ପଶ୍ଚିମ ଏସିଆର ଭବିଷ୍ୟତ ସ୍ଥିର କରିବ ଆମେରିକା-ଇରାନ ଏହି ‘ନିର୍ଣ୍ଣାୟକ’ ବୈଠକ !
ଆକାଶମାର୍ଗରେ କଡ଼ା ସୁରକ୍ଷା, ଟେବୁଲରେ ଆଲୋଚନା; କୁଆଡ଼େ ଯିବ ଆମେରିକା-ଇରାନ ସମ୍ପର୍କ?
ନୂଆଦିଲ୍ଲୀ : ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ଶାନ୍ତି ଆଲୋଚନା ଚାଲିଛି । ଏହି ଆଲୋଚନା ଉପରେ ସାରା ବିଶ୍ୱରର ନଜର ରହିଛି କାରଣ ଏହା ପଶ୍ଚିମ ଏସିଆର ଭବିଷ୍ୟତ ସ୍ଥିର କରିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ନିଜେ ଏହି ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ୮ ଏପ୍ରିଲରେ ଯୁଦ୍ଧ ବିରତି ଘୋଷଣା କରାଯିବାର ପରେ ଆଜି ଏହି ଆଲୋଚନା ଅନୁଷ୍ଠିତ ହୋଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସଂଘର୍ଷକୁ ସ୍ଥାୟୀ ଋପରେ ବନ୍ଦ କରିବା
ଇରାନ ଉପରାଷ୍ଟ୍ରପତି ମହମ୍ମଦ ରଜା ଆରିଫ ଏକ ବଡ ବୟାନ ଦେଇ କହିଛନ୍ତି ଯେ, ଯଦି ଆଲୋଚନା ‘ଆମେରିକା ଫାଷ୍ଟ’ ଚିନ୍ତାଧାରା ସହିତ ହୁଏ, ତେବେ ବୁଝାମଣା ସମ୍ଭବ ଅଟେ । ଯଦି ଆମେରିକା ‘ଇସ୍ରାଏଲ ଫାଷ୍ଟ’ ନୀତି ଆପଣାଏ ତେବେ କୌଣସି ବୁଝାମଣା ହେବ ନାହିଁ ଏବଂ ସଂଘର୍ଷ ଆହୁରୀ ବଢିପାରେ । ଇରାନର ପ୍ରତିନିଧି ମଣ୍ଡଳ ମହମ୍ମଦ ବାଘେର ଗାଲିବାଫଙ୍କ ନେତୃତ୍ୱରେ ଆସିଥିବାବେଳେ ଆମେରିକାର ପକ୍ଷରୁ ଜେ.ଡି ଭାନ୍ସ, ଷ୍ଟିଭ ୱିଟକଫ ଏବଂ ଜେରେଡ କୁଶନ ସାମିଲ ଥିଲେ । ଅତ୍ୟନ୍ତ କଡା ସୁରକ୍ଷା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହେଉଛି ।
ମିଳିଥିବା ସୂଚନା ମୁତାବକ ଇରାନର ପ୍ରତିନିଧି ମଣ୍ଡଳଙ୍କ ବିମାନକୁ ପାକିସ୍ତାନ ଏୟାରସ୍ପେଶରେ ଏଡବ୍ଲୁଏସିଏସ, ଫାଇଟର ଜେଟ୍ସ, ଇଲେକଟ୍ରୋନିକ ୱାରଫେୟାର ସୁରକ୍ଷା ଦେଇଥିଲା । କୁହାଯାଉଛି ଯେ, ଏହି ଆଲୋଚନା ପାଇଁ ୧୫ ଦିନର ସମୟ ନିର୍ଦ୍ଧାରଣ କରାଯାଇଛି କିନ୍ତୁ ଆସନ୍ତା ୪୮ ଘଂଟା ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟ ମଧ୍ୟରେ ଜଣାପଡିବ ଯେ, ସଂଘର୍ଷ ଶାନ୍ତିରେ ପରିବର୍ତ୍ତନ ହେବ ନା ଉତ୍ତେଜନା ଆହୁରୀ ବଢିବ । ଇସଲାମାବାଦରେ ଆୟୋଜିତ ଏହି ଶାନ୍ତି ବୈଠକ କେବଳ ଏକ କୂଟନୀତିଜ୍ଞ ବୈଠକ ନୁହେଁ ବରଂ ବିଶ୍ୱ ରାଜନୀତିର ପଟ୍ଟଚିତ୍ର ପରିବର୍ତ୍ତନ କରିପାରେ । ବର୍ତ୍ତମାନ ସମସ୍ତଙ୍କ ନଜର ଏହି କଥା ଉପରେ ରହିଛି ଯେ, ଆମେରିକା ଏବଂ ଇରାନ ମଧ୍ୟରେ କ’ଣ ବୁଝାମଣା ହୋଇପାରିବ ନା ଉତ୍ତେଜନା ଆଗକୁ ଜାରି ରହିବ ।
