ମେଟ ଗାଲା ୨୦୨୬ ରେ ଈଶା ଅମ୍ବାନୀଙ୍କ ଜଲୱା: ସୁନା ସୂତାର ଶାଢ଼ୀ, ମା’ଙ୍କ ଗହଣାରେ ତିଆରି ହୀରା ବ୍ଲାଉଜ ଏବଂ ‘ମ୍ୟାଙ୍ଗୋ ପର୍ସ’ ପାଇଁ ଚର୍ଚ୍ଚାରେ

ମେଟ୍ ଗାଲା ୨୦୨୬ ରେ ଈଶା ଅମ୍ବାନୀ ନିଜର ଶୈଳୀ ପାଇଁ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଈଶା ମେଟ ଗାଲାର ରେଡ କାର୍ପେଟରେ ସୁନା ସୂତାରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଶାଢ଼ୀ ପିନ୍ଧିଥିଲେ।

Met Gala 2026 : ମେଟ୍ ଗାଲା ୨୦୨୬ରେ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ନିଜ ଲୁକ୍‌ ଯୋଗୁଁ ବେଶ ଚର୍ଚ୍ଚାରେ ରହିଛନ୍ତି। ସେ ଏହି ଆନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ଫ୍ୟାଶନ ଏବଂ କଳାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଦମଦାର ଶୈଳୀ ଆପଣାଇଥିଲେ। ଈଶା ବିଶ୍ୱର ସବୁଠାରୁ ବଡ଼ ଫ୍ୟାଶନ ଇଭେଣ୍ଟରେ ପ୍ରସିଦ୍ଧ ଡିଜାଇନର ଗୌରବ ଗୁପ୍ତାଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଶାଢ଼ୀ ପିନ୍ଧିଥିଲେ, ଯେଉଁଥିରେ ହାତରେ ଅଙ୍କାଯାଇଥିବା ‘ପିଛୱାଇ’ (Pichwai) ଶୈଳୀର ମୋଟିଫ ଏବଂ ଗୁପ୍ତାଙ୍କ ସିଗ୍ନେଚର ଷ୍ଟାଇଲର ଏକ ଆକର୍ଷଣୀୟ ‘କେପ୍’ ସାମିଲ ଥିଲା।

ମେଟ ଗାଲାରେ ଈଶା ଅମ୍ବାନୀ ପିନ୍ଧିଥିଲେ ସୁନା ସୂତାର ଶାଢ଼ୀ

ସୂଚନାଯୋଗ୍ୟ ଯେ, ଈଶା ଅମ୍ବାନୀ ମେଟ ଗାଲା 2026ରେ ପିନ୍ଧିଥିବା ଏହି ଶାଢ଼ୀକୁ ରିଲାଏନ୍ସ ରିଟେଲ୍‌ର ସ୍ୱତନ୍ତ୍ର ବ୍ରାଣ୍ଡ ‘ସ୍ୱଦେଶ’ର କାରିଗରମାନେ ଶୁଦ୍ଧ ସୁନା ସୂତାରେ ବୁଣିଥିଲେ। ଏହି ଆଉଟଫିଟ୍‌କୁ ୫୦ରୁ ଅଧିକ କାରିଗର ପ୍ରାୟ ୧୨୦୦ ଘଣ୍ଟାରୁ ଅଧିକ ସମୟ ଧରି ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି। ଏଥିରେ ଟେକ୍ସଟାଇଲ ମାଷ୍ଟରୀ, ଜୁଏଲାରୀ କ୍ରାଫ୍ଟମ୍ୟାନ୍‌ସିପ ଏବଂ ପାରମ୍ପରିକ କଳା କୌଶଳର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି।

ଈଶାଙ୍କର ଏହି ଶାଢ଼ୀ ସହିତ ଏକ ସ୍ୱତନ୍ତ୍ର ବ୍ଲାଉଜ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ ଅସଲି ହୀରା ଖଞ୍ଜା ଯାଇଥିଲା। ଏହି ବ୍ଲାଉଜ୍‌ର ପଛ ଭାଗକୁ ଏକ ଐତିହାସିକ ଗହଣା- ନିଜାମଙ୍କ ଜୁଏଲାରୀ କଲେକ୍ସନର ଏକ ଚମତ୍କାର ‘ସରପେଚ୍’ ଦ୍ୱାରା ସଜାଯାଇଥିଲା। ରେଡ କାର୍ପେଟରେ ‘ଭୋଗ୍’ (Vogue) କୁ ଦେଇଥିବା ଏକ ସାକ୍ଷାତକାରରେ ଈଶା କହିଥିଲେ, “ଏହି ବ୍ଲାଉଜ୍ ମୋ ମା’ଙ୍କ ଗହଣାରେ ସଜ୍ଜିତ ହୋଇଛି।”

ଡିଜାଇନର ଗୌରବ ଗୁପ୍ତା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି:

“ଏହି ବ୍ଲାଉଜ୍‌ରେ ୧୮୦୦ କ୍ୟାରେଟ୍‌ରୁ ଅଧିକ ହୀରା, ପାନ୍ନା (Emerald), ପୋଲକି ଏବଂ କୁନ୍ଦନ ବ୍ୟବହାର କରାଯାଇଛି, ଯାହା ଏହାକୁ ଐତିହ୍ୟ ଏବଂ ଆଧୁନିକତାର ଏକ ଜୀବନ୍ତ କଳାକୃତିରେ ପରିଣତ କରିଛି।”

ଈଶା ଅମ୍ବାନୀ ଦେଖାଇଲେ ନିଜରମ୍ୟାଙ୍ଗୋ ପର୍ସ’

ଈଶା ଅମ୍ବାନୀଙ୍କ ଏହି ଚମତ୍କାର ମେଟ ଗାଲା ଲୁକ୍‌ର ବିଶେଷତ୍ୱ କେବଳ ଶାଢ଼ୀ କିମ୍ବା ଗହଣାରେ ସୀମିତ ନଥିଲା। ସେ ରେଡ କାର୍ପେଟରେ ନିଜ ସହ ଏକ ଅପୂର୍ବ କଳାକୃତି ମଧ୍ୟ ଧରିଥିଲେ। ପ୍ରକୃତରେ, ଈଶା ବିଶିଷ୍ଟ କଳାକାର ସୁବୋଧ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏକ ‘ମ୍ୟାଙ୍ଗୋ ସ୍କଲପ୍‌ଚର’ (ଆମ୍ବ ସଦୃଶ କଳାକୃତି) ଧରି ଓହ୍ଲାଇଥିଲେ, ଯାହାକୁ ଏକ କ୍ରୋସେ ବ୍ୟାଗ୍ (crochet bag) ଭିତରେ ରଖାଯାଇଥିଲା।

ଏହି କଳାକୃତି କେବଳ ଭାରତର ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁନାହିଁ, ବରଂ ଏହା କଳାର ଏକ ଜୀବନ୍ତ ରୂପ ଅଟେ, ଯାହା ଚଳିତ ବର୍ଷର ଥିମ୍ “ଫ୍ୟାଶନ୍ ଇଜ୍ ଆର୍ଟ”କୁ ସମ୍ପୂର୍ଣ୍ଣ ଭାବେ ସାର୍ଥକ କରୁଛି।

ଈଶାଙ୍କର ଏହି ଲୁକ୍‌କୁ ୨୫୦ କ୍ୟାରେଟ୍‌ରୁ ଅଧିକ ହୀରାରେ ନିର୍ମିତ ଏକ ବହୁସ୍ତରୀୟ ହାର, ହାତରେ ହାତଫୁଲ ଏବଂ ଶାଢ଼ୀର ଡ୍ରେପ୍‌କୁ ଛୁଉଁଥିବା ଏକ ଚମତ୍କାର ହୀରା କମରବନ୍ଧ ଦ୍ୱାରା ସଂପୂର୍ଣ୍ଣ କରାଯାଇଥିଲା।

ଷ୍ଟାଇଲିଷ୍ଟ ଅନାଇତା ଶ୍ରଫ ଅଦଜାନିଆ ଏଥିରେ ଜାଇଫୁଲ (Jasmine) ଦ୍ୱାରା ଅନୁପ୍ରାଣିତ ଏକ ଗଜରା ମଧ୍ୟ ଯୋଡ଼ିଥିଲେ। ଏହାକୁ ସୌରଭ ଗୁପ୍ତା କାଗଜ, ତମ୍ବା ଏବଂ ପିତ୍ତଳ ବ୍ୟବହାର କରି ପ୍ରାୟ ୧୫୦ ଘଣ୍ଟା ପରିଶ୍ରମରେ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ଭାରତୀୟ ରଙ୍ଗରେ ସଜାଯାଇଥିଲା।

ଈଶା ଅମ୍ବାନୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ। ସେ ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କ ଭଉଣୀ। ୨୦୧୮ ମସିହା ଡିସେମ୍ବର ମାସରେ ସେ ବ୍ୟବସାୟୀ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ଈଶାଙ୍କର ଦୁଇଟି ସନ୍ତାନ ଅଛନ୍ତି- ଜଣେ ପୁଅ ଏବଂ ଜଣେ ଝିଅ।