IND-SRI Test: ଫଲୋ-ଅନ୍ ବିପଦରୁ କିପରି ବର୍ତ୍ତିଲା ଶ୍ରୀଲଙ୍କା? ଟିମ୍ ଇଣ୍ଡିଆର ଏହି ୩ଟି ବଡ଼ ଭୁଲ୍ ପଡ଼ିଲା ଭାରୀ

IND-SRI Test: ଫଲୋ-ଅନ୍ ବିପଦରୁ କିପରି ବର୍ତ୍ତିଲା ଶ୍ରୀଲଙ୍କା?

ଓଡ଼ିଶା ଭାସ୍କର ଡେସ୍କ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆ ମଜଭୁତ ସ୍ଥିତିରୁ ହଠାତ୍ ବ୍ୟାକଫୁଟ୍‌କୁ ଚାଲିଆସିଛି। ତୃତୀୟ ଦିନ ଖେଳର ପ୍ରଥମ ସେସନ୍‌ରେ ଭାରତୀୟ ବୋଲରମାନେ ଘାତକ ବୋଲିଂ ପ୍ରଦର୍ଶନ କରି ଶ୍ରୀଲଙ୍କାର ୫ଟି ୱିକେଟ୍ ମାତ୍ର ୯୦ ରନ୍‌ରେ ଖସାଇ ଦେଇଥିଲେ। ମାତ୍ର ଏହା ପରେ ଯାହା ଘଟିଲା, ତାହା କେହି ଆଶା କରିନଥିଲେ।

ପ୍ରଥମ ସେସନ୍‌ରେ ଶ୍ରୀଲଙ୍କା ୫ଟି ୱିକେଟ୍ ହରାଇଥିବା ବେଳେ ପରବର୍ତ୍ତୀ ସେସନ୍‌ରେ କୌଣସି ୱିକେଟ୍ ନ ହରାଇ ଦ୍ରୁତ ଗତିରେ ୧୧୬ ରନ୍ ଯୋଡ଼ିଥିଲା। ନିରୋଶନ ଡିକୱେଲା ଏବଂ ସୋନାଲ୍ ଦିନୁଷା ଶତକୀୟ ଭାଗୀଦାରୀ ସ୍ଥାପନ କରି ଶ୍ରୀଲଙ୍କାକୁ କମ୍ ସ୍କୋରରେ ଅଲ୍‌ଆଉଟ୍ ହେବାରୁ ରକ୍ଷା କରିବା ସହ ଫଲୋ-ଅନ୍ ବିପଦକୁ ମଧ୍ୟ ଟାଳି ଦେଇଛନ୍ତି। ଟିମ୍ ଇଣ୍ଡିଆ ହାତରେ ମ୍ୟାଚ୍ ଥାଇ ମଧ୍ୟ କିପରି ଶ୍ରୀଲଙ୍କା ବ୍ୟାଟରମାନେ ଫଲୋ-ଅନ୍ ବଞ୍ଚାଇଲେ, ଜାଣନ୍ତୁ ତାର ମୁଖ୍ୟ ୩ଟି କାରଣ..

ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଡ୍ରପ୍: ଭାରତୀୟ ଦଳର ପ୍ରଥମ ତଥା ସବୁଠାରୁ ବଡ଼ ଭୁଲ୍ ଥିଲା ସହଜ କ୍ୟାଚ୍ ହାତଛଡ଼ା କରିବା। ଏହି କ୍ୟାଚ୍ କେ.ଏଲ୍. ରାହୁଲ୍ ଛାଡ଼ିଥିଲେ। ୩୬ତମ ଓଭରର ଚତୁର୍ଥ ବଲ୍‌ରେ ମାନବ ସୁଥାରଙ୍କ ବଲ୍ ଡିକୱେଲାଙ୍କ ବ୍ୟାଟ୍ କଡ଼ ନେଇ ସ୍ଲିପ୍‌କୁ ଯାଇଥିଲା, ମାତ୍ର ସେଠାରେ ଫିଲ୍ଡିଂ କରୁଥିବା ରାହୁଲ୍ କ୍ୟାଚ୍ ଧରିବାରେ ବିଫଳ ହୋଇଥିଲେ। ଜୀବନଦାନ ପାଇବା ପରେ ଡିକୱେଲା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ।

ସୁଇପ୍ ସଟ୍ ରଣନୀତିର ତୋଡ଼ ଖୋଜି ନ ପାରିବା: ଶ୍ରୀଲଙ୍କା ବ୍ୟାଟରଙ୍କ ରଣନୀତିକୁ ଭାଙ୍ଗିବାରେ ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଅସମର୍ଥ ହୋଇଥିଲେ। ନିରୋଶନ ଡିକୱେଲା ଓ ସୋନାଲ୍ ଦିନୁଷା ଭାରତୀୟ ସ୍ପିନରଙ୍କ ବିରୋଧରେ ଲଗାତାର ‘ସୁଇପ୍ ସଟ୍’ ଖେଳିବା ଆରମ୍ଭ କରିଥିଲେ। ଏଥିରେ ଚାପଗ୍ରସ୍ତ ହୋଇ ଭାରତୀୟ ସ୍ପିନରମାନେ ନିଜର ଲାଇନ୍ ଏବଂ ଲେନ୍ଥ୍ ବାରମ୍ବାର ବଦଳାଇଥିଲେ, ଯାହାର ଫାଇଦା ଉଠାଇ ଉଭୟ ବ୍ୟାଟର ସହଜରେ ସିଙ୍ଗଲ୍ ଓ ଡବଲ୍ ରନ୍ ନେଇଥିଲେ।

କୁକାବୁରା ବଲ୍‌କୁ ବୁଝିବାରେ ବିଫଳତା: ତୃତୀୟ ବଡ଼ କାରଣ ଥିଲା ପିଚ୍ ଓ ବଲ୍‌ର ଗତିକୁ ବୁଝିବାରେ । ଶ୍ରୀଲଙ୍କାରେ କୁକାବୁରା ବଲ୍‌ରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥାଏ। ଏହି ବଲ୍ ୨୫-୩୦ ଓଭର ପରେ ନରମ ହୋଇଯାଏ, ଯାହା ଫଳରେ ସ୍ପିନରମାନଙ୍କୁ ଆବଶ୍ୟକୀୟ ଗତି ବା ବାଉନ୍ସ ମିଳିନଥାଏ। ଭାରତୀୟ ସ୍ପିନରମାନେ ବଲ୍‌ର ଗତି ବଢ଼ାଇବାରେ ବିଫଳ ହେବାରୁ ଶ୍ରୀଲଙ୍କା ବ୍ୟାଟରଙ୍କୁ ରନ୍ ସଂଗ୍ରହ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିଥିଲା।