‘ଆମେ ଟ୍ରମ୍ପଙ୍କୁ ମାରିଦେବୁ’… ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ଇରାନରେ ଲାଗିଲା ପୋଷ୍ଟର!

ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିବା ପରେ ଇରାନରେ ଲାଗିଛି ବିବାଦୀୟ ପୋଷ୍ଟର। ଏଥିରେ ‘ଆମେ ଟ୍ରମ୍ପଙ୍କୁ ହତ୍ୟା କରିଦେବୁ’ ବୋଲି ଲେଖାଯାଇଛି।

ନୂଆଦିଲ୍ଲୀ: ଆମେରିକାର ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା ଲାଗିବା ପରେ ଇରାନରେ ଆରମ୍ଭ ହୋଇଛି ଭିନ୍ନ ଧରଣର ରାଜନୈତିକ ଆକ୍ରମଣ। ରାଜଧାନୀ ତେହେରାନର ରାସ୍ତାରେ ଲାଗିଛି ଏକ ବିଶାଳ ପୋଷ୍ଟର।

ଏଥିରେ ଲେଖାଯାଇଛି ‘ଆମେ ଟ୍ରମ୍ପଙ୍କୁ ମାରିଦେବୁ’। କେବଳ ଏତିକି ନୁହେଁ, ପୋଷ୍ଟରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜେଲ୍ ଭିତରେ ବନ୍ଦୀ ଅବସ୍ଥାରେ ଦେଖାଯାଇଛି। ଏହି ପୋଷ୍ଟର ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି। ଡେମୋକ୍ରାଟିକ୍ ପାର୍ଟି ଉଭୟ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଓ ସିନେଟ୍‌ରେ ନିଜର ପ୍ରଭାବ ବଢ଼ାଇଛି। ଏହି ନିର୍ବାଚନୀ ପରାଜୟକୁ ନେଇ ଇରାନ ପକ୍ଷରୁ ଟ୍ରମ୍ପଙ୍କୁ ଟାର୍ଗେଟ୍ କରାଯାଇଛି।

ତେହେରାନର ଏଙ୍ଗେଲାବ୍ ଛକରେ ଲଗାଯାଇଥିବା ଏହି ପୋଷ୍ଟରରେ ଟ୍ରମ୍ପଙ୍କୁ ଜେଲ୍ ଭିତରେ ଠିଆ ହୋଇଥିବା ଦେଖାଯାଇଛି। ଗୋଟିଏ ହାତରେ ରଡ୍ ଧରି ସେ ମୁଣ୍ଡ ନୁଆଁଇ ଠିଆ ହୋଇଥିବା ଚିତ୍ର ରହିଛି।

ତାଙ୍କ ପାଖରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମେତ ଅନ୍ୟ ଆମେରିକୀୟ ଓ ଇସ୍ରାଏଲୀ ନେତାଙ୍କୁ ନେଇ ମଧ୍ୟ ବ୍ୟଙ୍ଗାତ୍ମକ ଚିତ୍ର ପ୍ରଦର୍ଶିତ ହୋଇଛି। ଏହି ପୋଷ୍ଟର ଆମେରିକା ଓ ଇସ୍ରାଏଲ୍ ବିରୋଧରେ ଇରାନର ଆକ୍ରୋଶକୁ ପ୍ରକାଶ କରୁଛି।

ଟ୍ରମ୍ପଙ୍କୁ ଡଷ୍ଟବିନ୍‌ରେ ପକାଇଲା ଇରାନ ଦୂତାବାସ: କେବଳ ତେହେରାନର ପୋଷ୍ଟର ନୁହେଁ, ଭାରତରେ ଥିବା ଇରାନ ଦୂତାବାସ ମଧ୍ୟ ଟ୍ରମ୍ପଙ୍କୁ ନେଇ ଏକ ବ୍ୟଙ୍ଗାତ୍ମକ ଭିଡିଓ ସେୟାର କରିଛି। ଏହି ଭିଡିଓରେ କିଛି ଲୋକ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସ୍‌ରୁ ବାହାରକୁ ଆଣି ଏକ ଡଷ୍ଟବିନ୍‌ରେ ପକାଉଥିବା ଦେଖାଯାଇଛି। ଡଷ୍ଟବିନ୍‌ରେ ‘ହାଜାର୍ଡସ୍ ୱେଷ୍ଟ’ ଅର୍ଥାତ୍ ବିପଜ୍ଜନକ ବର୍ଜ୍ୟବସ୍ତୁ ବୋଲି ଲେଖାଯାଇଛି।

ଭିଡିଓଟିର କ୍ୟାପ୍‌ସନ୍‌ରେ ‘US Midterm Elections’ ଲେଖାଯାଇଛି। ଆମେରିକାର ନିର୍ବାଚନୀ ଫଳାଫଳକୁ ନେଇ ଇରାନ ଦୂତାବାସର ଏହି ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ାଇଛି।

ମହଙ୍ଗା ମାଡ଼ ଓ ଇରାନ ଯୁଦ୍ଧ ହେଲା କି ପରାଜୟର କାରଣ: ଆମେରିକାର ଏହି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପଛରେ ମୁଖ୍ୟତଃ ଦରଦାମ୍ ବୃଦ୍ଧି ଓ ଅର୍ଥନୈତିକ ସମସ୍ୟାକୁ ଦାୟୀ କରାଯାଉଛି।

ଆସୋସିଏଟେଡ୍ ପ୍ରେସ୍‌ର ଆକଳନ ଅନୁସାରେ, ଅଧିକାଂଶ ଭୋଟର ଟ୍ରମ୍ପ ପ୍ରଶାସନର ଅର୍ଥନୈତିକ ନୀତିକୁ ନେଇ ଅସନ୍ତୁଷ୍ଟ ଥିଲେ। ଇରାନ ଯୁଦ୍ଧ ଯୋଗୁଁ ଇନ୍ଧନ ଦର ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବଢ଼ିବା ମଧ୍ୟ ଏହି ଅସନ୍ତୋଷକୁ ବଢ଼ାଇଥିଲା।

ନିର୍ବାଚନ ପୂର୍ବରୁ ଟ୍ରମ୍ପ ମହଙ୍ଗା ନିୟନ୍ତ୍ରଣ ଓ ଅର୍ଥନୀତିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭୋଟରଙ୍କ ଅସନ୍ତୋଷ ତାଙ୍କ ଦଳର ପ୍ରଦର୍ଶନରେ ପ୍ରତିଫଳିତ ହୋଇଛି।

ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ଼ ବୟାନ: ନିର୍ବାଚନୀ ଝଟକା ପରେ ଇରାନକୁ ନେଇ ଟ୍ରମ୍ପ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଫାଇନାନ୍ସିଆଲ୍ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଇରାନ ଉପରେ ତୁରନ୍ତ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ।

ଇରାନ ସହ ଆଲୋଚନା ଚାଲିଛି ଏବଂ ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ତେବେ ଆବଶ୍ୟକ ପଡ଼ିଲେ ଆମେରିକା ସାମରିକ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି।

ଅନ୍ୟପଟେ ଇସ୍ରାଏଲ୍‌କୁ ମିଳୁଥିବା ଆମେରିକାର ଆର୍ଥିକ ସହାୟତାକୁ ନେଇ ମଧ୍ୟ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଇସ୍ରାଏଲ୍‌କୁ ପ୍ରତିବର୍ଷ ଦିଆଯାଉଥିବା ପ୍ରାୟ ୪ ବିଲିୟନ୍ ଡଲାରର ସହାୟତା ବର୍ଷ ଶେଷ ସୁଦ୍ଧା ବନ୍ଦ କରାଯିବ ବୋଲି ସେ କହିଛନ୍ତି। ତେବେ ଏହି ଘୋଷଣାର କାର୍ଯ୍ୟକାରିତା ଓ ସହାୟତା ବନ୍ଦର ପ୍ରକ୍ରିୟା ନେଇ ଏବେ ବି ଅନେକ ପ୍ରଶ୍ନ ରହିଛି।

ଆମେରିକାର ନିର୍ବାଚନୀ ପରାଜୟ ପରେ ଇରାନର ଏଭଳି ପ୍ରତିକ୍ରିୟା ଏବଂ ଟ୍ରମ୍ପଙ୍କ ବିଦେଶ ନୀତିକୁ ନେଇ ନୂଆ ଘୋଷଣା ଅନ୍ତର୍ଜାତୀୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।