‘ପ୍ରତି ରାତିରେ ଗାଜାରେ ୩୦ରୁ ୪୦ ଜଣଙ୍କୁ ହତ୍ୟା କରାଯାଉ’: ଇସ୍ରାଏଲ୍ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା
ଇସ୍ରାଏଲ୍ ମନ୍ତ୍ରୀ ଇତମାର ବେନ୍-ଗ୍ଭିରଙ୍କ ବିବାଦୀୟ ବୟାନ, ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା
ଓଡ଼ିଶା ଭାସ୍କର ଡେସ୍କ: ଅକ୍ଟୋବର ୨୦୨୩ରେ ଇସ୍ରାଏଲ୍ ଉପରେ ହମାସର ଆକ୍ରମଣ ପରେ ଇସ୍ରାଏଲ୍ ସେନା ହମାସକୁ ନିପାତ କରିବା ସହ ଗାଜାକୁ ବୋମାମାଡ଼ କରି ଧ୍ୱଂସସ୍ତୂପରେ ପରିଣତ କରିସାରିଛି। ଏହି ସମୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମେଣ୍ଟ ସରକାରରେ ସାମିଲ ଥିବା ଜଣେ କଟ୍ଟରପନ୍ଥୀ ମନ୍ତ୍ରୀ ଗାଜାରେ ପ୍ରତି ରାତିରେ ୩୦ରୁ ୪୦ ଜଣଙ୍କୁ ଟାର୍ଗେଟ୍ କରି ହତ୍ୟା କରିବାକୁ ଖୋଲାଖୋଲି କହିବା ପରେ ବିବାଦ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରୀ ଇତମାର ବେନ୍-ଗ୍ଭିରଙ୍କ ଏହି ବିବାଦୀୟ ମନ୍ତବ୍ୟ ପାଲେଷ୍ଟାଇନ୍ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।
ଲୋକଙ୍କୁ ଟାର୍ଗେଟ୍ କରି ମାରିବା ଉଚିତ୍: ପୂର୍ବରୁ ଗାଜାରେ ବନ୍ଧକ ରହିଥିବା ରୋମ୍ ବ୍ରାସଲାଭସ୍କିଙ୍କ ଏକ ପଡ୍କାଷ୍ଟରେ ଇତମାର ବେନ୍-ଗ୍ଭିର ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉଭୟ ୭ ଅକ୍ଟୋବର ୨୦୨୩ ହମାସ ଆକ୍ରମଣ ପରବର୍ତ୍ତୀ ଇସ୍ରାଏଲର ପରିସ୍ଥିତି ଉପରେ ଆଲୋଚନା କରୁଥିଲେ। ଏହି ସମୟରେ ବେନ୍-ଗ୍ଭିର ଗାଜାରେ ଇସ୍ରାଏଲର ସାମ୍ପ୍ରତିକ ଏୟାରଷ୍ଟ୍ରାଇକ୍ରେ ହ୍ରାସ ଘଟିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ସେ କହିଥିଲେ, “ପ୍ରଧାନମନ୍ତ୍ରୀଙ୍କ ସହ ମୋର ମତଭେଦ ରହିଛି ଏବଂ ଏହା କାହାକୁ ଅଛପା ନାହିଁ। ମୋ ମତରେ ଗାଜାରେ ଲୋକଙ୍କୁ ଟାର୍ଗେଟ୍ କରାଯାଇ ପ୍ରତି ରାତିରେ ୩୦ରୁ ୪୦ ଜଣଙ୍କୁ ହତ୍ୟା କରାଯିବା ଉଚିତ୍। କେବଳ ସେହି ଲୋକମାନଙ୍କୁ ନୁହେଁ ଯେଉଁମାନେ ପ୍ରତ୍ୟକ୍ଷ ବିପଦ, ବରଂ ସେଠାରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଞ୍ଚିବା ଯୋଗ୍ୟ ନୁହଁନ୍ତି। ସେମାନଙ୍କୁ ଜୀବନ୍ତ ଛାଡ଼ିବା ଉଚିତ୍ ନୁହେଁ।”
ଇସ୍ରାଏଲର ପ୍ରଭାବଶାଳୀ ନେତା ବେନ୍-ଗ୍ଭିର: ବେନ୍-ଗ୍ଭିର ଏବଂ ଅନ୍ୟ କେତେକ ଇସ୍ରାଏଲୀ ଅଧିକାରୀଙ୍କ ଏଭଳି ବିବୃତି ପୂର୍ବରୁ ମଧ୍ୟ ବିଶ୍ୱସ୍ତରରେ କଡ଼ା ସମାଲୋଚିତ ହୋଇଛି। ଏପରି ଅନେକ ବୟାନକୁ ଜାତିସଂଘର ଅନ୍ତର୍ଜାତୀୟ ନ୍ୟାୟାଳୟରେ ନରସଂହାର ଉଦ୍ଦେଶ୍ୟର ପ୍ରମାଣ ଭାବେ ଉପସ୍ଥାପନ କରାଯାଇଛି।
ତେବେ ଇସ୍ରାଏଲ୍ ଗାଜାରେ ନରସଂହାର ଅଭିଯୋଗକୁ ସର୍ବଦା ଖଣ୍ଡନ କରିଆସିଛି। ବେନ୍-ଗ୍ଭିରଙ୍କ ନିକଟରେ ସେନାକୁ ସିଧାସଳଖ ଆକ୍ରମଣ ନିର୍ଦ୍ଦେଶ ଦେବାର ଅଧିକାର ନଥିଲେ ମଧ୍ୟ ସେ ଦେଶର ଜଣେ ପ୍ରଭାବଶାଳୀ ନେତା। ସେ ଇସ୍ରାଏଲ୍ ଜେଲ୍ ଏବଂ ଜାତୀୟ ପୋଲିସ ସମେତ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି।
ହମାସ ମୁଖ୍ୟଙ୍କୁ ଭେଟିଲେ କୁଶନର: ଅନ୍ୟପକ୍ଷରେ, ଗାଜାରେ ଯୁଦ୍ଧବିରତି ପାଇଁ କୂଟନୈତିକ ପ୍ରୟାସ ଜାରି ରହିଛି। ଆମେରିକାର ମଧ୍ୟସ୍ଥି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜେରେଡ୍ କୁଶନର ରବିବାର ହମାସ ମୁଖ୍ୟ ଖଲିଲ ଅଲ୍-ହୟାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। କୁଶନର ଖୁବ୍ ଶୀଘ୍ର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଏହି ଆଲୋଚନାର ଉଦ୍ଦେଶ୍ୟ ହେଉଛି ଆମେରିକା ସମର୍ଥିତ ୧୫-ସୂତ୍ରୀୟ ଶାନ୍ତି ଯୋଜନାକୁ ଆଗକୁ ବଢ଼ାଇବା। ଏହି ଯୋଜନା ଅନୁଯାୟୀ ହମାସ ଗାଜାରେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବ ଏବଂ ଇସ୍ରାଏଲ୍ ଗାଜାରୁ ନିଜ ସେନା ପ୍ରତ୍ୟାହାର କରିବ। କୁଶନରଙ୍କ ବ୍ୟତୀତ ଇଜିପ୍ଟ, କତାର ଏବଂ ତୁର୍କୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ଲେବାନନ୍ରେ ପୁଣି ଉତ୍ତେଜନା: ଏହି ସମୟରେ ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଭିଯୋଗ କରିଛନ୍ତି ଯେ ହିଜବୁଲ୍ଲା ଯୁଦ୍ଧବିରତି ଉଲ୍ଲଂଘନ କରି ଇସ୍ରାଏଲୀ ସୈନିକଙ୍କ ଉପରକୁ ଆକ୍ରମଣ କରିଛି, ଯେଉଁଥିରେ ତିନିଜଣ ସୈନିକ ଗୁରୁତର ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍ ସେନା ହିଜବୁଲ୍ଲାର ଠିକଣା ଉପରେ ପ୍ରବଳ ଏୟାରଷ୍ଟ୍ରାଇକ୍ କରିଛି।


