ଯୁଦ୍ଧବିରତି ପରେ ଭାରତ ଓ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଲା ଇରାନ

ଇରାନ ରାଷ୍ଟ୍ରପତିଙ୍କ ସହ ତିନିଥର କଥା ହେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହିତ ପ୍ରାୟ ୪୦ ଦିନ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହେବା ପରେ, ଇରାନ ଏହି ସମୟ ମଧ୍ୟରେ ଭାରତ ଏବଂ ଭାରତୀୟଙ୍କ ଭୂମିକାକୁ ଖୁବ୍ ପ୍ରଶଂସା କରିଛି। ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମଜିଦ ହକିମ ଇଲାହି କହିଛନ୍ତି ଯେ, ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦେଶର ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ସହ ଅତିକମରେ ତିନିଥର କଥା ହୋଇଥିଲେ। ଇଲାହି ଯୁଦ୍ଧ ସମୟରେ ଇରାନ ପ୍ରତି ଭାରତୀୟଙ୍କ ସମର୍ଥନକୁ ଖୁବ୍ ତାରିଫ କରିବା ସହ ଇରାନରେ ରହୁଥିବା ଭାରତୀୟମାନେ ସେମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା ବୋଲି କହିଛନ୍ତି। ସେ ଭାବବିହ୍ୱଳ ହୋଇ କହିଛନ୍ତି, “ଭାରତରେ ଥିବା ଆମର ଭାଇ ଓ ଭଉଣୀମାନଙ୍କ ବିଷୟରେ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ସେମାନଙ୍କ କଥା ମନେ ପଡ଼ିଲେ ମୋ ଆଖିରେ ଲୁହ ଆସିଯାଏ। ସେମାନେ ଅତି ଚମତ୍କାର ଏବଂ ଅସାଧାରଣ ମଣିଷ।”

ଆମେରିକା ସହ ଯୁଦ୍ଧବିରତି (Ceasefire) ହୋଇଥିଲେ ମଧ୍ୟ ଇରାନରେ ପରିସ୍ଥିତି ଏବେ ବି ସମ୍ପୂର୍ଣ୍ଣ ସ୍ୱାଭାବିକ ଜଣାପଡୁନାହିଁ। ଏହି କାରଣରୁ ଭାରତ ନିଜ ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି। କିନ୍ତୁ ଅବଦୁଲ ମଜିଦ ହକିମ ଇଲାହି ଭରସା ଦେଇଛନ୍ତି ଯେ, ଭାରତୀୟଙ୍କ ସୁରକ୍ଷା ତାଙ୍କ ଦେଶର ମୁଖ୍ୟ ଦାୟିତ୍ୱ। ସେ କହିଛନ୍ତି, “ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ମୁଁ ତେହେରାନରେ ଥିବା ଆମ ଲୋକଙ୍କୁ ବାର୍ତ୍ତା ପଠାଇଥିଲି ଯେ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉ। ମୁଁ ତେହେରାନରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଧନ୍ୟବାଦ ଜଣାଉଛି, କାରଣ ସେଠାରେ ସମସ୍ତ ଭାରତୀୟ ଛାତ୍ର ସୁରକ୍ଷିତ ଥିଲେ। ଭାରତୀୟ ଭାଇ-ଭଉଣୀଙ୍କ ଯତ୍ନ ନେବା ମୋର କର୍ତ୍ତବ୍ୟ ଓ ଦାୟିତ୍ୱ।”

ଅନ୍ୟପଟେ, ଯୁଦ୍ଧବିରତିରେ ପାକିସ୍ତାନ ଏବଂ ଚୀନର ଭୂମିକାକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଇରାନର ଏହି ନେତା କେବଳ ଏତିକି କହିଛନ୍ତି ଯେ, କିଛି ଦେଶ ଏକଜୁଟ ହୋଇ ଯୁଦ୍ଧ ବନ୍ଦ କରିବାରେ ଭଲ ଭୂମିକା ଗ୍ରହଣ କରିଛନ୍ତି। କୁହାଯାଉଛି ଯେ, ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ କରିବା ପଛରେ ପାକିସ୍ତାନ ସହ ଚୀନ୍ ଅସଲ ଖେଳାଳି ସାଜିଛି, ଯିଏ ଉଭୟ ପକ୍ଷକୁ ବର୍ତ୍ତମାନ ପାଇଁ ଶାନ୍ତ ରହିବାକୁ ପ୍ରସ୍ତୁତ କରିଛି।