ମାତ୍ର ୧୫ ହଜାରରେ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତ ବୁଲାଉଛି IRCTC, ଖାଇବା-ପିଇବା ଏବଂ ରହିବା ସହିତ ରହିବ ୮ ରାତିର ଟ୍ରିପ

ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ଏକ ସ୍ୱତନ୍ତ୍ର ଧାର୍ମିକ ଯାତ୍ରା ପ୍ୟାକେଜ୍ ନେଇ ଆସିଛି, ଯେଉଁଥିରେ ଆପଣ ଗୋଟିଏ ଯାତ୍ରାରେ ଦକ୍ଷିଣ ଭାରତର ଅନେକ ପ୍ରମୁଖ ମନ୍ଦିର ଏବଂ ଧାର୍ମିକ ସ୍ଥଳ ଦର୍ଶନ କରିପାରିବେ।

IRCTC Bharat Gaurav Train : ଦକ୍ଷିଣ ଭାରତର ପ୍ରସିଦ୍ଧ ତୀର୍ଥସ୍ଥଳୀଗୁଡ଼ିକର ଦର୍ଶନ କରିବାକୁ ଇଚ୍ଛା ରଖୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଭଲ ଖବର ଅଛି। ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ଏକ ସ୍ୱତନ୍ତ୍ର ଧାର୍ମିକ ଯାତ୍ରା ପ୍ୟାକେଜ୍ ନେଇ ଆସିଛି, ଯାହା ଅଧୀନରେ ଯାତ୍ରୀମାନେ ଗୋଟିଏ ଯାତ୍ରାରେ ଦକ୍ଷିଣ ଭାରତର ଅନେକ ପ୍ରମୁଖ ମନ୍ଦିର ଏବଂ ଧାର୍ମିକ ସ୍ଥଳ ଦର୍ଶନ କରିପାରିବେ। ଏହି ଯାତ୍ରା ‘ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍’ ଜରିଆରେ ଆୟୋଜନ କରାଯିବ ଏବଂ ଏଥିରେ ଯାତ୍ରା, ଖାଦ୍ୟପେୟ, ରହିବା ତଥା ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା ପୂର୍ବରୁ ସାମିଲ ରହିବ।

କେତେ ଦିନର ହେବ ଏହି ଯାତ୍ରା?

IRCTC ଏହି ସ୍ୱତନ୍ତ୍ର ଟୁର୍ ପ୍ୟାକେଜକୁ ‘ଦିବ୍ୟ ଦକ୍ଷିଣ ଯାତ୍ରା ୱିଥ୍ ଅରୁଣାଚଳମ୍’ ନାମ ଦେଇଛି। ଏହି ଯାତ୍ରା ଜୁଲାଇ ୨୦ ରୁ ଆରମ୍ଭ ହେବ ଏବଂ ସମୁଦାୟ ୮ ରାତି ଓ ୯ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍‌ର ପ୍ୟାକେଜ୍ କୋଡ୍ ହେଉଛି SCZBG-63। ଟ୍ରେନରେ ସମୁଦାୟ ୭୦୨ ଜଣ ଯାତ୍ରୀଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ସ୍ଲିପର (Sleeper), ଥାର୍ଡ ଏସି (3rd AC) ଏବଂ ସେକେଣ୍ଡ ଏସି (2nd AC) ଶ୍ରେଣୀ ସାମିଲ ରହିଛି। ଯାତ୍ରାର ଆରମ୍ଭ ସିକନ୍ଦରାବାଦ ରେଲୱେ ଷ୍ଟେସନରୁ ହେବ। ତେବେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନ୍ୟ କେତେକ ଷ୍ଟେସନରେ ମଧ୍ୟ ବୋର୍ଡିଂ (ଟ୍ରେନରେ ଚଢ଼ିବା) ଏବଂ ଡିବୋର୍ଡିଂ (ଟ୍ରେନରୁ ଓହ୍ଲାଇବା) ସୁବିଧା ଦିଆଯାଇଛି। ଯାତ୍ରୀମାନେ ଚାରଲାପଲ୍ଲୀ, ଜଙ୍ଗାଓଁ, କାଜିପେଟ୍, ୱାରଙ୍ଗଲ୍, ମହବୁବାବାଦ, ଖମ୍ମମ, ମାଧିରା, ବିଜୟୱାଡା, ତେନାଲି, ଓଙ୍ଗୋଲ୍, ନେଲ୍ଲୋର, ଗୁଡୁର ଏବଂ ରେଣିଗୁଣ୍ଟା ଷ୍ଟେସନରୁ ମଧ୍ୟ ଏହି ଟ୍ରେନରେ ସ୍ୱାର ହୋଇପାରିବେ।

କେଉଁ ସବୁ ସ୍ଥାନର ଦର୍ଶନ କରିପାରିବେ?

ଏହି ଆଧ୍ୟାତ୍ମିକ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ଦକ୍ଷିଣ ଭାରତର ସାତଟି ପ୍ରମୁଖ ଧାର୍ମିକ ସ୍ଥଳ ଦର୍ଶନ କରାଯିବ। ଏଥିମଧ୍ୟରେ ରହିଛି:

ତିରୁଭନ୍ନାମଲାଇର ପ୍ରସିଦ୍ଧ ଅରୁଣାଚଳେଶ୍ୱର ମନ୍ଦିର

ଚିଦାମ୍ବରମର ନଟରାଜ ମନ୍ଦିର

ତ୍ରିଚିର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିର

ତାଞ୍ଜାଭୁରର ବୃହଦେଶ୍ୱର ମନ୍ଦିର

ରାମେଶ୍ୱରମର ଶ୍ରୀ ରାମନାଥସ୍ୱାମୀ ମନ୍ଦିର

ମଦୁରାଇର ମୀନାକ୍ଷୀ ଅମ୍ମାନ ମନ୍ଦିର

କନ୍ୟାକୁମାରୀର କୁମାରୀ ଅମ୍ମାନ ମନ୍ଦିର

ଏହା ବ୍ୟତୀତ, କନ୍ୟାକୁମାରୀରେ ଯାତ୍ରୀମାନେ ବିବେକାନନ୍ଦ ରକ୍ ମେମୋରିଆଲ୍ ମଧ୍ୟ ବୁଲି ଦେଖିପାରିବେ।

କେତେ ଖର୍ଚ୍ଚ ହେବ?

ଯାତ୍ରା ଶ୍ରେଣୀ (Class) ଅନୁଯାୟୀ ପ୍ୟାକେଜ୍‌ର ମୂଲ୍ୟ ସ୍ଥିର କରାଯାଇଛି। ବୟସ୍କ ଯାତ୍ରୀମାନଙ୍କ ପାଇଁ:

ସ୍ଲିପର କ୍ଲାସ୍ (Sleeper Class): ୧୫,୬୦୦ ଟଙ୍କା

ଥାର୍ଡ ଏସି (3AC): ୨୩,୧୦୦ ଟଙ୍କା

ସେକେଣ୍ଡ ଏସି (2AC): ୨୯, ୫୦୦ ଟଙ୍କା

ସେହିପରି ୫ ରୁ ୧୧ ବର୍ଷର ପିଲାମାନଙ୍କ ପାଇଁ:

ସ୍ଲିପର କ୍ଲାସ୍: ୧୪,୬୦୦ ଟଙ୍କା

ଥାର୍ଡ ଏସି (3AC): ୨୧,୯୦୦ ଟଙ୍କା

ସେକେଣ୍ଡ ଏସି (2AC): ୨୮,୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

କଣ କଣ ସୁବିଧା ସାମିଲ ରହିଛି?

ଏହି ଟୁର୍ ପ୍ୟାକେଜ୍‌ର ବିଶେଷତ୍ୱ ହେଉଛି ଯେ ଟିକେଟ୍ ମୂଲ୍ୟରେ ଅନେକ ସୁବିଧା ଅନ୍ତର୍ଭୁକ୍ତ ଅଛି। ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ଜଳଖିଆ (Break Fast), ମଧ୍ୟାହ୍ନ ଭୋଜନ (Lunch) ଏବଂ ରାତ୍ରି ଭୋଜନ (Dinner) ଯୋଗାଇ ଦିଆଯିବ। ଏହା ବ୍ୟତୀତ ସମସ୍ତ ଯାତ୍ରୀଙ୍କୁ ଟ୍ରାଭେଲ୍ ଇନସୁରାନ୍ସ (Travel Insurance) ର ଲାଭ ମଧ୍ୟ ମିଳିବ। ସମ୍ପୂର୍ଣ୍ଣ ଯାତ୍ରା ସମୟରେ ଯାତ୍ରୀମାନଙ୍କ ସହାୟତା ପାଇଁ ପ୍ରଶିକ୍ଷିତ ଟୁର୍ ଏସକର୍ଟ (Tour Escort) ଉପସ୍ଥିତ ରହିବେ।