କ’ଣ ତଳେ ଖାଲି ପାଦରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ? ଘରେ ଚପଲ ପିନ୍ଧି ଚାଲିବା ଉଚିତ୍ କି ନୁହେଁ, ସେ ନେଇ କ’ଣ କହିଛନ୍ତି ବିଶେଷଜ୍ଞ ?

ଆଜିକାଲି ସ୍ୱାସ୍ଥ୍ୟ ସଚେତନତା ମଧ୍ୟରେ ଅନେକ ଲୋକ ଖାଲି ପାଦରେ ଚାଲିବାକୁ ଏକ ପ୍ରାକୃତିକ ଚିକିତ୍ସା ବା ‘ନ୍ୟାଚୁରାଲ୍ ଥେରାପି’ ଭାବେ ଗ୍ରହଣ କରୁଛନ୍ତି। ତେବେ ଘରର ଚଟାଣରେ ଖାଲି ପାଦରେ ଚାଲିବା କେତେଦୂର ସ୍ୱାସ୍ଥ୍ୟପ୍ରଦ, ସେ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି।

Benefits of Walking barefoot : ଆଜିକାଲି ସ୍ୱାସ୍ଥ୍ୟ ସଚେତନତା ମଧ୍ୟରେ ଅନେକ ଲୋକ ଖାଲି ପାଦରେ ଚାଲିବାକୁ ଏକ ପ୍ରାକୃତିକ ଚିକିତ୍ସା ବା ‘ନ୍ୟାଚୁରାଲ୍ ଥେରାପି’ ଭାବେ ଗ୍ରହଣ କରୁଛନ୍ତି। ତେବେ ଘରର ଚଟାଣରେ ଖାଲି ପାଦରେ ଚାଲିବା କେତେଦୂର ସ୍ୱାସ୍ଥ୍ୟପ୍ରଦ, ସେ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି। ଏହି ବିଷୟ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ପ୍ରାକୃତିକ ପରିବେଶ ବନାମ ଘରର ଚଟାଣ: ବିଶେଷଜ୍ଞଙ୍କ ମତରେ, ଘାସ କିମ୍ବା ମାଟି ଉପରେ ଖାଲି ପାଦରେ ଚାଲିବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାଦ୍ୱାରା ପାଦର ମାଂସପେଶୀ ମଜଭୁତ ହେବା ସହ ଶରୀରର ଭାରସାମ୍ୟ ରକ୍ଷା ହୋଇଥାଏ, ରକ୍ତ ସଞ୍ଚାଳନରେ ଉନ୍ନତି ଆସେ ଏବଂ ଶରୀରରେ ଶକ୍ତିର ପ୍ରବାହ ବଢ଼ିଥାଏ। ବିଶେଷକରି ଶିଶୁମାନଙ୍କ ପାଇଁ ଏହା ଅଧିକ ଲାଭଦାୟକ।

ତେବେ, ଘରର ଚଟାଣରେ ଖାଲି ପାଦରେ ଚାଲିବା ସର୍ବଦା ହିତକର ନୁହେଁ। ପ୍ରସିଦ୍ଧ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଘରର ଚଟାଣରେ ବାହାରୁ ଆସିଥିବା ଅପରିଷ୍କାର ଧୂଳିମଳି ବା ଜୀବାଣୁ ରହିପାରେ, ଯାହା ସଂକ୍ରମଣର କାରଣ ହୋଇପାରେ। ତେଣୁ, ଘରର ଚଟାଣରେ ଚାଲିବା ବେଳେ ଚପଲ ପିନ୍ଧିବା ସୁରକ୍ଷିତ ବୋଲି ସେ ମତ ଦେଇଛନ୍ତି।

କାହାକୁ ସାବଧାନ ରହିବା ଆବଶ୍ୟକ? କିଛି ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ପାଇଁ ନଙ୍ଗଳା ପାଦରେ ଚାଲିବା କ୍ଷତିକାରକ ହୋଇପାରେ। ବିଶେଷକରି:

ଡାଇବେଟିସ୍ (ମଧୁମେହ) ରୋଗୀ।

ବୟସ୍କ ବ୍ୟକ୍ତି।

ଯେଉଁମାନଙ୍କର ଗୋଇଠି ବା ପାଦରେ ଅତ୍ୟଧିକ ଯନ୍ତ୍ରଣା ରହିଛି। ଏହି ବର୍ଗର ବ୍ୟକ୍ତିମାନେ ଖାଲି ପାଦରେ ଚାଲିଲେ ଆଘାତ ପାଇବାର ସମ୍ଭାବନା ଅଧିକ ଥାଏ।

ପରାମର୍ଶ: ଯଦି ଆପଣଙ୍କ ଘରର ପରିମଳ ବ୍ୟବସ୍ଥା ଉତ୍ତମ ଏବଂ ଚଟାଣ ସର୍ବଦା ସଫା ରହୁଛି, ତେବେ ଖାଲି ପାଦରେ ଚାଲିବାରେ ସେପରି କିଛି ଅସୁବିଧା ନାହିଁ। କିନ୍ତୁ ଯଦି ଘରେ ବାହାରୁ ଲୋକଙ୍କ ଆବାଜାବ ଅଧିକ ଥାଏ, ତେବେ ସଂକ୍ରମଣ ଓ ପାଦର ସମସ୍ୟାରୁ ବଞ୍ଚିବା ପାଇଁ ଘର ଭିତରେ ଚପଲ ବ୍ୟବହାର କରିବା ହିଁ ବୁଦ୍ଧିମାନର କାମ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଜର ଶାରୀରିକ ସ୍ଥିତିକୁ ବିଚାର କରିବା ଏବଂ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।