ଶେଷ ହୋଇପାରେ ଯୁଦ୍ଧ: ଜାଣନ୍ତୁ କେମିତି ହେବ ଆମେରିକା ଓ ଇରାନ ଶାନ୍ତି ଚୁକ୍ତି
ଇରାନୀ ଅଧିକାରୀଙ୍କ ଦାବି ଅନୁଯାୟୀ; ଆମେରିକା ଫ୍ରିଜ କରିଥିବା ପ୍ରାୟ ୨୫ ଅରବ ଡଲାର ଫଣ୍ଡକୁ ରିଲିଜ କରିବା ପାଇଁ ରାଜି ହୋଇଛି
ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ମାସ ମାସ ଧରି ଚାଲିଥିବା ଟଣାଓଟରା ଏବେ ଶେଷ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ବୁଝାମଣାର ଗୋଟିଏ ଡ୍ରାଫ୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ପରମାଣୁ କାର୍ୟ୍ୟକ୍ରମଠାରୁ ଆରମ୍ଭ କରି ତେଲ ବ୍ୟବସାୟ, ହୋର୍ମୁଜ ଷ୍ଟ୍ରେଟ ଓ ଅରବୋ ଡଲାର ଫ୍ରିଜ କରାଯାଇଥିବା ପର୍ୟ୍ୟନ୍ତ ଅନେକ ବଡ଼ ପ୍ରସଙ୍ଗରେ ସହମତି ହେବାର ଦାବି କରାଯାଇଛି।
ରୟଟର୍ସର ରିପୋର୍ଟ ଅନୁସାରେ, ପ୍ରସ୍ତାବିତ ଚୁକ୍ତିନାମା ଅନୁଯାୟୀ ଇରାନ ପ୍ରତିଶ୍ରୁତି ଦେଇଛି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବ ନାହିଁ। କିମ୍ବା ଅନ୍ୟ କୌଣସି ଉପାୟରେ ସେଗୁଡ଼ିକୁ ହାସଲ କରିବାକୁ ଚେଷ୍ଟା କରିବ ନାହିଁ। ଏହା ଆମେରିକାର ସବୁଠୁ ବଡ଼ ଦାବି ମଧ୍ୟରୁ ଗୋଟିଏ ଥିଲା।
୨୫ ଅରବ ଡଲାର ଫ୍ରିଜଡ ଫଣ୍ଡ ଇରାନ ପାଇପାରିବ
ଇରାନୀ ଅଧିକାରୀଙ୍କ ଦାବି ଅନୁଯାୟୀ; ଆମେରିକା ଫ୍ରିଜ କରିଥିବା ପ୍ରାୟ ୨୫ ଅରବ ଡଲାର ଫଣ୍ଡକୁ ରିଲିଜ କରିବା ପାଇଁ ରାଜି ହୋଇଛି। ଏଥିରେ ଡାଇରେକ୍ଟ କ୍ୟାଶ ଟ୍ରାନ୍ସଫର, ଆଞ୍ଚଳିକ ଦେଶଗୁଡିକର ସହଯୋଗ ଓ ଆର୍ଥିକ କ୍ରେଡିଟ ଲାଇନ ଭଳି ବ୍ୟବସ୍ଥା ସାମିଲ ହୋଇପାରେ। ଏହା ବ୍ୟତୀତ ଆମେରିକା କିଛି ସମୟ ପାଇଁ ଇରାନ ଉପରେ ଲାଗିଥିବା ତେଲ ପ୍ରତିବନ୍ଧକକୁ କୋହଳ କରିବ। ଏହା ଦ୍ୱାରା ଇରାନ ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ତେଲ ବିକ୍ରି କରିପାରିବ। ସେଥିରୁ ମିଳୁଥିବା ଆୟକୁ ନିଜ ପାଖରେ ରଖିପାରିବ।
ଡିଲ ସାଇନ ହେବା ପରେ ଖୋଲିବ ହୋର୍ମୁଜ ଷ୍ଟ୍ରେଟ
ଡିଲରେ ହୋର୍ମୁଜ ଷ୍ଟ୍ରେଟର ପ୍ରସଙ୍ଗ ମଧ୍ୟ ସାମିଲ ଅଛି। ଏହା ଦୁନିଆର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ବାଣିଜ୍ୟ ମାର୍ଗ ମଧ୍ୟରୁ ଗୋଟିଏ। ଯେଉଁଠାରୁ ବିଶ୍ୱ ତେଲ ଯୋଗାଣର ଏକ ବଡ଼ ଅଂଶ ଯାଏ। ପ୍ରସ୍ତାବିତ ବୁଝାମଣା ଅନୁଯାୟୀ ଇରାନ ସମସ୍ତ ବ୍ୟବସାୟିକ ଜାହାଜ ପାଇଁ ହୋର୍ମୁଜ ଷ୍ଟ୍ରେଟକୁ ତୁରନ୍ତ ଖୋଲିଦେବ। ଏହା ବଦଳରେ ଆମେରିକା ଇରାନୀ ଜାହାଜ ଓ ବନ୍ଦରଗୁଡିକ ଉପରେ ଲଗାଯାଇଥିବା ନୌସେନା ଅବରୋଧ ସମାପ୍ତ କରିବ। ଯଦି ଏହି ବୁଝାମଣା ଲାଗୁ ହୁଏ, ତେବେ ବିଶ୍ୱ ଶକ୍ତି ବଜାରକୁ ମଧ୍ୟ ଆଶ୍ୱସ୍ତି ମିଳିପାରେ। ଗତ ଅନେକ ମାସ ଧରି ହୋର୍ମୁଜରେ ଉତ୍ତେଜନା କାରଣରୁ ତେଲ ଦାମରେ ବଡ଼ ଉଥାନ-ପତନ ଦେଖିବାକୁ ମିଳିଛି। ନିବେଶକ ଓ ଶକ୍ତି କମ୍ପାନୀଗୁଡିକର ନଜର ଏହି ବୁଝାମଣା ଉପରେ ରହିଛି।
ବୁଝାମଣାର ସମୟ ଏବେ ମଧ୍ୟ ସ୍ଥିର ହୋଇନାହିଁ
ବୁଝାମଣାକୁ ନେଇ ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ନାହିଁ। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି; ଏହି ବୁଝାମଣା ଉପରେ ରବିବାର ସ୍ୱାକ୍ଷର ହୋଇପାରେ। ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଧ୍ୟ କହିଛନ୍ତି; ଇଲେକ୍ଟ୍ରୋନିକ ମାଧ୍ୟମରେ ସ୍ୱାକ୍ଷର ପାଇଁ ପ୍ରସ୍ତୁତି ଚାଲିଛି। ଏହା ପରେ ବୈଷୟିକ ସ୍ତରର ଆଲୋଚନା ଆରମ୍ଭ ହେବ। କିନ୍ତୁ ଅନ୍ୟପଟେ ଇରାନ ଭିତରେ ଏହି ବୁଝାମଣାକୁ ନେଇ ବିରୋଧ ମଧ୍ୟ ଦେଖିବାକୁ ମିଳୁଛି।
କଟ୍ଟରପନ୍ଥୀ ଗୋଷ୍ଠୀ ଓ କେତେକ ରାଜନୈତିକ ଗୋଷ୍ଠୀ ଡିଲର ସମୟ ଓ ସର୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହୁଛନ୍ତି; ଆମେରିକା ଉପରେ ସମ୍ପୂର୍ଣ୍ଣ ଭରସା କରାଯାଇପାରିବ ନାହିଁ। ବର୍ତ୍ତମାନ ଏହି ଡ୍ରାଫ୍ଟ ବୁଝାମଣା ଅନ୍ତିମ ଭାବେ ଲାଗୁ ହୋଇନାହିଁ। କିନ୍ତୁ ଯଦି ଉଭୟ ପକ୍ଷ ଏଥିରେ ସହମତ ହୋଇଯାଆନ୍ତି, ତେବେ ଏହା ନିକଟ ବର୍ଷ ଗୁଡିକରେ ପଶ୍ଚିମ ଏସିଆର ସବୁଠୁ ବଡ଼ କୂଟନୈତିକ ସଫଳତା ବୋଲି ବିବେଚିତ ହେବ। ଏହା ଦ୍ୱାରା ନା କେବଳ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କମିବ, ବରଂ ବିଶ୍ୱ ଶକ୍ତି ବଜାର, ସାମୁଦ୍ରିକ ବାଣିଜ୍ୟ ଓ ଆଞ୍ଚଳିକ ସୁରକ୍ଷା ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡିପାରେ।


