ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଅକ୍ଟୋବରରୁ ଆରମ୍ଭ ହେବ ୧୨ ମ୍ୟାଚ୍‌ର ମେଗା ସିରିଜ୍, ଜାରି ହେଲା ସିଡ୍ୟୁଲ୍

ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଅକ୍ଟୋବରରୁ ଆରମ୍ଭ ହେବ ୧୨ ମ୍ୟାଚ୍‌ର ମେଗା ସିରିଜ୍

IND vs NZ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ଆଗାମୀ ବଡ଼ ସିରିଜ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ପୂର୍ବରୁ ଏହି ସିରିଜ୍ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସମ୍ପୂର୍ଣ୍ଣ ସେଡ୍ୟୁଲ୍ ଜାରି କରାଯାଇଛି। ଏହି ଦୀର୍ଘ ଗସ୍ତରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ଖେଳାଯିବ, ଯାହା ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

୨୨ ଅକ୍ଟୋବରରୁ ଟି-୨୦ ସିରିଜ୍‌ରୁ ହେବ ଆରମ୍ଭ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ଲମ୍ବା ସିରିଜ୍ ପ୍ରଥମେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରୁ ଆରମ୍ଭ ହେବ। ଏହି ସିରିଜ୍‌ରେ ମୋଟ ୫ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ୨୨ ଅକ୍ଟୋବରରେ ଖେଳାଯିବାକୁ ଥିବା ବେଳେ ଶେଷ ଟି-୨୦ ମ୍ୟାଚ୍ ୧ ନଭେମ୍ବରରେ ହାମିଲଟନ୍‌ଠାରେ ଅନୁଷ୍ଠିତ ହେବ।

ଏହା ପରେ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ୪ ନଭେମ୍ବରରେ ଅକ୍ଲ୍ୟାଣ୍ଡଠାରେ ଖେଳାଯିବ ଏବଂ ଶେଷ ମ୍ୟାଚ୍ ୧ ନଭେମ୍ବରରେ ହେବ। ସେହିପରି ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ୧୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨୭ ନଭେମ୍ବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ ଖେଳାଯିବ।

ଡବ୍ଲ୍ୟୁଟିସି ଏବଂ ବିଶ୍ୱକପ୍ ଦୃଷ୍ଟିରୁ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଏହି ସିରିଜ୍‌ର ସବୁଠାରୁ ଖାସ୍ କଥା ହେଉଛି, ଦିନିକିଆ ସିରିଜ୍ ଜରିଆରେ ଉଭୟ ଦଳ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିବେ। ଅପରପକ୍ଷରେ, ଟେଷ୍ଟ ସିରିଜ୍‌ଟି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅଧୀନରେ ଖେଳାଯିବ।

ବର୍ତ୍ତମାନ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍‌ରେ ଭାରତୀୟ ଦଳ ସାମାନ୍ୟ ପଛରେ ରହିଥିବାରୁ ଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ଏହି ଉଭୟ ଟେଷ୍ଟ ମ୍ୟାଚ୍ ଜିତିବାକୁ ହେବ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ମାଟିରେ କିୱି ଦଳକୁ ହରାଇବା ଭାରତ ପାଇଁ ଏତେ ସହଜ ହେବନାହିଁ।

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଇତିହାସର ସବୁଠାରୁ ଲମ୍ବା ଯାତ୍ରା

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟିଯାକ ଫର୍ମାଟ୍ ମିଶାଇ ମୋଟ ୧୨ଟି ମୁକାବିଲା ଖେଳାଯିବ। ଏହା ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଇତିହାସରେ ସବୁଠାରୁ ଦୀର୍ଘତମ ହୋମ୍ ସିରିଜ୍ ବା ଗସ୍ତ ହେବାକୁ ଯାଉଛି। ବର୍ଷ ୨୦୧୯ ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ମାଟିରେ ଟେଷ୍ଟ ସିରିଜ୍ ଖେଳିବ। ଭାରତୀୟ ସିରିଜ୍ ଶେଷ ହେବା ପରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କା ଦଳକୁ ମଧ୍ୟ ଆତିଥ୍ୟ ପ୍ରଦାନ କରିବ।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ର ସମ୍ପୂର୍ଣ୍ଣ ସେଡ୍ୟୁଲ୍:

ଟି-୨୦ ସିରିଜ୍ କାର୍ଯ୍ୟସୂଚୀ:

  • ୧ମ T20I: ୨୨ ଅକ୍ଟୋବର – କ୍ରାଇଷ୍ଟଚର୍ଚ୍ଚ
  • ୨ୟ T20I: ୨୪ ଅକ୍ଟୋବର – କ୍ରାଇଷ୍ଟଚର୍ଚ୍ଚ
  • ୩ୟ T20I: ୨୭ ଅକ୍ଟୋବର – ୱେଲିଂଟନ
  • ୪ର୍ଥ T20I: ୩୦ ଅକ୍ଟୋବର – ଅକ୍ଲ୍ୟାଣ୍ଡ
  • ୫ମ T20I: ୧ ନଭେମ୍ବର – ହାମିଲଟନ୍

ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ:

  • ୧ମ ODI: ୪ ନଭେମ୍ବର – ଅକ୍ଲ୍ୟାଣ୍ଡ
  • ୨ୟ ODI: ୭ ନଭେମ୍ବର – ୱେଲିଂଟନ
  • ୩ୟ ODI: ୧୦ ନଭେମ୍ବର – ହାମିଲଟନ୍
  • ୪ର୍ଥ ODI: ୧୩ ନଭେମ୍ବର – ମାଉଣ୍ଟ ମାଉଙ୍ଗାନୁଇ
  • ୫ମ ODI: ୧୫ ନଭେମ୍ବର – ମାଉଣ୍ଟ ମାଉଙ୍ଗାନୁଇ

ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ:

  • ୧ମ ଟେଷ୍ଟ: ୧୯ ରୁ ୨୩ ନଭେମ୍ବର – ୱେଲିଂଟନ
  • ୨ୟ ଟେଷ୍ଟ: ୨୭ ନଭେମ୍ବର ରୁ ୧ ଡିସେମ୍ବର – କ୍ରାଇଷ୍ଟଚର୍ଚ୍ଚ