fbpx

ଓମିକ୍ରନ କାରଣରୁ ଗୋଟିଏ ସପ୍ତାହ ଘୁଞ୍ଚିପାରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ : ବର୍ତ୍ତମାନ କୋଭିଡ୍-୧୯ର ନୂତନ ସ୍ୱରୂପ ଓମିକ୍ରନକୁ ନେଇ ସମଗ୍ର ଦୁନିଆ ଚିନ୍ତିତ । ଏହି ନୂତନ ଭାରିଏଣ୍ଟ ଅନେକ ଦେଶରେ ଲକଡାଉନ୍ ଭଳି ପରିସ୍ଥିତି ସୃଷ୍ଟି କରିଛି । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ଏହି ଭାରିଏଣ୍ଟର ପ୍ରଭାବ ଭାରତୀୟ କ୍ରିକେଟ୍ ଦଳର ଗସ୍ତ ଉପରେ ପଡିଛି । ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଘୁଞ୍ଚାଯାଇପାରେ ।  ଦକ୍ଷିଣ ଆଫ୍ରିକାରେ କୋଭିଡ୍-୧୯ର ନୂତନ ଭାରିଏଣ୍ଟ କାରଣରୁ ଏହି ନିଷ୍ପତ୍ତି ନିଆଯାଇପାରେ । ବିସିସିଆଇର ଜୈନକ ଅଧିକାରୀ ଗୁରୁବାର ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ଦୁଇ ବୋର୍ଡ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନେଇ ପାରନ୍ତି । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି ।

ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ କୋଭିଡ୍ର ଓମିକ୍ରନ ଭାରିଏଣ୍ଟ କାରଣରୁ ସିରିଜିକୁ ଗୋଟିଏ ସପ୍ତାହ ଆଗକୁ ଘୁଞ୍ଚାଇବା ଉପରେ ବିଚାର କରୁଛୁ । ଦୁଇ ବୋର୍ଡ ନିୟମିତ ଯୋଗାଯୋଗରେ ଅଛନ୍ତି । ଆମ ପାଇଁ ଆମ ଖେଳାଳିଙ୍କ ସୁରକ୍ଷା ସର୍ବୋପରି । ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିବ । ଏହା ପୂର୍ବରୁ କେନ୍ଦ୍ରୀୟ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ବିସିସିଆଇକୁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସରକାରଙ୍କ ପରାମର୍ଶ ନେବା ଉଚିତ୍ ।

ସେ କହିଥିଲେ, କେବଳ ବିସିସିଆଇ ନୁହେଁ ଯେ କୌଣସି ବୋର୍ଡ ସେହି ଦେଶକୁ ନିଜର ଦଳ ପଠାଇବା ପୂର୍ବରୁ ଭାରତ ସରକାରଙ୍କ ପରାମର୍ଶ ନେବା ଉଚିତ୍ । ଓମିକ୍ରନ ଭାରିଏଣ୍ଟ ଯେଉଁ ଦେଶରେ ଚିହ୍ନଟ ହେଉଛନ୍ତି, ସେହି ଦେଶକୁ ଦଳ ପଠାଯିବା ଉଚିତ୍ ନୁହେଁ । ଯଦି ବିସିସିଆଇ ଆମଠୁ ପରାମର୍ଶ ଲୋଡେ ତେବେ ଏହା ଉପରେ ବିଚାର କରାଯିବ ବୋଲି ଅନୁରାଗ ଠାକୁର କହିଥିଲେ ।

 

Get real time updates directly on you device, subscribe now.