ମଧୁମେହ ଏବଂ ମଦ୍ୟପାନ: ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକର, ହେବ କି କ୍ୟାନ୍ସର..
ଡାଏବେଟିସ୍ ରୋଗୀ ମଦ ପିଇବା ଉଚିତ କି? ଲିଭରଠାରୁ ପାନ୍କ୍ରିୟାଜ୍ ପର୍ଯ୍ୟନ୍ତ ହୋଇପାରେ କ୍ଷତି
ଓଡ଼ିଶା ଭାସ୍କର ଡେସ୍କ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହାର ସିଧାସଳଖ ପ୍ରଭାବ ଯକୃତ ଉପରେ ପଡ଼ିଥାଏ। ଦୀର୍ଘ ସମୟ ଧରି ମଦ ସେବନ କରିବା ଦ୍ୱାରା ଫ୍ୟାଟି ଲିଭର୍, ଲିଭର୍ ସିରୋସିସ୍ ଏବଂ ଶେଷରେ ଲିଭର୍ କ୍ୟାନସର୍ ଭଳି ଭୟଙ୍କର ରୋଗର ଆଶଙ୍କା ବୃଦ୍ଧି ପାଇଥାଏ।
ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମଧ୍ୟ ମଦ୍ୟପାନ କେବଳ କ୍ଷତି ହିଁ ଘଟାଇଥାଏ। କିନ୍ତୁ ଯଦି କାହାର ମଧୁମେହ ଭଳି ରୋଗ ଥାଏ, ତେବେ ମଦ୍ୟପାନ ଅଗ୍ନାଶୟକୁ ମଧ୍ୟ ଗଭୀର କ୍ଷତି ପହଞ୍ଚାଇଥାଏ, ଯାହା ଶରୀରରେ ଇନସୁଲିନ୍ ତିଆରି କରିବାର କ୍ଷମତାକୁ ପ୍ରଭାବିତ କରିଥାଏ।
ମଧୁମେହରେ ମଦ୍ୟପାନ ଏବଂ କ୍ୟାନସର୍ ଆଶଙ୍କା: ଡାକ୍ତରଙ୍କ କହିବା ଅନୁସାରେ, ୫,୦୪,୫୪୬ ଜଣ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ବଡ଼ ଗବେଷଣାରୁ ଜଣାପଡିଛି ଯେ, ମଦ୍ୟପାନ ଯକୃତ କ୍ୟାନସର୍, ମୁହଁ, ପେଟ, ଅଗ୍ନାଶୟ ଏବଂ ପ୍ରୋଷ୍ଟେଟ୍ କ୍ୟାନସର୍ ଆଶଙ୍କାକୁ ବଢ଼ାଇଦେଇଥାଏ। ମଦରେ ଥିବା ଏକ ଉପାଦାନ ‘ଏସେଟାଲଡିହାଇଡ୍’ ଶରୀରରେ କ୍ୟାନସର୍ କୋଷଗୁଡ଼ିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ମଦ୍ୟପାନ ପାଇଁ କୌଣସି ‘ସୁରକ୍ଷିତ ସୀମା’ ନାହିଁ: ଡାକ୍ତରଙ୍କକହିବା ଅନୁଯାୟୀ ମଧୁମେହ ରୋଗୀଙ୍କ ସମେତ ଯେକୌଣସି ବ୍ୟକ୍ତିଙ୍କ ପାଇଁ ମଦ୍ୟପାନ କରିବାର କୌଣସି ନିରାପଦ କିମ୍ବା ସୁରକ୍ଷିତ ସୀମା ନାହିଁ। ମଧୁମେହ ରୋଗୀଙ୍କ ପାଇଁ ନିୟମିତ ମଦ ସେବନ କରିବା ‘କ୍ଷତରେ ଲୁଣ ଛିଞ୍ଚିବା’ ସହିତ ସମାନ ଅଟେ। ଏହାଦ୍ୱାରା ଫ୍ୟାଟି ଲିଭର୍ ଏବଂ ଲିଭର୍ ଫାଇବ୍ରୋସିସ୍ ଭଳି ସମସ୍ୟା ଅଧିକ ଜଟିଳ ହୋଇପାରେ।
ରକ୍ତରେ ଶର୍କରା ସ୍ତର ଉପରେ ପ୍ରଭାବ: ମଧୁମେହ ରୋଗୀମାନେ ମଦ ପିଇଲେ ଏହା ସେମାନଙ୍କ ରକ୍ତରେ ଶର୍କରାର ସ୍ତରକୁ ବିପଜ୍ଜନକ ଭାବରେ ହ୍ରାସ କରିପାରେ, ଯାହାକୁ ‘ହାଇପୋଗ୍ଲାଇସିମିଆ’ କୁହାଯାଏ। ଇନସୁଲିନ୍ ବା ଅନ୍ୟାନ୍ୟ ଔଷଧ ସେବନ କରୁଥିବା ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ମାରାତ୍ମକ ହୋଇପାରେ। ତେଣୁ ମଧୁମେହ ରୋଗୀମାନେ ମଦ୍ୟପାନରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍।


