ସକାଳୁ ସକାଳୁ ଦୋହଲିଲା ପୃଥିବୀ, ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ
ରବିବାର ସକାଳ ୫ଟା ୭ ମିନିଟ୍ରେ ଅନୁଭୂତ ହେଲା ୫.୨ ତୀବ୍ରତାର ଭୂକମ୍ପ। ହଠାତ୍ ଝଟକାରେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ିଲେ ଲୋକେ, ୧୦ କିମି ଗଭୀରତାରେ ରହିଥିଲା ଭୂକମ୍ପର କେନ୍ଦ୍ର।
ନୂଆଦିଲ୍ଲୀ: ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ ଝଟକା। ଆଖି ଖୋଲୁ ଖୋଲୁ ସବୁ କିଛି ଦୋହଲିଲା। ଭୟରେ ଘରୁ ବାହାରି ଏଣେ ତେଣେ ଦୌଡିଲେ ଲୋକେ।
ହଁ ଆଜ୍ଞା ରବିବାର ସକାଳୁ ଭୂକମ୍ପରେ ଥରି ଉଠିଲା ଇଣ୍ଡୋନେସିଆ। ହଠାତ୍ ଭୂମିକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି।
ଭାରତର ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS) ଅନୁଯାୟୀ, ରବିବାର ସକାଳ ୫ଟା ୭ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂପୃଷ୍ଠଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ର ରହିଥିବା ସୂଚନା ମିଳିଛି।
ସକାଳୁ ଅଧିକାଂଶ ଲୋକ ନିଜ ଘରେ ଥିବା ସମୟରେ ହଠାତ୍ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଘରଦ୍ୱାର ଦୋହଲିବା ସହ ଭୂମି ଥରିବାରୁ ଲୋକେ ଭୟଭୀତ ହୋଇପଡ଼ିଥିଲେ।
ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକ ଘର ଭିତରୁ ବାହାରକୁ ଦୌଡ଼ି ଆସିଥିଲେ। ଫଳରେ ବିଭିନ୍ନ ସ୍ଥାନରେ ଆତଙ୍କ ଓ ଅସ୍ଥିରତାର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଇଣ୍ଡୋନେସିଆ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏହା ପ୍ରଶାନ୍ତ ମହାସାଗରର ‘ରିଙ୍ଗ୍ ଅଫ୍ ଫାୟାର୍’ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ଅନୁଭୂତ ହୋଇଥାଏ। ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକର ଗତିବିଧି ଯୋଗୁଁ ଏହି ଅଞ୍ଚଳରେ ଭୂକମ୍ପର ଆଶଙ୍କା ଅଧିକ ରହିଥାଏ।
ତେବେ ଏହି ଭୂକମ୍ପ ଯୋଗୁଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି, କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ଏଯାଏଁ କୌଣସି ନିଶ୍ଚିତ ସୂଚନା ମିଳିନାହିଁ।

