ଅଧାରୁ ବନ୍ଦ ହେଲା ଭାରତ-ବାଂଲାଦେଶ U19 ମ୍ୟାଚ; ବୈଭବ ସୂର୍ଯ୍ୟବଂଶୀ ଭାଙ୍ଗିଲେ ବିରାଟ କୋହଲିଙ୍କ ବଡ଼ ରେକର୍ଡ
U19 World Cup 2026: ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ
ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୬ର ସପ୍ତମ ମ୍ୟାଚ୍ ଶନିବାର (ଜାନୁଆରୀ ୧୭) ବୁଲାୱାୟୋର କୁଇନ୍ସ ସ୍ପୋର୍ଟସ୍ କ୍ଲବରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହେବା ପରେ ଭାରତ ୩୯ ଓଭରରେ ୬ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା । ଭାରତର ଖେଳ ୧୧ରେ କୌଣସି ପରିବର୍ତ୍ତନ ହୋଇନଥିଲା । ଟସ୍ ସମୟରେ, ଉଭୟ ଅଧିନାୟକ ଆୟୁଷ ମହାତ୍ରେ ଏବଂ ମହମ୍ମଦ ଅଜିଜୁଲ ହାକିମ ତାମିମ୍ ହାତ ମିଳାଇ ନଥିଲେ ।
ଏହା ଗ୍ରୁପ୍ A ର ଦ୍ବିତୀୟ ମ୍ୟାଚ୍ । ଭାରତୀୟ ଦଳ ଆମେରିକାକୁ ପରାସ୍ତ କରି ତା’ର ଅଭିଯାନ ଆରମ୍ଭ କରିଥିଲା I ଏହି ମ୍ୟାଚ୍ ଜିତି ସେମାନେ ନିଜର ଗତି ବଜାୟ ରଖିବାକୁ ଚେଷ୍ଟା କରିବେ ।
ସେମାନେ ନ୍ୟୁଜିଲ୍ୟାଣ୍ଡ ସହିତ ମଧ୍ୟ ମୁକାବିଲା କରିବେ । ବାଂଲାଦେଶ ସେମାନଙ୍କର ୨୦୨୦ ପ୍ରଦର୍ଶନକୁ ଦୋହରାଇବାକୁ ଚେଷ୍ଟା କରିବ, ଯେତେବେଳେ ସେମାନେ ଭାରତକୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ । ଟି-୨୦ ବିଶ୍ୱକପ୍ ଉପରେ ଚାଲିଥିବା ବିତର୍କ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଦୁଇ ଦଳ ପରସ୍ପରର ମୁହାଁମୁହିଁ ହେଇଛନ୍ତି।
ଚଳିତ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ୨୭ତମ ଓଭରରେ ଏକ ବଡ଼ ସଟ୍ ଚେଷ୍ଟା କରିବା ସମୟରେ ସେ କ୍ୟାଚ୍ ହେଇଥିଲେ। ତଥାପି, ଆଉଟ ହେବା ପୂର୍ବରୁ, ସେ ମାତ୍ର ୬୭ ବଲ୍ ରୁ ୭୨ ରନ୍ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା।
୧୪ ବର୍ଷୀୟ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କ ଏକ ପ୍ରମୁଖ ରେକର୍ଡ ଭାଙ୍ଗିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଯୁବ ଦିନିକିଆରେ ସର୍ବାଧିକ ରନ ସ୍କୋରର ହୋଇ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।
ବିରାଟ କୋହଲି ଯୁବ ଦିନିକିଆରେ ୨୮ ମ୍ୟାଚ୍ ଖେଳି ୯୭୮ ରନ୍ କରିଛନ୍ତି, ଯେଉଁଥିରେ ୬ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ରହିଛି। ଏବେ, ବୈଭବ ସୂର୍ଯ୍ୟବଂଶୀ ଏହି କ୍ଷେତ୍ରରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି।
୧୯ ବର୍ଷରୁ କମ୍ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ୩୦ ବଲ୍ ର ଅର୍ଦ୍ଧଶତକ ସହିତ, ବୈଭବ ଯୁବ ଦିନିକିଆରେ ୧୦୦୦ ରନ୍ ଅତିକ୍ରମ କରିଥିଲେ। ସେ ମାତ୍ର ୨୦ ମ୍ୟାଚ୍ ରେ ଏହି ସଫଳତା ହାସଲ କରିଥିଲେ। ଏହା ବ୍ୟତୀତ, ବୈଭବ ସୂର୍ଯ୍ୟବଂଶୀ ଶତକ କ୍ଷେତ୍ରରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କର ଯୁବ ଦିନିକିଆରେ ମୋଟ ତିନୋଟି ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ଅଛି। ଏହି ଯୁବ ଭାରତୀୟ ସେନସେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି।
