‘ସମଗ୍ର ବିଶ୍ୱ ପାଇଁ ହିରୋ…’ କ୍ୟାପଟେନ୍ ସ୍ମିତ ଙ୍କୁ ଇସ୍ରାଏଲରେ ମିଳିବ ସମ୍ମାନ, ଫୋନ୍ କରି ନିମନ୍ତ୍ରଣ ଦେଲେ ବେଞ୍ଜାମିନ୍ ନେତନ୍ୟାହୁ

କ୍ୟାପଟେନ୍ ସ୍ମିତଙ୍କୁ ସ୍ୱାଧୀନତା ଦିବସ ସମାରୋହକୁ ନିମନ୍ତ୍ରଣ ଦେଲେ ନେତନ୍ୟାହୁ।

ନୂଆଦିଲ୍ଲୀ: ଆକାଶ ମଝିରେ ମୃତ୍ୟୁ ସହ ଲଢ଼ି ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ସାହସିକତାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ତାଙ୍କର ଅଦମ୍ୟ ସାହସ ଓ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଛନ୍ତି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ।

ଶନିବାର ଦିନ କ୍ୟାପଟେନ୍ ସ୍ମିତଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କୁ ଭାରତ, ଇସ୍ରାଏଲ୍ ସମେତ ସମଗ୍ର ବିଶ୍ୱର ହିରୋ ବୋଲି କହିଛନ୍ତି। ଏଥିସହ ଆସନ୍ତା ବର୍ଷ ଇସ୍ରାଏଲ୍‌ର ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନଜନକ ମଶାଲ ଜଳାଇବା ପାଇଁ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଏହି ସମାରୋହକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ନେତନ୍ୟାହୁ।

ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ ପାଇଁ ନିମନ୍ତ୍ରଣ: କ୍ୟାପଟେନ୍ ସ୍ମିତଙ୍କ ସହ କଥା ହେବା ସମୟରେ ନେତନ୍ୟାହୁ କହିଥିଲେ, ଆପଣ ଇସ୍ରାଏଲ୍, ଭାରତ ଏବଂ ସମଗ୍ର ବିଶ୍ୱର ଜଣେ ହିରୋ। ଆପଣଙ୍କ ସାହସିକତା ଓ ଧୈର୍ଯ୍ୟ ଅତୁଳନୀୟ।

ଏଥିପାଇଁ ମୁଁ ଆପଣଙ୍କୁ ଇସ୍ରାଏଲ୍‌ର ସ୍ୱାଧୀନତା ଦିବସ ସମାରୋହରେ ମଶାଲ ଜଳାଇବାକୁ ନିମନ୍ତ୍ରଣ କରୁଛି। ଏହା ଇସ୍ରାଏଲ୍ ନିଜ ସ୍ୱାଧୀନତା ଦିବସରେ ପ୍ରଦାନ କରୁଥିବା ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅନ୍ୟତମ।

ନେତନ୍ୟାହୁ ଆହୁରି କହିଥିଲେ ଯେ, ସାଧାରଣତଃ ଏହି ସମ୍ମାନ ଇସ୍ରାଏଲ୍‌ର ନାଗରିକମାନଙ୍କୁ ଦିଆଯାଇଥାଏ। କିନ୍ତୁ ଏହି ଘଟଣାରେ ଇସ୍ରାଏଲ୍‌ର ସମସ୍ତ ନାଗରିକ ଆପଣଙ୍କୁ ନିଜର ବୋଲି ଗ୍ରହଣ କରିବେ ବୋଲି ମୋର ବିଶ୍ୱାସ। ତେବେ ମଶାଲ ଜଳାଇବା ପାଇଁ ଚୟନ ପ୍ରକ୍ରିୟା ଇସ୍ରାଏଲ୍‌ର ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ହୋଇଥାଏ।

ଚଳନ୍ତା ବିମାନରେ ସହ-ପାଇଲଟ୍‌ଙ୍କ ଆକ୍ରମଣ: ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ଇସ୍ରାଏଲ୍‌ର ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ ଏକ ଭୟଙ୍କର ଘଟଣା ଘଟିଥିଲା।

ବିମାନଟି ଆକାଶରେ ଉଡ଼ୁଥିବା ସମୟରେ ସହ-ପାଇଲଟ୍ ହମାମ ଅଲ୍ ହମାମି କଥିତ ଭାବେ କ୍ୟାପଟେନ୍ ସ୍ମିତ ମଛାରଙ୍କ ଉପରେ କୁରାଢ଼ିରେ ଆକ୍ରମଣ କରିଥିଲେ। ଏପରିକି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।

ଆକ୍ରମଣ ଯୋଗୁଁ ବିମାନଟି ହଠାତ୍ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଥିଲା। ଏହି ସମୟରେ ବିମାନରେ ହାଇଜାକ୍ ସଙ୍କେତ ମଧ୍ୟ ଦିଆଯାଇଥିଲା। ମାତ୍ର କ୍ୟାପଟେନ୍ ସ୍ମିତଙ୍କ ସାହସିକତା, ଅନ୍ୟ କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କ ସହଯୋଗ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିଲା। ଶେଷରେ ବିମାନଟି ସାଉଦି ଆରବର ତାବୁକ୍‌ରେ ଜରୁରିକାଳୀନ ଅବତରଣ କରିଥିଲା।

ନେତନ୍ୟାହୁଙ୍କୁ କହିଲେ ଲୋମଟାଙ୍କୁରା ଅନୁଭୂତି: ଫୋନ୍‌ରେ କଥାବାର୍ତ୍ତା ସମୟରେ ନେତନ୍ୟାହୁ କ୍ୟାପଟେନ୍ ସ୍ମିତଙ୍କୁ ପୂରା ଘଟଣା ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ସ୍ମିତ କହିଥିଲେ ଯେ, ଘଟଣା ଦିନ ସହ-ପାଇଲଟ୍ ନମାଜ ପଢ଼ିବାକୁ ଯାଇଥିଲେ।

ତେଣୁ ସେ ତାଙ୍କ ଉପରେ ବିଶେଷ ଧ୍ୟାନ ଦେଇନଥିଲେ। କିଛି ସମୟ ପରେ ହଠାତ୍ ତାଙ୍କ ମୁଣ୍ଡର ପଛପଟେ ଜୋର୍‌ରେ ଆଘାତ ଲାଗିଥିଲା।

ପ୍ରଥମେ ସେ ଭାବିଥିଲେ ଯେ ବୋଧହୁଏ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଛି। କିନ୍ତୁ ଲଗାତାର ଆଘାତ ଲାଗିବା ପରେ ସେ ଅନୁଭବ କରିଥିଲେ ଯେ ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ତାଙ୍କ ସହ କକ୍‌ପିଟ୍‌ରେ ଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କୁ ଠିକ୍ ଭାବେ ଦେଖାଯାଉନଥିଲେ ମଧ୍ୟ ସେ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଶେଷ ଚେଷ୍ଟାରେ ଖୋଲିଥିଲେ କକ୍‌ପିଟ୍‌ର ଦ୍ୱାର: କ୍ୟାପଟେନ୍ ସ୍ମିତ କହିଥିଲେ ଯେ, ସେହି ସମୟରେ ତାଙ୍କ ପାଖରେ ଆଉ ଗୋଟିଏ ଶେଷ ଚେଷ୍ଟା କରିବାର ସାହସ ବାକି ଥିଲା। ଯଦି ସେ କିଛି ନକରନ୍ତି, ତେବେ ତାଙ୍କର ଜୀବନ ଚାଲିଯିବ ବୋଲି ତାଙ୍କୁ ଲାଗିଥିଲା।

ତେଣୁ ସେ ନିଜର ସମସ୍ତ ଶକ୍ତି ଲଗାଇ କକ୍‌ପିଟ୍‌ର ଦ୍ୱାର ଆଡ଼କୁ ଯାଇ ଏହାକୁ ଖୋଲିବାକୁ ସକ୍ଷମ ହୋଇଥିଲେ। ଏହାପରେ ଅନ୍ୟମାନେ ହସ୍ତକ୍ଷେପ କରିବାର ସୁଯୋଗ ପାଇଥିଲେ ଏବଂ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇବା ସମ୍ଭବ ହୋଇଥିଲା।

କ୍ୟାପଟେନ୍‌ଙ୍କ ଏହି ସାହସିକତା ଶୁଣି ନେତନ୍ୟାହୁ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏତେ କଠିନ ପରିସ୍ଥିତିରେ ମଧ୍ୟ ଆପଣ ଯେଉଁଭଳି ଭାବେ ସାହସ ଓ ଧୈର୍ଯ୍ୟର ସହ ନିଷ୍ପତ୍ତି ନେଇଛନ୍ତି, ତାହା ଅବିଶ୍ୱସନୀୟ।

ଆପଣ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଏଥିସହ ସେ ସ୍ମିତଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ଏହି ଘଟଣା ପରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ୟାପଟେନ୍ ସ୍ମିତଙ୍କ ସହ କଥା ହୋଇ ତାଙ୍କ ସାହସିକତାର ପ୍ରଶଂସା କରିଥିଲେ। ଏବେ ନେତନ୍ୟାହୁଙ୍କ ନିମନ୍ତ୍ରଣ ଭାରତୀୟ ପାଇଲଟ୍‌ଙ୍କ ଏହି ସାହସିକତାକୁ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଗୌରବାନ୍ୱିତ କରିଛି।