fbpx

ଚୀନକୁ ତାରି ଭାଷାରେ ଜବାବ ଦେବ ଭାରତ, ଦକ୍ଷିଣ ଚୀନ ସାଗରରେ ମୁତୟନ କରିବ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନକୁ ତାରି ଭାଷାରେ ଜବାବ ଦେବ ଭାରତ । ଦକ୍ଷିଣ ଚୀନ ସାଗରରେ ଚୀନକୁ ଦବଦବାକୁ ଜବାବ ଦେବା ଏବଂ ଡ୍ରାଗନର ପତିଆରାକୁ ପ୍ରତିହତ କରିବା ପାଇଁ ଭାରତ ପଦକ୍ଷେପ ନେବା ଆରମ୍ଭ କରିଛି । ପୂର୍ବ ଏସିଆ ଦେଶଗୁଡିକ ସହ ନିଜର ସୁରକ୍ଷା ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ଦକ୍ଷିଣ ଚୀନ ସାଗରରେ ନୌସୈନିକ ଟାସ୍କ ଫୋର୍ସ ସହ ଯୁଦ୍ଧା ଜାହାଜ ମୁତୟନ କରିବାକୁ ଯାଉଛି ।

ଭାରତୀୟ ସେନା ପାରମ୍ପରିକ ଭାବେ ଚୀନକୁ ବିରୋଧ କରିନଥାଏ । ମାତ୍ର ଲଦାଖରେ ସୈନ୍ୟ ସଂଘର୍ଷ ପରେ ଚୀନକୁ ନେଇ ଭାରତୀୟ ସେନାର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ସେନା ଏବେ ଡ୍ରାଗନ ବିରୋଧରେ କଠୋର ହେବା ସହ ପ୍ରତି ଜବାବ ପାଇଁ ନୂତନ ରଣନୀତି ଆପଣଉଛି । ଚୀନ ବିରୋଧରେ ଆମେରିକା ମଧ୍ୟ ଭାରତକୁ ଖୋଲା ସମର୍ଥନ ଦେଉଛି ।

ନୌସେନା ନିଜର ବୟାନରେ କହିଛି ଯେ, ଏକ ଗାଇଡେଡ୍ ମିସାଇଲ ବିଧ୍ୱଂସକ ଏବଂ ଗୋଟିଏ ଫ୍ରିଗେଟ ମିସାଇଲ ସହିତ ଚାରୋଟି ଜାହାଜକୁ ଦୁଇ ମାସ ପାଇଁ ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଚୀନ ସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ମୁତୟନ କରାଯିବ । ଏହାକୁ ନେଇ ନୌସେନା କହିଛି, ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ନିଆଯାଉଛି । ମିତ୍ର ଦେଶ ମଧ୍ୟରେ ତାଳମେଳ ଏବଂ ଉତ୍ତମ ସମନ୍ୱୟ ରଖିବା ଆମର ଉଦ୍ଦେଶ୍ୟ । ନୌସେନା କହିଛି, ଭାରତୀୟ ଜାହାଜ ଗୁଆମ ତଟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ବାର୍ଷିକ ସମରାଭ୍ୟାସରେ ଅଂଶ ଗ୍ରହଣ କରିବ ।

ଚୀନର ବିସ୍ତାରବାଦ ନୀତି ଉପରେ ଲାଗିବ ଲଗାମ

ଦକ୍ଷିଣ ଚୀନ ସାଗରରେ ଚୀନର ଆଭିମୁଖ୍ୟରେ ପୂର୍ବ ଏସିଆର ଅନେକ ଦେଶ ଅତିଷ୍ଠ ହୋଇଗଲେଣି । ନିକଟ ଦିନରେ ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ଚୀନ ମଧ୍ୟରେ ମାହୋଲ ଉତ୍ତେଜାନପୂର୍ଣ୍ଣ ରହିଥିଲା । ଚୀନ ଏଠାରେ ଅନେକ ଅଞ୍ଚଳକୁ ବେଆଇନ ଭାବେ ନିଜର ବୋଲି ଦାବି କରୁଛି । ଏହାକୁ ପୂର୍ବ ଏସିଆ ଦେଶ ଓ ଆମେରିକା ଖଣ୍ଡନ କରି ଆସିଛନ୍ତି । ସୂଚନାଯୋଗ୍ୟ, ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମରିକା ଏକତର୍ କ୍ୱାଡ ଗ୍ରୁପ୍ ଗଠନ କରିଛନ୍ତି । ଏହାର ଉଦ୍ଦେଶ୍ୟ ଚୀନର ବିସ୍ତାରବାଦୀ ନୀତି ଉପରେ ଲଗାମ, ଲଗାଇବା ।

Get real time updates directly on you device, subscribe now.