ପରଲୋକରେ ଇଣ୍ଡିଆନ୍ ଆଇଡଲ୍ ୩ ବିଜେତା ପ୍ରଶାନ୍ତ ତମାଙ୍ଗ, ୪୩ ବର୍ଷରେ ହୃଦଘାତରେ ମୃତ୍ୟୁ
ପରଲୋକରେ ଇଣ୍ଡିଆନ୍ ଆଇଡଲ୍ ୩ ବିଜେତା ପ୍ରଶାନ୍ତ ତମାଙ୍ଗ
Prashant Tamang: ଇଣ୍ଡିଆନ୍ ଆଇଡଲ୍ ୩ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପାଇଁ ପୁରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି।
ପ୍ରଶାନ୍ତ ତମାଙ୍ଗଙ୍କ ଦେହାନ୍ତ: ଦିଲ୍ଲୀର ଜନକପୁରୀ ସ୍ଥିତ ନିଜ ଘରେ ପ୍ରଶାନ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ହୃଦଘାତ ପରେ ତାଙ୍କୁ ଦ୍ୱାରକାର ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ସେ ଘରକୁ ଫେରିଥିଲେ । ମାତ୍ର ଘରକୁ ଫେରିବାର କିଛି ସମୟ ପରେ ତାଙ୍କର ହୃଦଘାତ ଆସିଥିଲା । ତେବେ ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା।
ପ୍ରଶାନ୍ତ ତମାଙ୍ଗଙ୍କ ଯାତ୍ରା: ପ୍ରଶାନ୍ତଙ୍କ ଜନ୍ମ ଜାନୁଆରୀ ୪, ୧୯୮୩ ରେ ହୋଇଥିଲା। ସେ କମ୍ ବର୍ଷ ବୟସରେ ତାଙ୍କ ପିତାଙ୍କୁ ହରାଇଥିଲେ। ପରିବାର ପ୍ରତିପୋଷଣ ପାଇଁ, ସେ ପରେ କୋଲକାତା ପୋଲିସରେ କନଷ୍ଟେବଳ ଭାବରେ କାମ କରିଥିଲେ। ସେଠାରେ ସେ ପୋଲିସ ଅର୍କେଷ୍ଟ୍ରା ସହିତ ଗୀତ ଗାଇଥିଲେ।
୨୦୦୭ ମସିହାରେ ପ୍ରଶାନ୍ତ ଇଣ୍ଡିଆନ୍ ଆଇଡଲ୍ ୩ ପାଇଁ ଅଡିସନ୍ ଦେଇଥିଲେ। ଏହି ଅଡିସନ୍ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ଶୋ’ ଜିତିଥିଲେ ଏବଂ ଘରେ ଘରେ ପରିଚିତ ହୋଇଯାଇଥିଲେ। ଇଣ୍ଡିଆନ୍ ଆଇଡଲ୍ ଜିତିବା ପରେ, ତମାଙ୍ଗ ତାଙ୍କର ଆଲବମ୍ “ଧନ୍ୟମ୍” ପ୍ରକାଶ କରିଥିଲେ ଏବଂ ଦେଶ ଏବଂ ବିଦେଶରେ ଅନେକ ଶୋ’ରେ ପ୍ରଦର୍ଶନ କରିଥିଲେ।
ତା’ପରେ ସେ ସଙ୍ଗୀତରେ ତାଙ୍କର କ୍ୟାରିଅର୍ ଗଢ଼ିଥିଲେ । ନିଜକୁ ଜଣେ ପ୍ଲେବ୍ୟାକ୍ ଏବଂ ଲାଇଭ୍ ପ୍ରଦର୍ଶକ ଭାବରେ ପ୍ରତିଷ୍ଠିତ କରିଥିଲେ।
ସଲମାନ ଖାନଙ୍କ ଫିଲ୍ମରେ ନଜର ଆସିବେ: ସେ ଅଭିନୟରେ ମଧ୍ୟ ନିଜର କଳା ଦେଖାଇଛନ୍ତି । ୨୦୧୦ର ନେପାଳୀ ହିଟ୍ ଫିଲ୍ମ ଗୋର୍ଖା ପଲଟନରେ ସେ ଡେବ୍ୟୁ କରିଥିଲେ। ସେ ଅଙ୍ଗାଲୋ ଯୋ ମାୟା କୋ, କିଣା ମାୟା ମା, ନିଶାନୀ, ପରଦେଶୀ ଭଳି ଫିଲ୍ମରେ ଅଭିନୟ କରିଥିଲେ।
ସେ ପାତାଲ୍ ଲୋକ ୨ ରେ ମଧ୍ୟ ଅଭିନୟ କରିଥିଲେ । ସେଥିରେ ତାଙ୍କ ଭୂମିକାକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ । ଭବିଷତରେ ସେ ସଲମାନ ଖାନଙ୍କ ଫିଲ୍ମ ବ୍ୟାଟେଲ ଅଫ୍ ଗାଲୱାନରେ ନଜର ଆସିବେ।
