fbpx

ଗାଜା ପଟି ଉପରେ ଇସ୍ରାଏଲର ଆକ୍ରମଣ ଜାରି, ହମାସର ଶୀର୍ଷ ନେତାଙ୍କ ଘର ଉଡାଇ ଦେଲେ ଇସ୍ରାଏଲୀ ସେନା

ଜେରୁସେଲମ ୧୬ ।୦୫: ପାଲେଷ୍ଟାଇନର ଗାଜା ପଟିରେ ଇସ୍ରାଏଲ ସେନାର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ସେନା ହମାସ ଆତଙ୍କବାଦୀଙ୍କୁ ଠାବ କରି ରକେଟ୍ ହମଲା ଜାରି ରଖିଛି । ଗାଜାରେ ହମାସର ଏକ ବଡ ନେତାଙ୍କ ଘରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ ଆର୍ମି ରବିବାର ସୂଚନା ଦେଇଛନ୍ତି । ଗାଜାରୁ ଇସ୍ରାଏଲ ଉପରେ ରକଟେ୍ ହମଲା ହେବାର ପ୍ରାୟ ସାତ ଦିନ ପରେ ଇସ୍ରାଏଲ ସେନା ହମାସର ବଡ ନେତା ଉପରେ ଏହି ଆକ୍ରମଣ କରିଛିି ।

ସେନା ମୁଖପାତ୍ର ବ୍ରିଗେଡିୟର ଜେନେରାଲ ହିଦାଇ ଜିଲବର ମ୍ୟାନ୍ ରବିବାର ଇସ୍ରାଏଲ ସେନାର ରେଡିଓକୁ ସୂଚନା ଦେଇଛନ୍ତି ଯେ, ସେନା ଦକ୍ଷିଣ ଗାଜା ପଟିର ଖାନ ୟୁନୁସ ସହରରେ ସ୍ଥିତ ହମାସର ସବୁଠୁ ବରିଷ୍ଠ ନେତା ୟେହିୟେହ ସିନବାରର ଘରକୁ ନିଶାଣ କରି ଉଡାଇ ଦେଇଛି । ସେଠାରେ ସିନବାର ଛପି ରହିଥିବାର ସୂଚନା ଆଧାରରେ ଏହି ଆକ୍ରମଣ କରାଯାଇଛି ।

ହମାସ ଓ ଇସଲାମିକ ଜିହାଦ ଗୋଷ୍ଠୀ ଗତ ସୋମବାରଠୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ତାର ୨୦ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛି । ବାସ୍ତବରେ ମୃତକ ଆତଙ୍କବାଦୀଙ୍କ ସଂଖ୍ୟା ଅଧିକ ହେବ ବୋଲି ଇସ୍ରାଏଲ କହିଛି।

ସୂଚନାଯୋଗ୍ୟ, ମଧ୍ୟ ପୂର୍ବ ଏସିଆରେ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଲଗାତାର ଜାରି ରହିଛି । ଏହା ମଧ୍ୟରେ ପାଲେଷ୍ଟାଇନର ରାଷ୍ଟ୍ରପତି ମେହମୁଦ ଅବାସ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି । ବିବାଦର ସମାଧାନ ପାଇଁ ଆମେରିକା ହସ୍ତକ୍ଷେପ କରୁ ବୋଲି ଅବାସ ଆମେରିକା ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.