ଟିଅର-୧ ସହର ଗୁଡିକରେ ୫୦-୭୫ ପ୍ରତିଶତ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଭାରତରେ ବର୍ଷକୁ ୧୩ ଲକ୍ଷ ଲୋକ କ୍ୟାନ୍ସରରେ ଆକ୍ରାନ୍ତ ହେଉଥିବା ବେଳେ ୮ ଲକ୍ଷ ୫୦ ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି । ବୟସ୍କଙ୍କ ଠାରେ କ୍ୟାନ୍ସର ମୃତ୍ୟୁହାର ୮ ପ୍ରତିଶତ ଅଧିକ ରହୁଥିବା ବେଳେ ଭାରତରେ ଏହା ସର୍ବାଧିକ ।

Get real time updates directly on you device, subscribe now.