fbpx

ISRO ପ୍ରୋଗ୍ରାମକୁ ବେଙ୍ଗାଲୁରୁରୁ ଗୁଜରାଟ ନେବାକୁ କେନ୍ଦ୍ରର ଯୋଜନା, କଂଗ୍ରେସର ତୀବ୍ର ବିରୋଧ

ବେଙ୍ଗାଲୁରୁ : ଭାରତୀୟ ମାନବ ଅନ୍ତରୀକ୍ଷ ଉଡାଣ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁରୁ ଗୁଜରାଟ ସ୍ଥାନାନ୍ତରଣ କରିବା ନେଇ ବିବାଦ ଦେଖା ଦେଇଛି। ଏହାକୁ ଦୃଢ ବିରୋଧ କରିଛି କଂଗ୍ରେସ। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଭାରତୀୟ ଜାତୀୟ ଛାତ୍ର କଂଗ୍ରେସ ସହ ବୁଧବାର ବେଙ୍ଗାଲୁରୁରେ ଇସ୍ରୋ କାର୍ଯ୍ୟାଳୟ ସାମ୍ନାରେ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି। ଅନ୍ତରୀକ୍ଷ କାର୍ଯ୍ୟକ୍ରମ ରାଜ୍ୟ ପାଇଁ ଗୌରବର କଥା ଥିଲା ବୋଲି କଂଗ୍ରେସ କହିଛି।
ଶିବକୁମାର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖି ଏହି ପଦକ୍ଷେପକୁ ବିରୋଧ କରିଥିଲେ। ମାନବ ଅନ୍ତରୀକ୍ଷ ଉଡାଣ କାର୍ଯ୍ୟକ୍ରମ ସଂପର୍କରେ କେନ୍ଦ୍ର ସରକାରଙ୍କ ବିଚାରଧୀନ ଯୋଜନାର କିଛି ରିପୋର୍ଟକୁ ସେ ବିରୋଧ କରିଥିଲେ।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶିବକୁମାର କହିଛନ୍ତି, ମାନବ ଅନ୍ତରୀକ୍ଷ ଉଡାଣ କାର୍ଯ୍ୟକ୍ରମକୁ କୌଣସି କାରଣରୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ୍ ନୁହେଁ। ଏହା କର୍ଣ୍ଣାଟକ ପାଇଁ ଗୌରବର ବିଷୟ। କେନ୍ଦ୍ର ସରକାର ମାନବ ଅନ୍ତରୀକ୍ଷ ଉଡାଣ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁ ବାହାରକୁ ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ରକୁ ଗୁଜରାଟରେ କୌଣସି ନୂତନ ଯୋଜନା କିମ୍ବା କାର୍ଯ୍ୟକ୍ରମ କରିବା ଉଚିତ୍, ମାତ୍ର ଏହି ପଦକ୍ଷେପ ଠିକ୍ ନୁହେଁ ବୋଲି ଶିବକୁମାର କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, ଗୁଜରାଟର ଆକାମାନଙ୍କୁ ଖୁସି କରିବା ପାଇଁ ଇସ୍ରୋକୁ ନେଇ ଏବେ ରାଜନୀତି କରାଯାଉଛି। ଏମାନେ ପ୍ରଥମେ ଏୟାର ଶୋକୁ ବେଙ୍ଗାଲୁରୁ ବାହାରେ ସ୍ଥାନାନ୍ତର କରିବାକୁ ଚାହୁଁଥିଲେ। ମାତ୍ର ରାଜ୍ୟବାସୀଙ୍କ ବିରୋଧ ପରେ ପଛଘୁଞ୍ଚା ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍ଥାନାନ୍ତର କରିବାର ଯୋଜନା ପଛରେ କଣ ରହିଛି ବୈଜ୍ଞାନିକ କାରଣ ବୋଲି ଡିକେ ଶିବକୁମାର ପ୍ରଶ୍ନ କରିଛନ୍ତି।

Get real time updates directly on you device, subscribe now.