IPL ୨୦୨୭ ଅକ୍ସନ୍ ଡେଟ୍ ଲିକ୍! ଏହି ଦିନ ଗୋଆରେ ହେବ ଆୟୋଜନ
କ୍ରିକ୍ବଜ୍ର ରିପୋର୍ଟ ଅନୁସାରେ, BCCIର ଲଜିଷ୍ଟିକ୍ସ ଟିମ୍ ପଠାଇଥିବା ହ୍ୱାଟ୍ସଆପ୍ ମେସେଜ୍ରୁ IPL ୨୦୨୭ ଖେଳାଳି ନିଲାମର ସମ୍ଭାବ୍ୟ ତାରିଖ ଓ ସ୍ଥାନ ବିଷୟରେ ସୂଚନା ମିଳିଛି।
ନୂଆଦିଲ୍ଲୀ: IPL ୨୦୨୭ ପାଇଁ ଖେଳାଳି ନିଲାମ ଡିସେମ୍ବର ୧୬ ତାରିଖରେ ଗୋଆର ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ହେବ। କ୍ରିକ୍ବଜ୍ର ରିପୋର୍ଟ ଅନୁସାରେ, BCCIର ଲଜିଷ୍ଟିକ୍ସ ଟିମ୍ ପଠାଇଥିବା ଏକ ହ୍ୱାଟ୍ସଆପ୍ ମେସେଜ୍ରୁ ଏହି ତାରିଖ ସାମ୍ନାକୁ ଆସିଛି।
ତେବେ ନିଲାମର ତାରିଖ ଓ ସ୍ଥାନକୁ ନେଇ ଏପର୍ଯ୍ୟନ୍ତ ଫ୍ରାଞ୍ଚାଇଜି ମାଲିକ କିମ୍ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ଙ୍କୁ କୌଣସି ଔପଚାରିକ ଇମେଲ୍ ପଠାଯାଇନାହିଁ।
BCCI ପକ୍ଷରୁ ପଠାଯାଇଥିବା ହ୍ୱାଟ୍ସଆପ୍ ମେସେଜ୍ରେ କୁହାଯାଇଛି ଯେ, IPL ୨୦୨୭ ପାଇଁ ଖେଳାଳି ନିଲାମ ୧୬ ଡିସେମ୍ବର ୨୦୨୬ରେ ଗୋଆର ITC ଗ୍ରାଣ୍ଡ ଗୋଆ ହୋଟେଲରେ ଆୟୋଜିତ ହେବ।
ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୧୫ରେ ନିଲାମ ସମ୍ପର୍କିତ ବ୍ରିଫିଂ ଅନୁଷ୍ଠିତ ହେବ। ଏକାଧିକ IPL ଫ୍ରାଞ୍ଚାଇଜି କ୍ରିକ୍ବଜ୍କୁ ଏହି ମେସେଜ୍ ମିଳିଥିବା ନିଶ୍ଚିତ କରିଛନ୍ତି।
BCCI ଏହି ମେସେଜ୍ ପଠାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଫ୍ରାଞ୍ଚାଇଜିଗୁଡ଼ିକ ଯେପରି ସମୟ ପୂର୍ବରୁ ଯାତାୟାତ ଓ ରହଣି ବ୍ୟବସ୍ଥା କରିପାରିବେ। ଖୁବ୍ଶୀଘ୍ର IPL ଫ୍ରାଞ୍ଚାଇଜି ମାଲିକ ଓ CEOମାନଙ୍କୁ ଏନେଇ ଔପଚାରିକ ସୂଚନା ପଠାଯିବ ବୋଲି ଆଶା କରାଯାଉଛି।
ତେବେ ଡିସେମ୍ବର ୧୬ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ତେଣୁ IPL ୨୦୨୭ ଖେଳାଳି ନିଲାମର ତାରିଖରେ ପରିବର୍ତ୍ତନ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ।
ଏପର୍ଯ୍ୟନ୍ତ ଏନେଇ BCCI ପକ୍ଷରୁ ଔପଚାରିକ ଘୋଷଣା ହୋଇନଥିବାରୁ ଚୂଡ଼ାନ୍ତ ତାରିଖକୁ ନେଇ ଅପେକ୍ଷା ଜାରି ରହିଛି।


