ଯୁଦ୍ଧବିରତି ସତ୍ତ୍ୱେ ଭାରତୀୟଙ୍କୁ ଇରାନ ଛାଡିବା ପାଇଁ ନିର୍ଦ୍ଦେଶ

ଇରାନରେ ଥିବା ଭାରତୀୟଙ୍କ ପାଇଁ ବଡ଼ ଖବର: ତୁରନ୍ତ ଦେଶ ଛାଡ଼ିବାକୁ କେନ୍ଦ୍ର ସରକାରଙ୍କ ଆଡଭାଇଜରୀ!

ନୂଆ ଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲେ ସୁଦ୍ଧା, ସେଠାରେ ରହୁଥିବା ନିଜ ନାଗରିକଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ବଡ଼ ଚିନ୍ତା ପ୍ରକଟ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏକ ଟ୍ରାଭେଲ ଆଡଭାଇଜରୀ (Travel Advisory) ଜାରି କରାଯାଇଛି, ଯେଉଁଥିରେ ସମସ୍ତ ଭାରତୀୟଙ୍କୁ ଅତିଶୀଘ୍ର ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ସତର୍କ କରାଯାଇଛି ଯେ, ପୂର୍ବରୁ ପରାମର୍ଶ ନକରି କେହି ବି ନିଜ ଇଚ୍ଛାରେ ଆନ୍ତର୍ଜାତୀୟ ସ୍ଥଳ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଦୂତାବାସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବିନା ଆଲୋଚନା କିମ୍ବା ସମନ୍ୱୟ ରକ୍ଷା ନକରି କୌଣସି ବି ସୀମା ନିକଟକୁ ଯିବା ଉଚିତ ନୁହେଁ। ସହାୟତା ପାଇଁ ଦୂତାବାସ କିଛି ଜରୁରୀକାଳୀନ ଯୋଗାଯୋଗ ନମ୍ବର ଏବଂ ଏକ ସ୍ୱତନ୍ତ୍ର ଇମେଲ୍ ହେଲ୍ପଲାଇନ୍ ମଧ୍ୟ ଜାରି କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା ହୋଇଥିଲେ ସୁଦ୍ଧା, ସେହି ଅଞ୍ଚଳରେ ଲାଗିରହିଥିବା ଭୂ-ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ସତର୍କ ସୂଚନା ବା ଆଡଭାଇଜରୀ ଜାରି କରାଯାଇଛି।