ହିନ୍ଦୁଙ୍କ ରକ୍ତରେ ହୋଲି ଖେଳିବା ପାଇଁ ମନ୍ଦିରର ଫଟୋ ଉଠାଇ ପାକିସ୍ତାନ ପଠାଇଥିଲେ ଆତଙ୍କୀ

ମନ୍ଦିରର ଫଟୋ ଓ ଆଖପାଖର ସୂଚନା ପାକିସ୍ତାନରେ ଥିବା ସୋସିଆଲ ମିଡିଆ ହ୍ୟାଣ୍ଡଲର୍ସଙ୍କୁ ପଠାଯାଇଥିଲେ

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିଲା ଭାରତର ହିନ୍ଦୁ ମନ୍ଦିର। ସେଥିପାଇଁ ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟ ଶାହଜାଦ ଭଟ୍ଟି କରିଥିଲା ପୂରା ପ୍ଲାନ। ଏପରିକି ତାଙ୍କ ନିର୍ଦ୍ଦେଶରେ ଆତଙ୍କୀମାନେ ରକ୍ତର ହୋଲି ଖେଳିବା ପାଇଁ ଦେଶର ରାଜଧାନୀ ନୂଆଦିଲ୍ଲୀର ବଡ଼ବଡ଼ ମନ୍ଦିର ଓ ଜନଗହଳୀ ପୂର୍ଣ୍ଣ ଢ଼ାବାର ଫଟୋ ଉଠାଇ ପାକିସ୍ତାନ ପଠାଇଥିଲା। ହେଲେ ପାକିସ୍ତାନର ଏହି ଯୋଜନା ପଣ୍ଡ କରିଛି ଦିଲ୍ଲୀର ସ୍ପେଶାଲ୍‌୍ ସେଲ୍ ପୋଲିସ।

ପାକିସ୍ତାନୀ ଡନ୍ ଓ ଆଇଏସ୍‌ଆଇ ଏଜେଣ୍ଟ ଶାହଜାଦ ଭଟ୍ଟିଙ୍କ ସହ ସମ୍ପର୍କ ରଖିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ବେଳେ ମିଳିଛି ଭୟଙ୍କର ତଥ୍ୟ। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଛନ୍ତି, ଦିଲ୍ଲୀର ଏକ ପ୍ରସିଦ୍ଧ ମନ୍ଦିରକୁ ଟାର୍ଗେଟ କରିଥିଲେ। ଏଥିସହ ମନ୍ଦିରର ରେକି ମଧ୍ୟ କରିଥିଲେ।

ମନ୍ଦିରର ଫଟୋ ଓ ଆଖପାଖର ସୂଚନା ପାକିସ୍ତାନରେ ଥିବା ସୋସିଆଲ ମିଡିଆ ହ୍ୟାଣ୍ଡଲର୍ସଙ୍କୁ ପଠାଯାଇଥିଲେ। ପଚରାଉଚରାରୁ ଏହା ମଧ୍ୟ ଖୁଲାସା ହୋଇଛି ଯେ ମନ୍ଦିରରେ ମୁତୟନ ଥିବା ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବାର ଯୋଜନା ରହିଥିଲା। ଆତଙ୍କୀଙ୍କ ଉଦ୍ଦେଶ୍ୟ ଥିଲା ଗୁଳିଚାଳନା କରି ମନ୍ଦିର ପରିସରରେ ଆତଙ୍କ ସୃଷ୍ଟି କରିବା।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆହୁରି ମଧ୍ୟ ଜାଣିବାକୁ ପାଇଛି, ଆତଙ୍କୀମାନେ ମନ୍ଦିର ବ୍ୟତୀତ ଦିଲ୍ଲୀ-ସୋନିପଥ ହାଇୱେରେ ଥିବା ଏକ ଜନଗହଳୀ ପୂର୍ଣ୍ଣ ଢାବାକୁ ଟାର୍ଗେଟ କରିଥିଲେ। ଆତଙ୍କୀମାନେ ହ୍ୟାଣ୍ଡ ଗ୍ରେନେଡ୍‌ରେ ଆକ୍ରମଣ କରି ବଡ଼ ଧରଣର ବିନାଶ କରିବାର ଷଡ଼ଯନ୍ତ୍ର କରିଥିଲେ। ଏତିକି ନୁହେଁ, ହରିୟାଣାର ହିସାରରେ ଥିବା ଏକ ସୈନ୍ୟ କ୍ୟାମ୍ପର ମଧ୍ୟ ରେକି କରାଯାଇଥିଲା। ଅଭିଯୁକ୍ତମାନେ ସୈନ୍ୟ କ୍ୟାମ୍ପର ଭିଡିଓ ପାକିସ୍ତାନରେ ଥିବା ହ୍ୟାଣ୍ଡଲର୍ସଙ୍କୁ ପଠାଇଥିଲେ। ଠିକ୍ ସେହିପରି ଉତ୍ତର ପ୍ରଦେଶର କିଛି ଥାନା ଓ ସେଠାରେ ମୁତୟନ ପୋଲିସ କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା କରିଥିଲେ ଆତଙ୍କୀ। ଯାହାର ପର୍ଦ୍ଦାଫାସ ହେବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଅକଲ ଗୁଡ଼ୁମ ହୋଇଯାଇଛି।

ସୂଚନାରୁୂ ପ୍ରକାଶ, ଗତ କିଛି ଦିନ ହେବ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଚାଲିଛି ସ୍ୱତନ୍ତ୍ର ଅପରେସନ। ଏହି ସମୟରେ ପାକିସ୍ତାନ ଆଇଏସ୍‌ଆଇର ଏଜେଣ୍ଟ ଶାହଜାଦ ଭଟ୍ଟିଙ୍କ ସହ ସମ୍ପର୍କ ରଖିଥିବା ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥିଲା। ବର୍ତ୍ତମାନ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଓ ଅନ୍ୟ ଏଜେନ୍ସିମାନେ ପୂରା ନେଟୱାର୍କର ଗଭୀର ତଦନ୍ତ କରୁଛନ୍ତି। ଅନେକ ନୂଆ ଓ ବଡ଼ ଖୁଲାସା ହେଉଛି।