fbpx

ଟି-୨୦ କ୍ରିକେଟରେ ଆୟରଲାଣ୍ଡ ବ୍ୟାଟସମ୍ୟାନଙ୍କ କମାଲ, ବିରାଟ କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ : ଆୟରଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ ପଲ୍ ଷ୍ଟିର୍ଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଚୌକା ମାରିବା ମାମଲାରେ କୋହଲିଙ୍କୁ ପଛରେ ପକାଇଛନ୍ତି । ଷ୍ଟିର୍ଲିଂ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଚୌକା ମାରିବା ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି । ସେ ରବିବାର ୟୁଏଇ ବିପକ୍ଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଓପନିଂ ବ୍ୟାଟସମ୍ୟାନ ପଲ୍ ଷ୍ଟିର୍ଲିଂ ୟୁଏଇ ବିପକ୍ଷରେ ୩୫ ବଲରୁ ୪୦ ରନ କରିଥିଲେ । ଏଥିରେ ମୋଟ୍ ୪ ଚୌକା ସାମିଲ୍ ।

ଏଥିସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସେ ମୋଟ୍ ୨୮୮ ଚୌକା ମାରି ସାରିଲେଣି । ଦ୍ୱିତୀୟରେ ଥିବା କୋହଲି ୨୮୫ ଚୌକା ମାରିଛନ୍ତି । ଷ୍ଟିର୍ଲିଂ କୋହଲିଙ୍କଠୁ ଗୋଟିଏ ମ୍ୟାଚ୍ କମ ଖେଳି ଏହି ସଫଳତା ହାସଲ କରିଛନ୍ତି । ସେ ନିଜର ୮୯ ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଏହି ରେକର୍ଡ କରିଛନ୍ତି । କୋହଲି ୯୦ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ ।

ଚତୁର୍ଥ ସ୍ଥାନରେ ରୋହିତ ଶର୍ମା

୩୧ ବର୍ଷୀୟ ଷ୍ଟିର୍ଲିଂ ଏବଂ କେଭିନ ଓ ବ୍ରାଏନଙ୍କ ଅର୍ଦ୍ଧଶତକ ଦମରେ ଆୟରଲାଣ୍ଡ ତୃତୀୟ ଟି-୨୦ ମ୍ୟାଚରେ ୫ ୱିକେଟ୍ ହରାଇ ୧୩୪ ରନ କରିଥିଲା । ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଚୌକା ତାଲିକାରେ ଷ୍ଟିର୍ଲିଂ ଏବଂ କୋହଲିଙ୍କ ପରେ ତୃତୀୟରେ ଅଛନ୍ତି ମାର୍ଟିନ ଗୁପଟିଲ, ଚତୁର୍ଥରେ ରହିଛନ୍ତି ରୋହିତ ଶର୍ମା ଏବଂ ପଞ୍ଚମରେ ଅଛନ୍ତି ଆରୋନ ଫିଞ୍ଚ୍ ।

Get real time updates directly on you device, subscribe now.