‘ଆତଙ୍କବାଦୀଙ୍କ ଆଗରେ ଭାରତ କେବେବି ମୁଣ୍ଡ ନୁଆଁଇବ ନାହିଁ’

ଏପ୍ରିଲ୍ ୨୨ ତାରିଖରେ ଅତି ବୀଭତ୍ସ ଭାବେ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ

ନୂଆଦିଲ୍ଲୀ: ୨୦୨୫ ମସିହା ଆଜିର ତାରିଖରେ ରକ୍ତ ରଞ୍ଜିତ ହୋଇଥିଲା କଶ୍ମୀର ପହଲଗାମ । ଏପ୍ରିଲ୍ ୨୨ ତାରିଖରେ ଅତି ବୀଭତ୍ସ ଭାବେ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ଏକ ବର୍ଷ ବିତି ଯାଇଛି । ହେଲେ ଏବେବି ସେହି ରକ୍ତ ପହଲଗାମର ଛାତିରେ ଲାଗି ରହିଛି । ଏହି ଲୋମ ଟାଙ୍କୁରା ଘଟଣାର ପ୍ରଥମ ବର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସନ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ନିର୍ଦୋଷ ଲୋକମାନଙ୍କ ମୃତ୍ୟୁକୁ କେବେ ଭୁଲି ହେବନାହିଁ। ପହଲଗାମ ଆକ୍ରମଣରେ ନିର୍ଦୋଷ ଲୋକମାନେ ଜୀବନ ହାରାଇଥିଲେ । ସେମାନଙ୍କୁ କେବେ ଭୁଲିହେବନାହିଁ। ଭାରତ କୌଣସି ପ୍ରକାର ଆତଙ୍କବାଦ ସମ୍ମୁଖରେ କେବେ ମୁଣ୍ଡ ନୁଆଁଇବ ନାହିଁ।

୨୦୨୫ ଏପ୍ରିଲ ୨୨ ତାରିଖକୁ ସମ୍ଭବତଃ ଦେଶ କେବେ ଭୁଲି ପାରିବ ନାହିଁ। ବର୍ଷେ ତଳେ କଶ୍ମୀରର ପହଲଗାମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ବୈସାରଣ ଘାଟିରେ ୨୬ ଜଣ ପର‌୍ୟ୍ୟଟକଙ୍କୁ ହତ୍ୟା କରିଥିଲେ। ସେହି ଦିନ ବୈସାରଣ ଉପତ୍ୟକାର ସୁନ୍ଦର ପରିବେଶ ହଠାତ୍ ଚିତ୍କାର ଓ ବିସ୍ଫୋରଣରେ ଧୂଆଁମୟ ହୋଇଯାଇଥିଲା।

ଏହି ହୃଦୟବିଦାରକ ଘଟଣା ସମଗ୍ର ଦେଶକୁ ହତବାକ କରିଦେଇଥିଲା। ଅନେକ ପରିବାର ନଷ୍ଟ ହୋଇଯାଇଥିଲେ। ଘଟଣା ପରେ ସମଗ୍ର ଦେଶରେ ଆକ୍ରୋଶ ପ୍ରକାଶ ପାଇଥିଲା । ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଥିଲା।

ବର୍ଷେ ତଳେ ଘଟିଥିବା ସେହି ଦୃଶ୍ୟ ମନେ ପଡ଼ିଲେ ମନ ଭୟଭୀତ ହୋଇଯାଉଛି। ପହଲଗାମ ଆକ୍ରମଣର ପ୍ରଥମ ବର୍ଷିକୀରେ ଘାଟିରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସେନା ଆଲର୍ଟରେ ରହିଛି। ପର‌୍ୟ୍ୟଟନ ସ୍ଥଳଗୁଡ଼ିକରେ ସୁରକ୍ଷା କଠୋର କରାଯାଇଛି। ତନାଘନାକୁ କଡ଼ାକଡ଼ି କରାଯାଇଛି ।

ଏହି ଘଟଣାରେ ପାକିସ୍ତାନର ହାତ ଥିଲା ଭାରତ ସ୍ପଷ୍ଟ କରିଥିଲା । ତା’ପରେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ୨୦୨୫ ମେ ୭ ତାରିଖ ରାତି ୨ଟା ବେଳେ ପାକିସ୍ତାନ କବ୍ଚାରେ ଥିବା କଶ୍ମୀର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ ଏୟାରଷ୍ଟ୍ରାଇକ୍ କରିଥିଲା । ଯାହାଫଳରେ ଭାରତ ଓ ପାକିସ୍ତାନ ଭିତରେ ୪ରୁ ୩ ଦିନ ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା । ଭାରତ ୧୦୦ରୁ ଅଧିକ ଆତଙ୍କୀ ଆଡ୍ଡା ନଷ୍ଟ କରିଥିଲା । ଏହାଛଡ଼ା ପାକିସ୍ତାନରେ ବ୍ୟାପକ ନଷ୍ଟ କରିଥିଲା ଭାରତ ।