ତାହାଲେ ସତରେ ୨୬ ତାରିଖ ଅଶୁଭ? ଭୂକମ୍ପଠାରୁ ସୁନାମି ଯାଏଁ… ଏହି ତାରିଖରେ ଘଟିଛି ବଡ଼ ବଡ଼ ବିପର୍ଯ୍ୟୟ

କେବଳ ସଂଯୋଗ ନା ଆଉ କିଛି? ୨୬ ତାରିଖକୁ ନେଇ ବଢ଼ିଲା ଚର୍ଚ୍ଚା।

ଭୁବନେଶ୍ୱର: କ୍ୟାଲେଣ୍ଡରରେ ମାସର ଅନ୍ୟ ତାରିଖ ଭଳି ହେଉଛି ୨୬ ତାରିଖ। ହେଲେ ଇତିହାସର କିଛି ବଡ଼ ଓ ଭୟଙ୍କର ବିପର୍ଯ୍ୟୟକୁ ଦେଖିଲେ ଏହି ତାରିଖକୁ ନେଇ ଅନେକ ପ୍ରଶ୍ନ ଉଠେ। କାରଣ ଭୂକମ୍ପଠାରୁ ଆରମ୍ଭ କରି ସୁନାମି, ବନ୍ୟା, ଆତଙ୍କବାଦୀ ଆକ୍ରମଣ ଏବଂ ଭୟଙ୍କର ଖଣି ଦୁର୍ଘଟଣା ଭଳି ଏମିତି ଅନେକ ବଡ଼ ଘଟଣା ୨୬ ତାରିଖରେ ଘଟିଛି।

ତେବେ କ’ଣ ସତରେ ୨୬ ତାରିଖ ଅଶୁଭ? ନା ଏହା କେବଳ ଏକ ସଂଯୋଗ? ଆସନ୍ତୁ ଇତିହାସର ସେହି ଭୟଙ୍କର ଘଟଣାଗୁଡ଼ିକ ଉପରେ ନଜର ପକାଇବା।

ନେପାଳରେ ୨୬ ଅଗଷ୍ଟର ଭୟଙ୍କର ବନ୍ୟା: ୨୦୨୬ ମସିହା ୨୬ ଅଗଷ୍ଟରେ ନେପାଳର ଭୋଟେ କୋଶି ନଦୀ ଅଞ୍ଚଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ଆସିଥିଲା। ଏଥିରେ ବହୁ ଜୀବନ ଯାଇଥିବା ସହ ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ।

ଘର, ରାସ୍ତା, ପୋଲ, ଜଳବିଦ୍ୟୁତ ପ୍ରକଳ୍ପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଯାହାର ଭରଣା କେବେ ହେବ ତାହା ଏକ ବଡ଼ ଚିନ୍ତାର ବିଷୟ।

ଏହି ଘଟଣାକୁ ସପ୍ତାହେ ବିତିଯାଇଥିଲେ ବି ଏବେ ବି ମୃତ ଦେହ ସନ୍ଧାନରେ ରହିଛନ୍ତି ଉଦ୍ଧାରକାରୀ ଦଳ। ଅନେକ ଲୋକ ଏବେ ବି ନିଖୋଜ ଥିବା ବେଳେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣା ପରେ ପୁଣିଥରେ ୨୬ ତାରିଖକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତୁର୍କିଏରେ ଭୟଙ୍କର ଭୂକମ୍ପ: ଇତିହାସର ପୃଷ୍ଠା ଓଲଟାଇଲେ ୨୬ ଡିସେମ୍ବର ୧୯୩୯ର ଘଟଣା ସାମ୍ନାକୁ ଆସେ। ତୁର୍କିଏର ଏର୍ଜିନକାନ୍ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା। ଏହି ବିପର୍ଯ୍ୟୟରେ ପ୍ରାୟ ୩୨,୭୦୦ ଲୋକଙ୍କ ଜୀବନ ଯାଇଥିବା ରେକର୍ଡ ରହିଛି।

ଚୀନରେ ଭୟଙ୍କର ଖଣି ଦୁର୍ଘଟଣା: ୨୬ ଏପ୍ରିଲ ୧୯୪୨। ଚୀନର ବେଞ୍ଜିହୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। କୋଇଲା ଧୂଳିର ବିସ୍ଫୋରଣ ଏବଂ ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ୧,୫୪୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହା ଖଣି ଇତିହାସର ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ।

ଚେର୍ନୋବିଲ୍‌ର ପରମାଣୁ ଦୁର୍ଘଟଣା: ୨୬ ଏପ୍ରିଲ ୧୯୮୬ରେ ୟୁକ୍ରେନ୍‌ର ଚେର୍ନୋବିଲ୍ ପରମାଣୁ କେନ୍ଦ୍ରରେ ଘଟିଥିବା ଦୁର୍ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା। ପରମାଣୁ ରିଆକ୍ଟରରେ ବିସ୍ଫୋରଣ ପରେ ବିକିରଣ ବ୍ୟାପିଥିଲା। ଏହି ଘଟଣାକୁ ଆଜି ବି ବିଶ୍ୱର ସବୁଠାରୁ ଭୟଙ୍କର ପରମାଣୁ ଦୁର୍ଘଟଣା ମଧ୍ୟରେ ଗଣାଯାଏ।

ଗଣତନ୍ତ୍ର ଦିବସରେ ଗୁଜରାଟ ଭୂକମ୍ପ: ଭାରତ ପାଇଁ ୨୬ ଜାନୁଆରୀ ୨୦୦୧ ଦିନଟି କେବେ ଭୁଲିହେବ ନାହିଁ। ଦେଶ ଯେତେବେଳେ ଗଣତନ୍ତ୍ର ଦିବସ ପାଳନ କରୁଥିଲା, ସେହି ସମୟରେ ଗୁଜରାଟର କଚ୍ଛ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା। ଏଥିରେ ପ୍ରାୟ ୨୦ ହଜାର ଲୋକଙ୍କ ଜୀବନ ଯାଇଥିବା ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ରହିଛି। ଲକ୍ଷ ଲକ୍ଷ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଇରାନର ବାମ୍ ଭୂକମ୍ପ: ୨୬ ଡିସେମ୍ବର ୨୦୦୩ରେ ଇରାନର ଐତିହାସିକ ସହର ବାମ୍‌ରେ ଭୟଙ୍କର ଭୂକମ୍ପ ହୋଇଥିଲା। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ସହରର ବ୍ୟାପକ କ୍ଷତି ହୋଇଥିଲା।

ହିନ୍ଦ ମହାସାଗରର ମହାସୁନାମି: ୨୬ ଡିସେମ୍ବର ୨୦୦୪। ଏହି ଦିନଟି ବିଶ୍ୱ ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସହ ଜଡ଼ିତ। ଇଣ୍ଡୋନେସିଆର ସୁମାତ୍ରା ନିକଟ ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ପରେ ଭୟଙ୍କର ସୁନାମି ଲହରୀ ଉଠିଥିଲା।

ଭାରତ ସମେତ ଅନେକ ଦେଶରେ ଏହା ବ୍ୟାପକ ତବାହି ମଚାଇଥିଲା। ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଏହି ବିପର୍ଯ୍ୟୟରେ ବିପୁଳ ଜୀବନହାନି ହୋଇଥିଲା।

ମୁମ୍ବାଇରେ ରେକର୍ଡ ବର୍ଷା: ୨୬ ଜୁଲାଇ ୨୦୦୫ରେ ମୁମ୍ବାଇରେ ଅତ୍ୟଧିକ ବର୍ଷା ହୋଇଥିଲା। କିଛି ଘଣ୍ଟା ମଧ୍ୟରେ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ରାସ୍ତାଘାଟ, ରେଳ ଚଳାଚଳ ଓ ସାଧାରଣ ଜୀବନ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା।

ଇଣ୍ଡୋନେଶିଆରେ ଭୂକମ୍ପ: ୨୬ ମେ ୨୦୦୬ରେ ଇଣ୍ଡୋନେଶିଆର ଜାଭା ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଏଥିରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା ଏବଂ ବ୍ୟାପକ ଧ୍ୱଂସ ହୋଇଥିଲା।

ମୁମ୍ବାଇ ଆତଙ୍କୀ ଆକ୍ରମଣ: ଭାରତ ପାଇଁ ୨୬ ନଭେମ୍ବର ୨୦୦୮ ଆଉ ଏକ କଳା ଦିନ। ଏହି ଦିନ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆରମ୍ଭ ହୋଇଥିଲା। ଏହି ଘଟଣା ୨୬/୧୧ ଆକ୍ରମଣ ଭାବେ ପରିଚିତ ଏବଂ ଏଥିରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଥିଲା।

ତାହେଲେ ସତରେ ୨୬ ତାରିଖ ଅଶୁଭ: ଏତେଗୁଡ଼ିଏ ବଡ଼ ଘଟଣା ୨୬ ତାରିଖରେ ଘଟିଥିବାରୁ ଲୋକଙ୍କ ମନରେ ଏହି ତାରିଖକୁ ନେଇ ଭୟ କିମ୍ବା ଅଶୁଭର ଧାରଣା ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ କେବଳ କିଛି ବିପର୍ଯ୍ୟୟ ସମାନ ତାରିଖରେ ଘଟିଛି ବୋଲି ୨୬ ତାରିଖକୁ ବୈଜ୍ଞାନିକ ଭାବେ ‘ମନହୁସ୍’ ବା ଅଶୁଭ ବୋଲି କହିହେବ ନାହିଁ।

ତେବେ ସଂଯୋଗ ହେଉ କି ନ ହେଉ, ଇତିହାସର ଏହି ଘଟଣାଗୁଡ଼ିକୁ ଦେଖିଲେ ୨୬ ତାରିଖ ସହ ଜଡ଼ିତ ଘଟଣାର ତାଲିକା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ଆଉ ଏହି କାରଣରୁ ହିଁ ୨୬ ତାରିଖକୁ ନେଇ ସୋସିଆଲ ମିଡିଆରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।