ଭାରତୀୟ ରେଳବାଇର ନୂଆ ନିୟମ: ଏହି ୮ଟି ପରିବର୍ତ୍ତନ ବିଷୟରେ ଜାଣନ୍ତୁ
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇ ପାଇଁ ଆଠଟି ପ୍ରମୁଖ ସଂସ୍କାର ଘୋଷଣା କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମାଲ୍ ପରିବହନ (freight), ଲଜିଷ୍ଟିକ୍ସ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ଆହୁରି ବଢ଼ାଇବାରେ ସହାୟକ ହେବ।
ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଭାରତୀୟ ରେଳବାଇର ମାଲ ପରିବହନ, ଲଜିଷ୍ଟିକ୍ସ, ପ୍ରକଳ୍ପ କାର୍ଯ୍ୟକାରିତା ଏବଂ ଦକ୍ଷତା ବିକାଶକୁ ଅଧିକ ସୁଦୃଢ଼ କରିବା ପାଇଁ ୮ଟି ବଡ଼ ସଂସ୍କାର ଘୋଷଣା କରିଛନ୍ତି। ରେଳ ମନ୍ତ୍ରଣାଳୟର ‘୫୨ ସପ୍ତାହରେ ୫୨ ସଂସ୍କାର’ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ରେଳବାଇର କାର୍ଯ୍ୟପ୍ରଣାଳୀକୁ ଆଧୁନିକ କରିବା ଓ କାର୍ଯ୍ୟଦକ୍ଷତା ବଢ଼ାଇବା। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୧୭ଟି ସଂସ୍କାର କାର୍ଯ୍ୟକାରୀ କରାଯାଇଛି।
ଗଣମାଧ୍ୟମକୁ ସମ୍ବୋଧିତ କରି ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ସଂସ୍କାରଗୁଡ଼ିକ ମଧ୍ୟରେ ପ୍ରକ୍ରିୟାଗତ ଏବଂ ଗଠନମୂଳକ ଉଭୟ ପ୍ରକାରର ପରିବର୍ତ୍ତନ ରହିଛି। ପ୍ରକ୍ରିୟାଗତ ସଂସ୍କାର ରେଳବାଇର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁଦୃଢ଼ କରିବ, ଯେତେବେଳେ ଗଠନମୂଳକ ସଂସ୍କାର ଦ୍ୱାରା ସେବାର ମାନ ବୃଦ୍ଧି ସହ ଶିଳ୍ପ କ୍ଷେତ୍ରର ଅଂଶଗ୍ରହଣ ବଢ଼ିବ।
ନୂଆ ବ୍ୟବସ୍ଥା ଅନୁଯାୟୀ, ଥର୍ମାଲ ପାୱାର ପ୍ଲାଣ୍ଟରୁ ବାହାରୁଥିବା ଫ୍ଲାଏ ଆଶ୍ ପରିବହନ ପାଇଁ କଣ୍ଟେନର ଆଧାରିତ ପ୍ରଣାଳୀ ଆରମ୍ଭ କରାଯାଇଛି। ପୂର୍ବରୁ ଖୋଲା ୱାଗନରେ ଫ୍ଲାଏ ଆଶ୍ ପରିବହନ କରାଯାଉଥିବାରୁ ଧୂଳି ପ୍ରଦୂଷଣ ଏବଂ ମାଲ ଖାଲି କରିବାରେ ସମସ୍ୟା ଦେଖାଦେଉଥିଲା। ନୂଆ ବ୍ୟବସ୍ଥାରେ ପାୱାର ପ୍ଲାଣ୍ଟରୁ ସିଧାସଳଖ କଣ୍ଟେନରରେ ଲୋଡିଂ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥାରେ ସହଜରେ ଅନଲୋଡିଂ କରାଯିବ, ଯାହା ଦ୍ୱାରା ପ୍ରଦୂଷଣ କମିବ।
ସାର ପରିବହନ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଗୋଟିଏ ସ୍ଥାନରେ ସମ୍ପୂର୍ଣ୍ଣ ରେକ୍କୁ ରଖି ମାଲ ଖାଲି କରିବାକୁ ପଡ଼ୁଥିଲା। ବର୍ତ୍ତମାନ ଆବଶ୍ୟକତା ଅନୁଯାୟୀ ଅଲଗା ଅଲଗା କଣ୍ଟେନରରୁ ସାର ଖାଲି କରାଯାଇପାରିବ। ଏହା ଦ୍ୱାରା ଲଜିଷ୍ଟିକ୍ସ ବ୍ୟବସ୍ଥା ଓ ଗୋଦାମ ପରିଚାଳନା ଅଧିକ ସୁବିଧାଜନକ ହେବ।
Uttarakhand Govt.
ପେଟ୍ରୋଲିୟମ ସାମଗ୍ରୀ ପରିବହନ ପାଇଁ ତୈଳ କମ୍ପାନୀଗୁଡ଼ିକୁ ସ୍ୱତନ୍ତ୍ର ରେଳ ୱାଗନ କିଣିବା କିମ୍ବା ଲିଜ୍ରେ ନେବାକୁ ଅନୁମତି ଦିଆଯାଇଛି। ଏହା ଫଳରେ ପରିବହନ ଖର୍ଚ୍ଚ କମିବ, ଯୋଗାଣ ବ୍ୟବସ୍ଥା ଅଧିକ ସୁଚାରୁ ହେବ ଏବଂ ସଡ଼କ ପରିବହନ ପରିବର୍ତ୍ତେ ରେଳ ମାଧ୍ୟମରେ ଅଧିକ ପେଟ୍ରୋଲିୟମ ସାମଗ୍ରୀ ପରିବହନକୁ ପ୍ରୋତ୍ସାହନ ମିଳିବ।
ଖାଦ୍ୟଶସ୍ୟ, ଅଟା ଓ ଡାଲି ପରିବହନ ପାଇଁ ପୂର୍ବରୁ ଥିବା ସ୍ଲାବ୍ ଆଧାରିତ ଭଡ଼ା ବ୍ୟବସ୍ଥାକୁ ବଦଳାଇ ପ୍ରତି ଟନ୍ ପ୍ରତି କିଲୋମିଟର ଆଧାରରେ ସରଳ ଭଡ଼ା ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ସହ ଏହି ସାମଗ୍ରୀଗୁଡ଼ିକୁ କଣ୍ଟେନରରେ ପରିବହନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି, ଯାହା ଦ୍ୱାରା ମାଲ ପରିଚାଳନା ଓ ବଣ୍ଟନ ଅଧିକ ସହଜ ହେବ।
କଣ୍ଟେନର ଟ୍ରେନ୍ ଚଳାଉଥିବା ସଂସ୍ଥାମାନଙ୍କ ପାଇଁ ଥିବା ବିଭିନ୍ନ ବର୍ଗ ଆଧାରିତ କଟକଣାକୁ ହଟାଇ ଦିଆଯାଇଛି। ବର୍ତ୍ତମାନ ସେମାନେ ସମଗ୍ର ରେଳ ନେଟୱର୍କରେ ସେବା ଚଳାଇପାରିବେ। ଏହାସହ ସମସ୍ତଙ୍କ ପାଇଁ ଏକକାଳୀନ ୨୫ କୋଟି ଟଙ୍କାର ଫେରସ୍ତ ନ ହେଉଥିବା ପଞ୍ଜୀକରଣ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି।
ଏହି ସଂସ୍କାର ଅଧୀନରେ ରେଳ ପ୍ରକଳ୍ପରେ କାମ କରୁଥିବା ଶ୍ରମିକଙ୍କ ପାଇଁ ନୂଆ ଦକ୍ଷତା ପ୍ରମାଣପତ୍ର ବ୍ୟବସ୍ଥା ଆରମ୍ଭ କରାଯାଇଛି। ସେହିପରି ନୂତନ ୱାଗନ ଡିଜାଇନ୍କୁ ପ୍ରୋତ୍ସାହନ ଦେବା ପାଇଁ ଅନୁମୋଦନ ନୀତିରେ ପରିବର୍ତ୍ତନ କରାଯାଇଛି। ଠିକାଦାରଙ୍କ ଅଂଶଗ୍ରହଣ ବଢ଼ାଇବା, ବିବାଦ କମାଇବା ଏବଂ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ପାଇଁ ମଧ୍ୟ ନୂଆ ପଦକ୍ଷେପ ନିଆଯାଇଛି।

