ଦ୍ୱିତୀୟ ଦିନିକିଆ ପାଇଁ ତୟାର ଟିମ୍ ଇଣ୍ଡିଆ, କେବେ ଓ କେଉଁଠି ହେବ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ପ୍ରଥମ ବିଜୟ ପରେ ଦ୍ୱିତୀୟ ଲଢ଼େଇ ପାଇଁ ଭାରତ ପ୍ରସ୍ତୁତ, କେବେ ଓ କେଉଁଠି ହେବ ମ୍ୟାଚ୍? ଜାଣନ୍ତୁ ପୁରା ଡିଟେଲ୍ସ।

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲା କିୱି ଟିମ୍। ମାତ୍ର ୧୮୫ ରନ୍‌ରେ ଅଲଆଉଟ୍ ହୋଇଥିଲା ନ୍ୟୁଜିଲାଣ୍ଡ।

ଏହାପରେ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ଭାରତ। ରୋହିତ ଶର୍ମା ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ ମଧ୍ୟ ବିରାଟ କୋହଲିଙ୍କ ଦମଦାର ୭୪ ରନ୍‌ର ଇନିଂସ୍ ଦଳର ବିଜୟକୁ ସହଜ କରିଥିଲା।

ଏବେ ସମସ୍ତଙ୍କ ନଜର ଦ୍ୱିତୀୟ ଦିନିକିଆ ଉପରେ। ତେବେ କେବେ ଓ କେଉଁଠି ଖେଳାଯିବ ଏହି ମ୍ୟାଚ୍? କେତେବେଳେ ହେବ ଟସ୍ ଏବଂ କେଉଁଠି ଦେଖିପାରିବେ ଲାଇଭ୍ ମ୍ୟାଚ୍? ଜାଣନ୍ତୁ ସବୁ ତଥ୍ୟ।

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ କମାଲ: ପ୍ରଥମ ଦିନିକିଆରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷ କରି ଅଂଶୁଲ କାମ୍ବୋଜଙ୍କ ବୋଲିଂ ସମସ୍ତଙ୍କ ମନ ଜିଣିଥିଲା। ସେ ୧୦ ଓଭରରେ ମାତ୍ର ୨୨ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା।

ସେହିପରି ଅର୍ଶଦୀପ ସିଂହ ଆରମ୍ଭରୁ ୱିକେଟ୍ ନେଇ ନ୍ୟୁଜିଲାଣ୍ଡକୁ ଝଟକା ଦେଇଥିଲେ। ଯଦିଓ ସେ ଭାରତ ପକ୍ଷରୁ ସବୁଠାରୁ ଅଧିକ ରନ୍ ବ୍ୟୟ କରିଥିଲେ, ତଥାପି ଦଳର ବୋଲିଂ ବିଭାଗର ସାମୂହିକ ପ୍ରଦର୍ଶନ କିୱି ଟିମ୍‌କୁ ବଡ଼ ସ୍କୋର କରିବାକୁ ଦେଇନଥିଲା।

ବ୍ୟାଟିଂରେ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଆସିଥିଲା ଆକର୍ଷଣୀୟ ଅର୍ଦ୍ଧଶତକ। ସେ ୭୪ ରନ୍ କରି ଭାରତର ବିଜୟରେ ବଡ଼ ଭୂମିକା ନେଇଥିଲେ। ଅଧିନାୟକ ଶୁଭମନ ଗିଲ୍‌ ମଧ୍ୟ ଭଲ ଲୟରେ ନଜର ଆସିଥିଲେ। ଏହି ବିଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତର ବିଜୟ ଧାରା ଜାରି ରହିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।

କେବେ ଖେଳାଯିବ ଦ୍ୱିତୀୟ ଦିନିକିଆ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଦିନିକିଆ ନଭେମ୍ବର ୭ ତାରିଖ ଶନିବାର ଖେଳାଯିବ। ଏଥର ଦୀପାବଳି ନଭେମ୍ବର ୮ ତାରିଖ ରବିବାର ପଡ଼ୁଥିବାରୁ ଛୋଟ ଦୀପାବଳି ଦିନ ହିଁ ଭାରତ-କିୱି ମଧ୍ୟରେ ଏହି ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିବ।

କେଉଁଠି ହେବ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍: ଦ୍ୱିତୀୟ ଦିନିକିଆ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ସ୍ଥିତ ୱେଲିଂଟନ୍ ରିଜିଓନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ। ଅନ୍ୟପଟେ ସିରିଜ୍‌ରେ ଆଗୁଆ ରହିବା ପାଇଁ ଭାରତୀୟ ଦଳ ମଧ୍ୟ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

କେତେବେଳେ ଆରମ୍ଭ ହେବ ମ୍ୟାଚ୍: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହି ମ୍ୟାଚ୍‌ର ସମୟ ମଧ୍ୟ ଜାଣିବା ଜରୁରୀ। ନ୍ୟୁଜିଲାଣ୍ଡର ସ୍ଥାନୀୟ ସମୟ ଅନୁସାରେ ମ୍ୟାଚ୍ ଅପରାହ୍ନ ୩ଟାରେ ଆରମ୍ଭ ହେବ। ଭାରତୀୟ ସମୟ ଅନୁସାରେ ଏହା ସକାଳ ୭ଟା ୩୦ ମିନିଟ୍‌ରେ ଆରମ୍ଭ ହେବ। ଏଥିପାଇଁ ଟସ୍ ସକାଳ ୭ଟାରେ ପଡ଼ିବ।

ଉଭୟ ଦଳର ସମ୍ଭାବ୍ୟ ଖେଳାଳି ତାଲିକା: 

ଭାରତୀୟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ (ୱିକେଟ୍‌କିପର), ଅକ୍ଷର ପଟେଲ, କୁଲଦୀପ ଯାଦବ, ଶ୍ରେୟସ ଆୟର, ଈଶାନ କିଶନ (ୱିକେଟ୍‌କିପର), ନମନ ଧୀର, ମହମ୍ମଦ ସିରାଜ, ଋତୁରାଜ ଗାଏକୱାଡ଼, ଅର୍ଶଦୀପ ସିଂହ, ଆକିବ ନବୀ, ଅଂଶୁଲ କାମ୍ବୋଜ ଓ ଗୁରନୂର ବରାଡ଼।

ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ଟମ୍ ଲାଥମ୍ (ୱିକେଟ୍‌କିପର), ଡେଭନ୍ କନୱେ, ଡାରିଲ ମିଚେଲ, ହେନରୀ ନିକୋଲ୍ସ, ଜାକବ୍ ଡଫି, ମ୍ୟାଟ୍ ହେନରୀ, ୱିଲ୍ ୟଙ୍ଗ୍, ମାଇକେଲ ବ୍ରେସୱେଲ, କାଇଲ୍ ଜେମିସନ୍, ଟିମ୍ ସିଫର୍ଟ (ୱିକେଟ୍‌କିପର), ଗ୍ଲେନ୍ ଫିଲିପ୍ସ, ବ୍ଲେୟାର ଟିକନର, ନାଥନ୍ ସ୍ମିଥ୍ ଓ ମାଥ୍ୟୁ ଫିସର।

କେଉଁଠି ଦେଖିବେ ମ୍ୟାଚର ସିଧା ପ୍ରସାରଣ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆର ଲାଇଭ୍ ଟେଲିକାଷ୍ଟ ସୋନି ସ୍ପୋର୍ଟସ୍ ନେଟୱର୍କର ଚ୍ୟାନେଲ୍‌ଗୁଡ଼ିକରେ ଦେଖିପାରିବେ ଦର୍ଶକ। ସେହିପରି ମୋବାଇଲ୍ ଓ ଅନଲାଇନ୍‌ରେ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ପାଇଁ ସୋନିଲିଭ୍ ଆପ୍ ଏବଂ ୱେବସାଇଟ୍‌ର ସହାୟତା ନେଇପାରିବେ।

ଏବେ ଦେଖିବାକୁ ବାକି ରହିଲା, ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳ କିପରି ପ୍ରତ୍ୟାବର୍ତ୍ତନ କରୁଛି, ନା ଭାରତ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍‌ରେ ନିଜ ସ୍ଥିତି ଆହୁରି ମଜବୁତ କରୁଛି।