୨୯ ଫୁଟ୍ ଲମ୍ବା ନଖ ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡ କଲେ ଭାରତୀୟ

ଜଣେ ଭାରତୀୟ ବ୍ୟକ୍ତି ୬୬ ବର୍ଷ ଧରି ନିଜ ହାତର ନଖ ନକାଟି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି।

ଭୁବନେଶ୍ୱର: ୬୬ ବର୍ଷ ଧରି ନଖ ନକାଟି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଜଣେ ଭାରତୀୟ । ସେ ନିଜ ବାମ ହାତର ନଖକୁ ବଢ଼ାଇ ଏହି ରେକର୍ଡ କରିଛନ୍ତି। ଏହି ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ପୁଣେର ଶ୍ରୀଧର ଚିଲ୍ଲାଲ। ସେ ୧୯୫୨ ମସିହାରୁ ନଖ କାଟିନଥିବା କୁହାଯାଉଛି।

ସୂଚନା ଅନୁସାରେ, ସ୍କୁଲରେ ପଢ଼ୁଥିବା ସମୟରେ ଜଣେ ଶିକ୍ଷକ ତାଙ୍କୁ ଲମ୍ବା ନଖ ରଖିବା ଓ ଏହାର ଯତ୍ନ ନେବାକୁ ନେଇ ଆହ୍ୱାନ ଦେଇଥିଲେ। ଏହାପରେ ଶ୍ରୀଧର ନଖ ନକାଟିବାର ନିଷ୍ପତ୍ତି ନେଇଥିଲେ। ଦୀର୍ଘ ବର୍ଷ ଧରି ନଖ ବଢ଼ାଇ ସେ ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲେ।

ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁସାରେ, ତାଙ୍କ ବାମ ହାତର ୫ଟି ନଖର ମୋଟ ଲମ୍ବ ୯୦୯.୬ ସେଣ୍ଟିମିଟର ବା ପ୍ରାୟ ୨୯ ଫୁଟ ୧୦ ଇଞ୍ଚ ଥିଲା। ଏଥିରେ ତାଙ୍କ ବୁଢ଼ା ଆଙ୍ଗୁଠିର ନଖ ସବୁଠାରୁ ଲମ୍ବା ଥିଲା। ଏହାର ଲମ୍ବ ୧୯୭.୮ ସେଣ୍ଟିମିଟର ରେକର୍ଡ କରାଯାଇଥିଲା।

ଶ୍ରୀଧର କହିଥିଲେ ଯେ, ଏତେ ଲମ୍ବା ନଖ ଯୋଗୁଁ ତାଙ୍କ ଦୈନନ୍ଦିନ ଜୀବନ ବହୁତ କଷ୍ଟକର ହୋଇଯାଇଥିଲା। ସେ ପେସାରେ ଜଣେ ଫଟୋଗ୍ରାଫର ଥିଲେ। କ୍ୟାମେରା ଚଳାଇବା ସମୟରେ ତାଙ୍କୁ ଅନେକ ସମସ୍ୟା ହେଉଥିଲା। ତେଣୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଭାବେ ତିଆରି କ୍ୟାମେରା ବ୍ୟବହାର କରିବାକୁ ପଡ଼ୁଥିଲା।

ଲମ୍ବା ନଖର ଓଜନ ଯୋଗୁଁ ତାଙ୍କ ବାମ ହାତ ମଧ୍ୟ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତଥାପି ସେ ଦୀର୍ଘ ୬୬ ବର୍ଷ ଧରି ନିଜ ନଖକୁ ନକାଟି ରଖିଥିଲେ।

ଶେଷରେ ୨୦୧୮ ମସିହାରେ ୬୬ ବର୍ଷ ପରେ ସେ ନିଜ ଲମ୍ବା ନଖ କାଟିଥିଲେ। ଏହି ଐତିହାସିକ ନଖଗୁଡ଼ିକୁ ଏବେ ଆମେରିକାର ନ୍ୟୁୟର୍କର ଏକ ସଂଗ୍ରହାଳୟରେ ସଂରକ୍ଷିତ କରାଯାଇ ପ୍ରଦର୍ଶିତ କରାଯାଉଛି।