ଆମେରିକାର ପାଖରେ ନାହିଁ ATACMS ଓ PrSM ପରି ଘାତକ କ୍ଷେପଣାସ୍ତ୍ର!
ଏଟିଏସିଏମ୍ଏସ୍ ଓ ପିଆର୍ଏସ୍ଏମ୍ ହେଉଛି ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ: ଇରାନ ସହିତ ଚାଲିଥିବା ୫ ମାସ ଯୁଦ୍ଧରେ ଆମେରିକାର ଅସ୍ତ୍ର ଭଣ୍ଡାର ଖାଲି! ପ୍ରାୟତଃ ସବୁ ଘାତକ ଅସ୍ତ୍ର ନାହିଁ। ଇରାନ ଯୁଦ୍ଧ ଭିତରେ ଯଦି ରୁଷ ବା ଉତ୍ତର କୋରିଆ ଯଦି ଆକ୍ରମଣ କରିଦେବେ, ତାହାହେଲେ ଆମେରିକା ପ୍ରତିଆକ୍ରମଣ କରିପାରିବ ନାହିଁ। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଅସ୍ତ୍ର ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶ୍ୱର ସବୁଠାରୁ ବଡ଼ ସାମରିକ ଶକ୍ତି ବୋଲି ଧରାଯାଉଥିବା ଆମେରିକାର ଅସ୍ତ୍ରଶସ୍ତ୍ରର ଭଣ୍ଡାର ଉପରେ ଚାପ ବଢ଼ିଛି। ସମ୍ବାଦ ସଂସ୍ଥା ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ଆମେରିକୀୟ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପ୍ରାୟତଃ ମହଜୁଦ ନାହିଁ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ସବୁଠାରୁ ଅଧିକ ପ୍ରଭାବ ଏଟିଏସିଏମ୍ଏସ୍ (Army Tactical Missile System) ଓ ନୂତନ ପିଢ଼ିର ପିଆର୍ଏସ୍ଏମ୍ (Precision Strike Missile) ଉପରେ ପଡ଼ିଛି। ଏହି କ୍ଷେପଣାସ୍ତ୍ରର ପ୍ରାୟତଃ ଖାଲି ହୋଇଯାଇଛି। ପିଆର୍ଏସ୍ଏମ୍ ଏକ ନୂଆ ପ୍ରଣାଳୀର କ୍ଷେପଣାସ୍ତ୍ର ହୋଇଥିବାରୁ ଏହାର ପ୍ରାରମ୍ଭିକ ସଂଖ୍ୟା ପୂର୍ବରୁ ସୀମିତ ରହିଥିଲା।
କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି କ୍ଷେପଣାସ୍ତ୍ର?: ଏଟିଏସିଏମ୍ଏସ୍ ଓ ପିଆର୍ଏସ୍ଏମ୍ ହେଉଛି ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର। ଏହାର ସହାୟତାରେ ସେନା ଶହ ଶହ କିଲୋମିଟର ଦୂରରେ ଥିବା ଶତ୍ରୁ ଘାଟି ଉପରେ ସଠିକ୍ ଆକ୍ରମଣ କରିପାରୁଥିଲା। ଏଟିଏସିଏମ୍ଏସର ଆକ୍ରମଣ କ୍ଷମତା ପ୍ରାୟ ୩୦୦ କିଲୋମିଟର ପର୍ୟ୍ୟନ୍ତ ରହିଥିବା ବେଳେ ପିଆର୍ଏସ୍ଏମ୍ର ପ୍ରାରମ୍ଭିକ ରେଞ୍ଜ ୪୦୦ରୁ ୫୦୦ କିଲୋମିଟର ରହିଛି।
ୟୁକ୍ରେନ ଯୁଦ୍ଧ ସମୟରେ ମଧ୍ୟ ଆମେରିକା ଏଟିଏସିଏମ୍ଏସ କ୍ଷେପଣାସ୍ତ୍ର ୟୁକ୍ରେନକୁ ଯୋଗାଇଥିଲା। ଯାହାକୁ ରୁଷ ସାମରିକ ଘାଟି ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିଲା। ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ମତରେ, ଭବିଷ୍ୟତରେ ଯଦି ଚୀନ ସହ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସଂଘର୍ଷ ହୁଏ, ତେବେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ଆମେରିକାର ସବୁଠାରୁ ବଡ଼ ଶକ୍ତି ହେବ।
ଅନ୍ୟ ଅସ୍ତ୍ରର ଭଣ୍ଡାର ଉପରେ ମଧ୍ୟ ଚାପ: ଆମେରିକୀୟ ଥିଙ୍କ ଟ୍ୟାଙ୍କ ସିଏସ୍ଆଇଏସ୍ (Center for Strategic and International Studies) ର ବିଶ୍ଳେଷଣ ଅନୁସାରେ, କେବଳ ଏଟିଏସିଏମ୍ଏସ ଓ ପିଆର୍ଏସ୍ଏମ୍ ନୁହେଁ, ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ରର ଭଣ୍ଡାର ଉପରେ ମଧ୍ୟ ଚାପ ବଢ଼ିଛି।
Uttarakhand Govt.
Patriot Air Defense Interceptorର ପ୍ରାୟ ୬୫% ଭଣ୍ଡାର ବ୍ୟବହୃତ ହୋଇସାରିଛି। । THAAD Interceptorର ଭଣ୍ଡାର ପ୍ରାୟ ୩୮% କମିଛି। Tomahawk Cruise Missileର ବିଶ୍ୱସ୍ତରୀୟ ଭଣ୍ଡାରର ପ୍ରାୟ ଅଧା ବ୍ୟବହୃତ ହୋଇସାରିଛି।
କାହିଁକି ବଢ଼ୁଛି ଚିନ୍ତା?: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀରେ ଏହି ଯୁଦ୍ଧ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଏହା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ପାଞ୍ଚ ମାସ ପରେ ମଧ୍ୟ ସଂଘର୍ଷ ଜାରି ରହିଛି। ଏବେ ଚିନ୍ତା କେବଳ ଇରାନକୁ ନେଇ ନୁହେଁ। ଆମେରିକା ଆଶଙ୍କା କରୁଛି; ଏହି ସମୟରେ ଯଦି ଚୀନ, ରୁଷ କିମ୍ବା ଉତ୍ତର କୋରିଆ ସହ କୌଣସି ବଡ଼ ସାମରିକ ସଙ୍କଟ ସୃଷ୍ଟି ହୁଏ, ତେବେ ତା’ ପାଖରେ ପର୍ୟ୍ୟାପ୍ତ ଆଧୁନିକ ଅସ୍ତ୍ର ରହିବ କି ନାହିଁ।
ରଏଟର୍ସ ଅନୁସାରେ, ଏହି ଅଭାବ ପୂରଣ ପାଇଁ ଆମେରିକୀୟ ସିଇଏନ୍ଟିସିଓଏମ୍ ବିଶ୍ୱର ଅନ୍ୟ ସାମରିକ କମାଣ୍ଡରେ ରହିଥିବା ନିଜର କ୍ଷେପଣାସ୍ତ୍ର ଭଣ୍ଡାରରୁ ମଧ୍ୟ ଅସ୍ତ୍ର ମଗାଇବା ଆରମ୍ଭ କରିଛି।
ୟୁକ୍ରେନ ଏବଂ ଇଣ୍ଡୋ-ପାସିଫିକ୍ ଉପରେ ମଧ୍ୟ ପ୍ରଭାବ: ଏହି କ୍ଷେପଣାସ୍ତ୍ର ସଙ୍କଟ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ନୁହେଁ। ୟୁକ୍ରେନ ବର୍ତ୍ତମାନ ମଧ୍ୟ ଆମେରିକାର Patriot ଏବଂ ATACMS ଉପରେ ବହୁ ପରିମାଣରେ ନିର୍ଭର କରୁଛି। ଯଦି ଆମେରିକାର ଭଣ୍ଡାର କମିଯାଏ, ତେବେ ୟୁକ୍ରେନକୁ ମିଳୁଥିବା ସାମରିକ ସହାୟତା ପ୍ରଭାବିତ ହୋଇପାରେ। ସେହିପରି, ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଚୀନ ସହ ସମ୍ଭାବ୍ୟ ସଂଘର୍ଷ ସ୍ଥିତିରେ ମଧ୍ୟ ଏହି କ୍ଷେପଣାସ୍ତ୍ରଗୁଡ଼ିକ ଆମେରିକାର ପ୍ରଥମ ପସନ୍ଦ ହେବ। CSISର ବିଶେଷଜ୍ଞମାନଙ୍କ ମତରେ, ବର୍ତ୍ତମାନର ପରିସ୍ଥିତି ଆମେରିକା ପାଇଁ ଏକ ଅସ୍ଥାୟୀ ଦୁର୍ବଳତା ସୃଷ୍ଟି କରିପାରେ।
ଭଣ୍ଡାର ପୁଣି ଭରିବାକୁ ଲାଗିପାରେ ବର୍ଷ: ପ୍ରତିରକ୍ଷା ବିଶେଷଜ୍ଞ ମାର୍କ କ୍ୟାନସିଆନ୍ ଓ କ୍ରିସ୍ ପାର୍କଙ୍କ ମତାନୁସାରେ, Patriot, THAAD ଓ Tomahawk ଭଳି ଅସ୍ତ୍ରର ଭଣ୍ଡାର ପୁଣି ପୂରଣ କରିବାକୁ ବର୍ତ୍ତମାନର ଉତ୍ପାଦନ କ୍ଷମତା ଅନୁଯାୟୀ ତିନି ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଲାଗିପାରେ।
ରଏଟର୍ସ ଅନୁସାରେ, Raytheon ଓ ପେଣ୍ଟାଗନ କ୍ଷେପଣାସ୍ତ୍ରର ଉତ୍ପାଦନ ବଢ଼ାଇବା ପାଇଁ ଚୁକ୍ତି ଦିଗରେ କାମ କରୁଛନ୍ତି। ସେହିପରି Lockheed Martin ATACMS, PrSM ଏବଂ THAAD କ୍ଷେପଣାସ୍ତ୍ର ତିଆରି କରେ। ବର୍ତ୍ତମାନର ଉତ୍ପାଦନ କ୍ଷମତା ଅନୁସାରେ ପ୍ରତିମାସ ପ୍ରାୟ ୨୦ଟି Patriot ଏବଂ ୧୫ଟି Tomahawk କ୍ଷେପଣାସ୍ତ୍ର ତିଆରି ହେଉଛି।

