fbpx

ପଦକ ବିଜେତାଙ୍କୁ ସମ୍ମାନିତ କଲା କ୍ରୀଡା ମନ୍ତ୍ରଣାଳୟ ; ଭାବୁକ ହେଲେ ରିଜିଜୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତୀୟ ଆଥଲେଟ । ବିଶ୍ୱ ବକ୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଫେରିଥିବା ଖେଳାଳି ମାନଙ୍କୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ କରାଯାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଥିଲେ ସମସ୍ତ ଖେଳାଳି । ଏଠାରେ ଆରଟି ପିସିଆର ଟେଷ୍ଟ ପରେ ଖେଳାଳି ମାନଙ୍କୁ ଅଶୋକା ହୋଟେଲକୁ ନିଆଯାଇଥିଲା । ସେଠାରେ ସମସ୍ତ ପଦକ ବିଜେତାଙ୍କୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା । ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେଣ ରିଜିଜ୍ଜୁଙ୍କ ସହିତ ଅନୁରାଗ ଠାକୁର ଏବଂ ନିଶୀଥ ପରମାଣିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ବଜରଙ୍ଗ ପୁନିଆଙ୍କୁ ପ୍ରଥମେ ପୁରସ୍କୃତ କରାଯାଇଥିବା ବେଳେ ଆସାମର ଲଭଲିନା ବୋର୍ଗୋହେନଙ୍କୁ ପରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତୀୟ ହକି ଦଳ, ପିଭି ସିନ୍ଧୁଙ୍କ ସହିତ ରବି ଦାହିୟା, ମୀରାବାଇ ଚାନୁ ଏବଂ ସୁନାପୁଅ ନୀରଜ ଚୋପ୍ରାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ଆଥଲେଟ ମାନେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଯୋଗ ଦେବେ । ଏହି ଅବସରରେ ପୂର୍ବତନ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜ୍ଜୁ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।

Get real time updates directly on you device, subscribe now.