ଭାରତୀୟ ଜାହାଜ ଉପରେ ପୁଣି ଆକ୍ରମଣ! ଚିନ୍ତାରେ ଭାରତ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ଆମେରିକା ବ୍ୟାପାର) ଆମେରିକାର ପ୍ରତିନିଧିଙ୍କୁ ଡାକି ପଠାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପକ୍ଷରୁ ଆମେରିକା ମିଶନକୁ ସମନ କରାଯିବା ଏହା ଚଳିତ ସପ୍ତାହରେ ଦ୍ୱିତୀୟ ଥର ଅଟେ।

ନୂଆଦିଲ୍ଲୀ : ଓମାନ ଉପକୂଳରେ ୨୦ ଜଣ ଭାରତୀୟ କର୍ମଚାରୀ ଥିବା ଆଉ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ ହେବା ପରେ, ଭାରତ ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଆମେରିକାର ପ୍ରତିନିଧି (ଚାର୍ଜ ଡି’ଆଫେୟାର୍ସ) ଜେସନ୍ ମିକ୍ସଙ୍କୁ ସମନ କରିଛି (ଡାକି ପଠାଇଛି)। ଗଲ୍ଫ (ଉପସାଗର) ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ତାଙ୍କୁ ଡାକି ନିଜର ଆଭିମୁଖ୍ୟ ଶକ୍ତ କରିଛି।

ହର୍ମୁଜ ପ୍ରଣାଳୀ, ଓମାନ ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ରରେ କାମ କରୁଥିବା ପ୍ରାୟ ୧୮,୦୦୦ ଭାରତୀୟ ନାବିକଙ୍କ ପାଇଁ ‘ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିପିଂ’ (DGS) ପକ୍ଷରୁ ଏକ ନୂଆ ସାମୁଦ୍ରିକ ସୁରକ୍ଷା ନିର୍ଦ୍ଦେଶନାମା ଜାରି ହେବା ପରେ ଏହି ସମନ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଭାରତୀୟ କର୍ମୀ ଥିବା ଜାହାଜଗୁଡ଼ିକ ଉପରେ ନିକଟରେ ହୋଇଥିବା ୩ଟି ଆକ୍ରମଣକୁ ଦେଖି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି, ଯେଉଁଥିରୁ ଗୋଟିଏ ଆକ୍ରମଣରେ ୩ ଜଣ ନାବିକଙ୍କ ଜୀବନ ଯାଇଥିଲା।

ପ୍ରଥମ ଘଟଣାଟି ଜୁନ୍ ୮ ତାରିଖରେ ଘଟିଥିଲା, ଯେତେବେଳେ ଏକ ସନ୍ଦେହଜନକ ଆକ୍ରମଣ ପରେ ‘ଏମଟି ମାରିଭେକ୍ସ’ (MT Marivex) ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଥିଲା। ତେବେ ଏଥିରେ ଥିବା ସମସ୍ତ ୨୪ ଜଣ ଭାରତୀୟ କର୍ମୀ ସୁରକ୍ଷିତ ଥିଲେ। ଜୁନ୍ ୧୦ ତାରିଖରେ, ଓମାନ ଉପସାଗରରେ ‘ଏମଟି ସେଟେବେଲୋ’ (MT Settebello) ଜାହାଜ ଉପରକୁ ଗୁଳିମାଡ଼ ହୋଇଥିଲା, ଯେଉଁଥିରେ ୩ ଜଣ ଭାରତୀୟ ନାବିକ ପ୍ରାଣ ହରାଇଥିଲେ ଏବଂ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତୃତୀୟ ଆକ୍ରମଣଟି ଜୁନ୍ ୧୨ ତାରିଖରେ ‘ଏମଟି ଜଲ୍‌ବୀର’ (MT Jalveer) ଜାହାଜ ଉପରେ ହୋଇଥିବା ନେଇ ଖବର ଆସିଛି, ଯେଉଁଥିରେ ୨୦ ଜଣ ଭାରତୀୟ କର୍ମୀ ଅଛନ୍ତି। ଅଧିକାରୀମାନେ ଏହି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରିନାହାନ୍ତି।

ସାରା ବିଶ୍ୱରେ ୩.୨ ଲକ୍ଷରୁ ଅଧିକ ନାବିକଙ୍କ ସହ ଭାରତ ହେଉଛି ଦୁନିଆର ଦ୍ୱିତୀୟ ବୃହତ୍ତମ ନାବିକ ଶକ୍ତି। ସମୁଦ୍ର ପଥରେ ବିଗିଡ଼ୁଥିବା ସୁରକ୍ଷା ସ୍ଥିତି ଯୋଗୁଁ ଭାରତୀୟମାନେ ବେଶ୍ ବିପଦରେ ରହିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ଭାରତୀୟ ପତାକା ଥିବା ୧୩ଟି ଜାହାଜରେ ପ୍ରାୟ ୬୨୨ ଜଣ ଭାରତୀୟ ନାବିକ ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ନିକଟ ସମୁଦ୍ରରେ କାମ କରୁଛନ୍ତି।

ଗଲ୍ଫ (ଉପସାଗର) ଅଞ୍ଚଳରେ ମାଲବାହୀ ଜାହାଜଗୁଡ଼ିକରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆହୁରି ଦୃଢ଼ ଆନ୍ତର୍ଜାତୀୟ ପଦକ୍ଷେପ ଗ୍ରହଣ କରିବାକୁ ସରକାର ଚାପ ପ୍ରୟୋଗ କରିବା ଜାରି ରଖିବେ ବୋଲି କହିଛନ୍ତି।