fbpx

ଟେଷ୍ଟ ପରେ ଦିନିକିଆରେ ଭାରତର ଶୋଚନୀୟ ପରାଜୟ, ହାରିଲା ଦିନିକିଆ ସିରିଜ୍ ।

ପାର୍ଲ : ସମାନ ପଡିଆ ଆଉ ସମାନ ଫଳାଫଳ। ଟେଷ୍ଟ ସିରିଜ୍ ହାରିବା ପରେ ଦିନିକିଆ ସିରିଜ୍ ମଧ୍ୟ ହାରିଲା ଭାରତୀୟ ଦଳ। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବହୀନ ପ୍ରଦର୍ଶନ ଦଳ ପରାଜୟର କାରଣ ପାଲଟିଛି। ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ଵିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଦୁଇ ଓପନର ଜାନେମନ ମଲାନ ଓ କ୍ଵିଣ୍ଟନଡିକକ୍ । ଦୁଇ ବ୍ୟାଟ୍ସମ୍ୟାନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ମୁକାବିଲାକୁ ସହଜରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଋଷଭ ପନ୍ତଙ୍କ ୮୫ ଏବଂ ଲୋକେଶ ରାହୁଲଙ୍କ ୫୫ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୮୭ ରନ କରିଥିଲା । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ଜାନେମନ ମଲାନଙ୍କ ୯୧ ଏବଂ ଡି କକ୍ ଙ୍କ ୭୮ ରନ ଦମରେ ୪୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ୨୦୨୨ରେ ଭାରତ ଟେଷ୍ଟ ସହ ଦିନିକିଆ ସିରିଜ୍ ହାରିଛି।

୨୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଡିକକ୍ ଏବଂ ମଲାନ ଦୃଢ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ସଟ୍ ଖେଳି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଆରମ୍ଭରୁ କୌଣସି ସୁଯୋଗ ନଦେଇ ଦୁଇ ବ୍ୟାଟ୍ସମ୍ୟାନ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ୨୨ ଓଭରରେ ଦୁଇ ଓପନର ୧୩୨ ରନ ଯୋଡି ଦକ୍ଷିଣ ଆଫ୍ରିକା ବିଜୟର ମୂଳଦୁଆ ପକାଇଥିଲେ । ୨୨ତମ ଓଭରର ଶେଷ ବଲରେ ହିଁ ଭାରତକୁ ସଫଳତା ମିଳିଥିଲା । ଡି କକ୍ ୬୬ ବଲରୁ ୭ ଚୌକା ଓ ୩ ଛକା ସହ ୭୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ମଲାନ ଏବଂ ଅଧିନାୟକ ବାଭୁମା ଦଳର ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ରେ ୮୦ ରନ ଯୋଡି ଦଳ ବିଜୟ ସୁନିଶ୍ଚିତ କରିଥିଲେ।

ତେବେ ଲଗାତାର ୨ ଓ୍ଵିକେଟ୍ ନେଇ ଭାରତ କିଛିଟା ବିଜୟ ଆଶା ସଞ୍ଚାର କରିଥିଲା। ମଲାନ ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଦଳୀୟ ସ୍କୋର ୨୧୨ରେ ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ। ସେ ୧୦୮ ବଲରୁ ୮ ଚୌକା ଓ ୧ ଛକା ସହ ୯୧ ରନ କରି ବିଦାୟ ନେଇଥିଲେ। ୨୧୪ ସ୍କୋରରେ ବାଭୁମା(୩୫)ଙ୍କୁ ଆଉଟ୍ କରି ଚହଲ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଏହା ପରେ ଆଡନ ମାରକ୍ରମ ଏବଂ ଭାନ ଡର ଡସେନ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଉଭୟ ଅବିଭାଜିତ ଚତୁର୍ଥ ଓ୍ଵିକେଟରେ ୭୨ ରନ ଯୋଡି ଦକ୍ଷିଣ ଆଫ୍ରିକାକୁ ୭ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ମାରକ୍ରନ ଓ ଡସେନ ଉଭୟ ୩୭ ରନ ଲେଖାଏଁ କରି ଅପରାଜିତ ଥିଲେ। ୪୮.୧ ଓଭରରେ ଦକ୍ଷିଣ ଆଫ୍ରିକା ସଫଳତା ସହ ବିଜୟ ଲକ୍ଷ୍ୟ ହାସଲ କରି ଦ୍ଵିତୀୟ ଦିନିକିଆ ଜିତି ସିରିଜ୍ ଜିତି ନେଇଛି।

Get real time updates directly on you device, subscribe now.