ହର୍ମୁଜ୍ ଷ୍ଟ୍ରେଟ୍‌ରେ ଇରାନର ନୂଆ ‘ରିଷ୍ଟ୍ରିକ୍ଟେଡ୍ ଜୋନ୍’! ଭାରତ ପାଇଁ କେତେ ବଡ଼ ଚିନ୍ତା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଇରାନର ହର୍ମୁଜ୍ ପ୍ରଣାଳିମଧ୍ୟରେ 'ପ୍ରତିବନ୍ଧିତ କ୍ଷେତ୍ର' ଘୋଷଣା: ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ?

ନୂଆଦିଲ୍ଲୀ: ଅଶୋଧିତ ତେଲର ଦର ପୂର୍ବରୁ ହିଁ ୧୦୦ ଡଲାର ପ୍ରତି ବ୍ୟାରେଲ ଆଖପାଖରେ ରହିଛି। ଏହି ସମୟରେ ଇରାନ ପକ୍ଷରୁ ହର୍ମୁଜ୍ ପ୍ରଣାଳିରେ ଏକ ନୂତନ ‘ପ୍ରତିବନ୍ଧିତ କ୍ଷେତ୍ର’ ଘୋଷଣା କରାଯାଇଛି।

ଇରାନର ସୁପ୍ରିମନ୍ୟାସନାଲ୍ ସିକ୍ୟୁରିଟି କାଉନସିଲର ସେକେଣ୍ଟ୍ରି ମୋହସିନ୍ ରେଜାଇଙ୍କ ସୂଚନା ଅନୁଯାୟୀ, ଏହି ପ୍ରତିବନ୍ଧିତ କ୍ଷେତ୍ର ଆମେରିକୀୟ ନୌସେନାର ନାକାବନ୍ଦୀ ଥିବା ସ୍ଥାନରୁ ଆରମ୍ଭ ହୋଇ ହର୍ମୁଜ୍ ପ୍ରଣାଳି ମଧ୍ୟ ଦେଇ ପାରସ୍ୟ ଉପସାଗର ପର୍ଯ୍ୟନ୍ତ ବ୍ୟାପ୍ତ ରହିବ।

ଆମେରିକା ଏବଂ ଇରାନ ମଧ୍ୟରେ ପରସ୍ପର ଉପରେ ହୋଇଥିବା ଆକ୍ରମଣ ପରେ ଏହି ଘୋଷଣା କରାଯାଇଛି। ଇରାନ ଏହି କ୍ଷେତ୍ର ପାଇଁ ଓମାନ ସହିତ ମିଶି କାମ କରୁଛି ଏବଂ ଏକ ‘ନୂତନ ସିପିଂ ରୁଟ୍’ ପ୍ରସ୍ତୁତ କରିଛି।

ଇରାନର ନୂତନ ଯୋଜନା କ’ଣ: ଇରାନର କହିବାନୁଯାୟୀ, ଏହି ସମଗ୍ର ଜଳପଥ ଦେଇ ଯାତ୍ରା କରୁଥିବା ଜାହାଜଗୁଡ଼ିକୁ ଏବେ ଇରାନ ସହିତ ତାଳମେଳ ରଖିବାକୁ ପଡ଼ିବ। ଯେଉଁ ଜାହାଜଗୁଡ଼ିକ ବିନା ଅନୁମତିରେ କିମ୍ବା ନିର୍ଦ୍ଧାରିତ ପଥ ବାହାରେ ଚଳାଚଳ କରିବେ, ସେଗୁଡ଼ିକୁ ପ୍ରତିବନ୍ଧିତ କରାଯିବ।

ଜାହାଜଗୁଡ଼ିକର ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ଏକ ସିଷ୍ଟମ ପ୍ରସ୍ତୁତ କରୁଛି, ଯାହାକୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଳୁଥିବା ‘ଟ୍ରାଞ୍ଜିଟ୍ ଭିଜା’ ସହିତ ତୁଳନା କରାଯାଉଛି। ଏହି ରୁଟ୍ ପରିଚାଳନା ପାଇଁ ଇରାନ ସର୍ଭିସ୍ ଫିସ୍ କିମ୍ବା ଟୋଲ୍ ଟ୍ୟାକ୍ସ ଆଦି ଆକାରରେ ଅର୍ଥ ଆଦାୟ କରିବାର ପ୍ରସ୍ତୁତି କରୁଛି, ଯେଉଁଥିରେ ଓମାନ ତାହାର ସହଭାଗୀ ଅଛି।

ଭାରତ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ: ଭାରତ ଏହାର ଆବଶ୍ୟକତାର ପ୍ରାୟ ୯୦ ପ୍ରତିଶତ କଞ୍ଚା ତେଲ ଆମଦାନୀ କରିଥାଏ, ଯାହାର ଏକ ବଡ଼ ଅଂଶ ହୋର୍ମୁଜ୍ ଜଳପଥ ଦେଇ ଆସିଥାଏ। କଞ୍ଚା ତେଲ ବ୍ୟତୀତ ଏଲ୍‌ଜି, ଏଲ୍‌ପିଜି ଏବଂ ଅନ୍ୟାନ୍ୟ ପେଟ୍ରୋକେମିକାଲ୍ସ ମଧ୍ୟ ଏହି ରାସ୍ତାରୁ ଅଣାଯାଏ।

ଯଦି ଇରାନ ଏହି ରୁଟ୍‌ରୁ ଯାଉଥିବା ଜାହାଜଗୁଡ଼ିକ ଉପରେ ଅଧିକ ଟୋଲ୍ ଟ୍ୟାକ୍ସ ବସାଏ, ତେବେ ଏହା ଭାରତ ପାଇଁ ଏକ ବଡ଼ ଆର୍ଥିକ ବୋଝ ସାବ୍ୟସ୍ତ ହୋଇପାରେ। ତେବେ କହିରଖୁଛୁ ଯେ, ଇରାନ ସର୍ବଦା ଭାରତକୁ ଏକ ବନ୍ଧୁ ଦେଶ ଭାବେ ବିଚାର କରିଆସିଛି ଏବଂ ଏହି ରୁଟ୍ ଦେଇ ଯାଉଥିବା କୌଣସି ମଧ୍ୟ ଭାରତୀୟ ଜାହାଜ ଉପରେ କୌଣସି କର କିମ୍ବା କଟକଣା ଲଗାଇ ନାହିଁ।

ଭାରତ କ’ଣ ‘ସେଫ୍ ଜୋନ୍’ରେ ଅଛି: ଭାରତ ପାଇଁ ଏକ ସକରାତ୍ମକ ବିଷୟ ହେଉଛି ଯେ, ଭାରତ ଇରାନର ‘ଚାବହାର ବନ୍ଦର’ ପରିଚାଳନା କରୁଛି, ଯାହା ଇରାନର ନିଜସ୍ୱ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାବ୍ୟତୀତ, ଓମାନ ସହିତ ଭାରତର ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ରହିଛି।

ଯଦି ଇରାନ ପୂର୍ବ ଭଳି ଏଥର ମଧ୍ୟ ଭାରତୀୟ ଜାହାଜଗୁଡ଼ିକୁ ଏହି ଟୋଲ୍ ଟ୍ୟାକ୍ସ କିମ୍ବା କଟକଣାରୁ କୋହଳ କରେ, ତେବେ ଭାରତୀୟ ଜାହାଜଗୁଡ଼ିକ ପାଇଁ ପରିବହନ ଖର୍ଚ୍ଚ ବିଶେଷ ବୃଦ୍ଧି ପାଇବ ନାହିଁ। ତଥାପି, ବିଶ୍ୱ ବଜାରରେ କଞ୍ଚା ତେଲର ମୂଲ୍ୟ ବୃଦ୍ଧି ପାଇଲେ ଭାରତକୁ ମଧ୍ୟ ଏହାର ଆର୍ଥିକ ପ୍ରଭାବର ସାମ୍ନା କରିବାକୁ ପଡ଼ିପାରେ।