ଶକ୍ତିଶାଳୀ ଭୂକମ୍ପ; ୩୮ ମୃତ, ଧ୍ୱଂସାବଶେଷ ତଳେ ପରିବାରକୁ ଖୋଜୁଛନ୍ତି ସମ୍ପର୍କୀୟ
ସିକ୍କା, ପଶ୍ଚିମ ମଙ୍ଗରାଇ ଓ ପୂର୍ବ ମଙ୍ଗରାଇର ପ୍ରଭାବିତ ଅଞ୍ଚଳରୁ ଅତି କମରେ ୨୦ଟି ମୃତଦେହ ଉଦ୍ଧାର କରାଯାଇଛି
ଜାକାର୍ତ୍ତା: ଶନିବାର ଭୋର ସମୟରେ ଇଣ୍ଡୋନେସିଆରେ ହୋଇଛି ଶକ୍ତିଶାଳୀ ଭୂକମ୍ପ। ଯାହାର ତୀବ୍ରତା୭.୭ ରହିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ମଧ୍ୟ ଅନେକ ମାଟି ତଳେ ଫସି ରହିଥିବା ଅନୁମାନ କରାଯାଉଛି। ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି। ସ୍ଥିତିକୁ ଦେଖିଲେ ମୃତ୍ୟୁ ସଂଖ୍ୟ ବଢ଼ିପାରେ ବୋଲି ଆକଳନ କରାଯାଇଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍ଜିଏସ୍) ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୫ଟା ୫୮ ମିନିଟ୍ ହେବ। ଇଣ୍ଡୋନେସିଆର ଫ୍ଲୋରେସ୍ ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଥିଲା। ଏହାର କେନ୍ଦ୍ରସ୍ତଳ ପୂର୍ବନୁସା ତେଙ୍ଗାରା ପ୍ରଦେଶର ଏଣ୍ଡେ ସହରଠାରୁ ୬୮ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମରେ ରହିଥିଲା। ପ୍ରାରମ୍ଭିକ ଭୂକମ୍ପ ପରେ ଅନେକ ଥର ଝଟକା ଅନୁଭୂତ ହୋଇଥିଲା।
ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏଜେନ୍ସିର ମୁଖ୍ୟ ଫତାହୁର ରହମାନ କହିଛନ୍ତି; ସିକ୍କା, ପଶ୍ଚିମ ମଙ୍ଗରାଇ ଓ ପୂର୍ବ ମଙ୍ଗରାଇର ପ୍ରଭାବିତ ଅଞ୍ଚଳରୁ ଅତି କମରେ ୨୦ଟି ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ମଙ୍ଗରାଇର ରେଓକ ଗାଁରେ ମାଟି ତଳୁ ୮ଟି ମୃତଦେହ କରାଯାଇଛି।
ଧ୍ୱଂସାବଶେଷ ତଳେ ଲୋକ ଚାପି ହୋଇଥିବା ଆଶଙ୍କା: ଫତାହୁର ରହମାନ କହିଛନ୍ତି; ଧ୍ୱଂସାବଶେଷ ତଳେ ଆଉ ଦୁଇ ଜଣ ଗ୍ରାମବାସୀ ଚାପି ହୋଇଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀମାନେ ଏବେ ମଧ୍ୟ ଅଭିଯାନ ଚଳାଇଛନ୍ତି।
ପୂର୍ବ ନୁସା ତେଙ୍ଗାରାର ପୋଲିସ ମୁଖ୍ୟ ରୁଡି ଦାର୍ମୋକୋ କହିଛନ୍ତି; ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ କୋଠା ଭୁଶୁଡ଼ି ପଡ଼ିଛି। ସହର ଓ ଗାଁ ଗୁଡ଼ିକରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ନିଖୋଜମାନଙ୍କୁ ଖୋଜାଖୋଜି ଓ ଉଦ୍ଧାର ଅଭିଯାନ ଚାଲିଛି।


