ଟ୍ରମ୍ପଙ୍କ ହର୍ମୁଜ ଅବରୋଧର ମଜାକ ଉଡାଇଲା ଇରାନ ; କହିଲା-ପିକ୍ଚର ଅଭି ବାକି ହୈ!

ହୋର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧକୁ ନେଇ ଗରମାଗରମ ରାଜନୀତି; ମୁମ୍ବାଇ ସ୍ଥିତ ଇରାନ ଦୂତାବାସ କହିଲା- "ପିକ୍ଚର ଅଭି ବାକି ହୈ!"

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୋର୍ମୁଜ ପ୍ରଣାଳୀକୁ ବ୍ଲକ୍ କରିବାକୁ ଘୋଷଣା କରିବା ପରେ, ଇରାନ ଏହାର ଜବାବ ଅତି ନିଆରା ଢଙ୍ଗରେ ଦେଇଛି। ମୁମ୍ବାଇ ସ୍ଥିତ ଇରାନର ବାଣିଜ୍ୟ ଦୂତାବାସ (Iranian Consulate) ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ ରେ ଭାରତୀୟ ମିମ୍ସ (Memes) ର ସାହାଯ୍ୟ ନେଇ ଟ୍ରମ୍ପଙ୍କୁ କଟାକ୍ଷ କରିଛି।

 

କ’ଣ ଅଛି ସେହି ଭିଡିଓରେ?

ଇରାନ ଦୂତାବାସ ବଲିଉଡର ସୁପରହିଟ୍ କମେଡି ଫିଲ୍ମ ‘ଧମାଲ’ ର ଏକ ଲୋକପ୍ରିୟ ସିନ୍ ଶେୟାର କରିଛି। ଯେଉଁଥିରେ ଅଭିନେତା ରିତେଶ ଦେଶମୁଖ ଏକ କାନ୍ଥ ପଛରେ ଲୁଚିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେହି କାନ୍ଥର ଦୁଇ ପଟେ ଯିବା ଆସିବା ପାଇଁ ଖୋଲା ରାସ୍ତା ରହିଛି। ଏହି ଭିଡିଓ ଜରିଆରେ ଇରାନ ବୁଝାଇବାକୁ ଚେଷ୍ଟା କରିଛି ଯେ, ଆମେରିକାର ନାକାବନ୍ଦୀ ଠିକ୍ ସେହିପରି ଅର୍ଥହୀନ।

 

ଶାହରୁଖଙ୍କ ଡାଇଲଗ୍‌ରେ ଚେତାବନୀ

ଖାଲି ‘ଧମାଲ’ ନୁହେଁ, ଇରାନ ଦୂତାବାସ ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ଆଇକନିକ ଡାଇଲଗ୍ “ଅଭି ତୋ ସିର୍ଫ ଟ୍ରେଲର ହୈ, ପିକ୍ଚର ଅଭି ବାକି ହୈ” ବ୍ୟବହାର କରି ଆମେରିକାକୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛି। ସେମାନେ ଲେଖିଛନ୍ତି ଯେ, ଟ୍ରମ୍ପ ଭାବୁଛନ୍ତି ଇରାନର ନୌସେନା ଶେଷ ହୋଇଯାଇଛି, କିନ୍ତୁ ପ୍ରକୃତ ଶକ୍ତିର ପ୍ରଦର୍ଶନ ଏବେ ବି ବାକି ଅଛି।