ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ରିଟାୟର୍ଡ ହର୍ଟ ହେଲେ ରାହୁଲ, ଦେବଦତ୍ତ ପଡିକ୍କଲଙ୍କ ଶତକ

ଭାରତ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସିଥିଲେ କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ। ଉଭୟ ପ୍ରଥମ ୱିକେଟରେ ୪୭ ରନ୍ ଯୋଡ଼ିଥିଲେ

ଗଲ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଶନିବାର ଗଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ନିଜର ପ୍ରଥମ ଇନିଂସରେ ୨ ୱିକେଟ ହରାଇ ୨୮୮ ରନ୍ କରିଛି। ଦେବଦତ୍ତ ପଡିକ୍କଲ ୧୩୩ ରନ୍ ଓ ଋଷଭ ପନ୍ତ ୨୭ ରନ କରି ଅପରାଜିତ ଅଛନ୍ତି। ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୭୩ ଓଭର ଖେଳ ହୋଇଥିଲା।

ଭାରତ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସିଥିଲେ କେଏଲ୍ ରାହୁଲ ଓ ଯଶସ୍ୱୀ ଜୟସ୍ୱାଲ। ଉଭୟ ପ୍ରଥମ ୱିକେଟରେ ୪୭ ରନ୍ ଯୋଡ଼ିଥିଲେ। ଯଶସ୍ୱୀ ଜୟସ୍ୱାଲ ୩୨ ରନ କରି ରନ୍ ଆଉଟ୍ ହେବା ପରେ ଏହି ଭାଗୀଦାରି ଭାଙ୍ଗିଥିଲା।

ଯଶସ୍ୱୀଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଦେବଦତ୍ତ ପଡ଼ିକ୍କଲ। ସେ କେଏଲ୍ ରାହୁଲ ସହ ମିଶି ଭାରତୀୟ ଇନିଂସକୁ ସମ୍ଭାଳିଥିଲେ। ଲଞ୍ଚ ପର‌୍ୟ୍ୟନ୍ତ ଭାରତର ସ୍କୋର ୧୦୧/୧ ରହିଥିଲା। ଲଞ୍ଚ ପରେ ବର୍ଷା ଓ ଓଦା ଆଉଟଫିଲ୍ଡ ଯୋଗୁଁ ଦୀର୍ଘ ସମୟ ପର‌୍ୟ୍ୟନ୍ତ ଖେଳ ବନ୍ଦ ରହିଥିଲା।

ପଡିକ୍କଲ ଓ ରାହୁଲଙ୍କ ଦମଦାର ବ୍ୟାଟିଂ: ଖେଳ ପୁଣି ଆରମ୍ଭ ହେବା ପରେ ଦେବଦତ୍ତ ପଡିକ୍କଲ ଓ କେଏଲ୍ ରାହୁଲ ପୁଣି ଥରେ ଭଲ ଲୟରେ ନଜର ଆସିଥିଲେ। ପଡିକ୍କଲ ୮୧ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେହିପରି ରାହୁଲ ୧୨୭ଟି ବଲ୍‌ର ସାମ୍ନା କରି ୫୦ ରନ୍‌ରେ ପହଞ୍ଚିଥିଲେ। ଦ୍ୱିତୀୟ ସେସନରେ ଏହି ଦୁଇ ବ୍ୟାଟର ଶ୍ରୀଲଙ୍କା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ।

କ୍ରାମ୍ପସ୍ ଯୋଗୁଁ ରିଟାୟର୍ଡ ହର୍ଟ ହେଲେ ରାହୁଲ: ଚା’ ବିରତି ପରେ ଭାରତୀୟ ଦଳର ଚିନ୍ତା ବଢ଼ି ଯାଇଥିଲା। କେଏଲ ରାହୁଲଙ୍କୁ କ୍ରାମ୍ପ୍ସ ହେବାରୁ ସେ ପଡ଼ିଆ ଛାଡ଼ିଥିଲେ। ରିଟାୟର୍ଡ ହର୍ଟ ହେବା ପୂର୍ବରୁ ରାହୁଲ ୧୬୨ଟି ବଲ୍‌ରେ ୭୭ ରନ୍ କରିଥିଲେ। ରାହୁଲ ପଡ଼ିଆ ଛାଡ଼ିବା ପରେ ଦେବଦତ୍ତ ପଡିକ୍କଲ ଅଧିନାୟକ ଶୁଭମନ ଗିଲଙ୍କ ସହ ମିଶି ଭାରତୀୟ ଇନିଂସକୁ ଆଗକୁ ନେଇଥିଲେ। ପଡିକ୍କଲ ୧୩୪ଟି ବଲ୍‌ରେ ନିଜର ଶତକ ପୂରଣ କରିଥିଲେ। ତାଙ୍କ ଶତକୀୟ ଇନିଂସରେ ୯ଟି ଚୌକା ଏବଂ ଗୋଟିଏ ଛକା ରହିଥିଲା।

ତେବେ ଅଧିନାୟକ ଶୁଭମନ ଗିଲ୍ ବେଶୀ ସମୟ କ୍ରିଜ୍‌ରେ ରହିପାରିନଥିଲେ। ସେ ୧୬ ରନ୍‌ର ବ୍ୟକ୍ତିଗତ ସ୍କୋରରେ ପ୍ରଭାତଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ ଦେବଦତ୍ତ ପଡିକ୍କଲଙ୍କ ସାଥ ଦେବା ପାଇଁ ପଡ଼ିଆକୁ ଆସିଥିଲେ ଋଷଭ ପନ୍ତ। ଉଭୟ ମିଶି ଭାରତୀୟ ଟିମ୍‌କୁ ଆଗକୁ ନେଇଥିଲେ। କୌଣସି କ୍ଷତି ହେବାକୁ ଦେଇନଥିଲେ। ଦିନ ଶେଷ ସୁଦ୍ଧା ଭାରତ ୨ ୱିକେଟ୍‌ରେ ୨୮୮ ରନ୍ କରି ଦୃଢ଼ ସ୍ଥିତିରେ ରହିଛି।