fbpx

ଦ୍ୱିତୀୟ ଟି-୨୦: ଲଢେଇ କରି ହାରିଲେ ଭାରତୀୟ ମହିଳା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାକୁ ଜିତି ନେଇଛି ଘରୋଇ ଦଳ । ୧୧୯ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅପରାଜିତ ୪୨ ରନ ସହିତ ଟାହିଲା ମ୍ୟାକଗ୍ରାଥ ବିଜୟରେ ବଡ ଭୂମିକା ନିଭାଇଥିଲେ । ଭାରତ ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ ୨୧ ରନର ୩ଟି ୱିକେଟ ନେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା । ଭାରତୀୟ ଖେଳାଳିଙ୍କ ଉପରେ ଅଷ୍ଟ୍ରେଲୀୟ ବୋଲର ଭାରି ପଡିଥିଲେ । ଭାରତ ମାତ୍ର ୨୪ ରନରେ ୩ ଓ ୫୦ ରନରେ ଟପ୍-୪ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା । ଏପରିକି ଭାରତ ପକ୍ଷରୁ ମାତ୍ର ୩ ଜଣ ଖେଳାଳି ଦୁଇ ଅଙ୍କରେ ପହଞ୍ଚିଥିଲେ । ହରମନପ୍ରୀତ କୌର(୨୮), ଦୀପ୍ତି ଶର୍ମା(୧୬) ଓ ପୂଜା ବସ୍ତ୍ରକାର(୩୭)ଙ୍କ ଅବଦାନ ଫଳରେ ଭାରତ ୧୦୦ ରନ ଅତିକ୍ରମ କରିଥିଲେ । ଭାରତ ୮୧ ରନରେ ୯ ୱିକେଟ ହରାଇଥିବା ବେଳେ ପୂଜା ବସ୍ତ୍ରକାର ୨୬ ବଲରୁ ୩୭ ରନ କରିଥିଲେ । ପୂଜାଙ୍କ ଇନିଂସରେ ୩ଟି ଛକା ଓ ଦୁଇଟି ଚୌକା ସାମିଲ ଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସୋଫି ମୋଲିନକ୍ସ ଓ ଭାଲେମିଙ୍କ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଗାର୍ଡନର, ନିକୋଲା କେରୀ ଓ ୱେୟାରହାମ ପ୍ରତ୍ୟୋକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ମାତ୍ର ୧୧୯ ରନର ଲକ୍ଷ୍ୟ ରହିଥିଲେ ହେଁ ଭାରତୀୟ ବୋଲର ଚମକ୍ରାର ପ୍ରଦର୍ଶନ କରି ମ୍ୟାଚକୁ ଅନ୍ତିମ ଓଭରକୁ ନେଇଥିଲେ । ତେବେ ନିମ୍ନକ୍ରମରେ ଟାହିଲା ମ୍ୟାକଗ୍ରାଥ ୩୩ ବଲରୁ ୪୨ ରନ କରି ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲେ । ରାଜେଶ୍ୱରୀ ଗାଏକ୍ୱାଡ ମାତ୍ର ୨୧ ରନ ବ୍ୟୟରେ ୩ ୱିକେଟ ନେଇଥିବା ବେଳେ ଶିଖା ପାଣ୍ଡେ, ହରମନପ୍ରୀତ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।ଟାହିଲା ମ୍ୟାକଗ୍ରାଥଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.