ବିଶ୍ଵକପ ପୂର୍ବରୁ ଟିକେଟ୍ ଲଢ଼େଇ, ଫାଇନାଲ୍ ଠାରୁ ମଧ୍ୟ ଅଧିକ ରହିଛି ଭାରତ-ପାକିସ୍ତାନ ମ୍ୟାଚ୍‌ର କ୍ରେଜ୍

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ୮୪ ଲକ୍ଷ ଟିକେଟ୍‌ ଆବେଦନ! ବିଶ୍ୱକପ୍‌ ଫାଇନାଲ୍‌କୁ ମଧ୍ୟ ପଛରେ ପକାଇଲା ମହାମୁକାବିଲା

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୭ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁଥିବା ମହାମୁକାବିଲାକୁ ନେଇ ଏବେଠାରୁ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଏବଂ କ୍ରେଜ୍ ଦେଖିବାକୁ ମିଳିଛି। ଉଭୟ ଦଳ ମଧ୍ୟରେ ଆଗାମୀ ଅକ୍ଟୋବର ୧୦, ୨୦୨୭ ତାରିଖରେ ଲିଗ୍ ପର୍ଯ୍ୟାୟର ଏହି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ।

ଏହି ହାଇ-ଭୋଟ୍ଡେଜ୍ ମ୍ୟାଚ୍ ଦେଖିବା ପାଇଁ ବିଶ୍ୱବ୍ୟାପୀ ପ୍ରଶଂସକମାନଙ୍କ ମଧ୍ୟରେ କିପରି ପାଗଳାମୀ ରହିଛି, ତାହାର ପ୍ରମାଣ ଏହି କଥାରୁ ମିଳୁଛି ଯେ, କେବଳ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଆଇସିସିକୁ ଏପର୍ଯ୍ୟନ୍ତ ପ୍ରାୟ ୮୪ ଲକ୍ଷ ଟିକେଟ୍ ଆବେଦନ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଟିକେଟ୍ ଚାହିଦା ମାମଲାରେ ଏହି ମ୍ୟାଚ୍ ବିଶ୍ୱକପ୍ ଫାଇନାଲ୍ କୁ ମଧ୍ୟ ପଛରେ ପକାଇ ଦେଇଛି।

ଅଧିକ ରହିଛି ଭାରତ-ପାକ୍ ମ୍ୟାଚ୍‌ର ଚାହିଦା: ୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ମିଳିତ ଆୟୋଜନରେ ଅନୁଷ୍ଠିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ଜୋହାନ୍ସବର୍ଗର ବିଶ୍ୱପ୍ରସିଦ୍ଧ ୱାଣ୍ଡରର୍ସ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ସେହିପରି, ଏହି ସମାନ ଷ୍ଟାଡିୟମରେ ୨୧ ନଭେମ୍ବର ୨୦୨୭ ରେ ବିଶ୍ୱକପ୍‌ର ଫାଇନାଲ୍ ମୁକାବିଲା ମଧ୍ୟ ଖେଳାଯିବ। ଏହି ମଇଦାନର ଦର୍ଶକ କ୍ଷମତା ପ୍ରାୟ ୩୪ ହଜାର ଥିବାବେଳେ, ଆଇସିସିର ସୂଚନା ମୁତାବକ ବିଶ୍ୱକପ୍ ଫାଇନାଲ୍ ପାଇଁ ପ୍ରାୟ ୭୯ ଲକ୍ଷ ୯୪୪ ଜଣ ଲୋକ ଟିକେଟ୍ ପାଇଁ ଆବେଦନ କରିଛନ୍ତି।

ତେବେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରାୟ ୮୪ ଲକ୍ଷ ଆବେଦନ ଆସିବା ଏହା ସ୍ପଷ୍ଟ କରୁଛି ଯେ, କ୍ରିକେଟ୍ ଜଗତର ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କିପରି ପ୍ରବଳ ଆଗ୍ରହ ରହିଛି। ଆଇସିସିକୁ ସମଗ୍ର ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ ୧୨ କୋଟିରୁ ଅଧିକ ରିକ୍ୱେଷ୍ଟ ମିଳିଥିବାବେଳେ ୧୯୩ଟି ଦେଶର ପ୍ରାୟ ୨୮ ଲକ୍ଷ ପ୍ରଶଂସକ ଟିକେଟ୍ ବ‍୍ୟାଲେଟ୍ ପାଇଁ ନିଜର ଆଗ୍ରହ ପ୍ରକାଶ କରିଛନ୍ତି।

୭ ଅକ୍ଟୋବରରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ: ଟିମ୍ ଇଣ୍ଡିଆ ଆଗାମୀ ଅକ୍ଟୋବର ୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସହିତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା।

ତେବେ ଚଳିତ ଥର ମଧ୍ୟ ସମସ୍ତଙ୍କ ନଜର ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ରହିବ। ଗତ କିଛି ସମୟ ଧରି ଉଭୟ ଦଳ ମଧ୍ୟରେ ମୁକାବିଲା ଏକତରଫା ରହିଥିଲେ ମଧ୍ୟ ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିତାର ରୋମାଞ୍ଚ ଏବେ ବି ସେହିପରି ଅକ୍ଷୁର୍ଣ୍ଣ ରହିଛି।

ପାକିସ୍ତାନ ଶେଷଥର ପାଇଁ ଏସିଆ କପ୍ ୨୦୨୨ରେ ଭାରତ ବିପକ୍ଷରେ ବିଜୟ ହାସଲ କରିଥିଲା। ଏହା ବ୍ୟତୀତ ଦିନିକିଆ ବିଶ୍ୱକପ୍ ଇତିହାସରେ ଭାରତୀୟ ଦଳ କେବେ ବି ପାକିସ୍ତାନଠାରୁ ହାରି ନାହିଁ। ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ପାକିସ୍ତାନକୁ ଭାରତ ବିପକ୍ଷରେ ମାତ୍ର ଗୋଟିଏ ବିଜୟ ମିଳିଛି।

ନୂତନ ଫର୍ମାଟ୍‌ରେ ଅନୁଷ୍ଠିତ ହେବ ବିଶ୍ୱକପ୍ ୨୦୨୭: ୨୦୨୭ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନକୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଜିମ୍ବାୱେ ଏବଂ ଜଣେ କ୍ୱାଲିଫାୟର୍ ଦଳ ସହିତ ଗୋଟିଏ ଗ୍ରୁପ୍‌ରେ ରଖାଯାଇଛି। ସେହିପରି ଅନ୍ୟ ଗ୍ରୁପ୍‌ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଏବଂ ଜଣେ କ୍ୱାଲିଫାୟର୍ ଦଳ ରହିଛନ୍ତି।

ଉଭୟ ଗ୍ରୁପ୍‌ରୁ ଶ୍ରେଷ୍ଠ ୩ଟି ଲେଖାଏଁ ଦଳ ‘ସୁପର ୭’ ପର୍ଯ୍ୟାୟ ପାଇଁ କ୍ୱାଲିଫାୟ କରିବେ। ଏହାବ୍ୟତୀତ ଉଭୟ ଗ୍ରୁପ୍‌ର ଚତୁର୍ଥ ସ୍ଥାନରେ ରହିଥିବା ଦଳ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନ ପାଇବେ। ଏହାପରେ ‘ସୁପର ୭’ ପର୍ଯ୍ୟାୟରୁ ଟପ୍-୪ଟି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ ଏବଂ ଶେଷରେ ଫାଇନାଲ୍ ମୁକାବିଲା ଖେଳାଯିବ।